ଭୁବନେଶ୍ୱର,୨୨/୦୫: ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି । ପାଣିପାଗ  ବିଭାଗର ପୂର୍ବାନୁମାନ, ଏଭଳି ସ୍ଥିତି ଏବେ ଲାଗି ରହିବ । ଗୁରୁବାର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଛଟପଟ କରିପାରେ । ଆସନ୍ତା ୬  ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ବଲପୁର,  ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ । 

ବୁଧବାର ସମ୍ବଲପୁର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବୌଦ୍ଧ  ୪୦.୨, ବଲାଙ୍ଗୀର ୩୯.୮, ହୀରାକୁଦ ୩୯.୬, ଝାରସୁଗୁଡ଼ା ୩୯.୪, ନୟାଗଡ଼  ୩୯.୨, ଅନୁଗୁଳ ୩୮.୭, ବାରିପଦା ୩୮, ସୁନ୍ଦରଗଡ଼ ୩୮.୨, ବରଗଡ଼ ୩୮.୫,  ନୂଆପଡ଼ା ୩୮.୫, ଖୋର୍ଦ୍ଧା ୩୮.୫, ଭବାନୀପାଟଣା ୩୮.୨, ଭୁବନେଶ୍ୱର ୩୭.୨,  ଡିଗ୍ରୀ ସେଲସିୟସ୍‌ ଥିଲା । ଦିନ ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ  ପାଗ ଆଂଶିକ ମେଘୁଆ ଥିଲା । ମାତ୍ର ସନ୍ଧ୍ୟା ସୁଦ୍ଧା ବର୍ଷାର ଦେଖା ନଥିଲା ।  ତେବେ ରାତି ସାଢେ ୧୨ଟା ବେଳକୁ ରାଜଧାନୀରେ  କେତେକ ଅଂଚଳରେ ନିର୍ଦ୍ଧୁମ ବର୍ଷିଛି ।  ରାଜଧାନୀରେ କିଛି ସମୟ ପାଇଁ ହେଉପଛେ  କିଛି ଅଂଚଳରେ ମୂଶଳଧାରାରେ ବର୍ଷା  ହୋଇଥିଲା । ଫଳରେ ରାଜଧାନୀବାସୀଙ୍କୁ ତାତିରୁ  ତ୍ରାହି ମିଳିଛି । ଲୋକେ ଆଶ୍ୱସ୍ତ ହୋଇଛନ୍ତି । ବଲାଙ୍ଗୀରରେ ୮.୫ ମିଲିମିଟର, ରାୟଗଡ଼ାରେ ୬.୨, ସୋନପୁରର  ହାଲୁକା ବର୍ଷା ହୋଇଥିଲା ।  

ପୂର୍ବାନୁମାନ ହେଲା, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ  ଗୁଳୁଗୁଳି ଲାଗି ରହିବ । ରାଜ୍ୟର ଅଳ୍ପ କିଛି ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି  ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ସୁନ୍ଦରଗଡ଼,  କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି  ଓ ନବରଙ୍ଗପୁରରେ ଘଡ଼ଘଡ଼ି, ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ  ଧୂଳିଝଡ଼ ଆଶଙ୍କା ଅଛି । ୨୩, ୨୪, ୨୫ ତାରିଖରେ ଏଭଳି କାଳବୈଶାଖୀ ଆଶଙ୍କା  ରହିଛି କେତେକ ଜିଲ୍ଲାରେ । ୨୬ ଓ ୨୭ ତାରିଖରେ ଅଳ୍ପ କିଛି ଜାଗାରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ ।

 ପାଣିପାଗ ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ମୌସୁମୀ ବେଶ୍‌  ସକ୍ରିୟ ଅଛି । ଆସନ୍ତା ୨୪ କିମ୍ବା ୨୫ ତାରିଖବେଳକୁ ମୌସୁମୀ କେରଳ ଉପକୂଳ  ଛୁଇଁପାରେ । ଏ ବର୍ଷ ଓଡ଼ିଶାକୁ ମଧ୍ୟ ଆଗୁଆ ଆସିପାରେ ମୌସୁମୀ । ସେପର୍ଯ୍ୟନ୍ତ  ଗୁଳୁଗୁଳିରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା କମ୍।