ଭୁବନେଶ୍ୱର ୦୯/୦୫: ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୩  ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ  କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ। ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା  ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । 

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଗାମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ  ପୂର୍ବାନୁମାନ ଜାରି କରିଛି । ଏହି  ଆକଳନ ଅନୁସାରେ ୮ରୁ ୧୪  ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି  ସ୍ଥାନରେ ତାପମାତ୍ରା ୩୮ରୁ ୪୧  ଡିଗ୍ରୀ ସେଲସିୟସ୍‌ ରହିପାରେ ।  ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩  ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ  ପାରଦ । ୧୦ରୁ ୧୪ ତାରିଖ ଯାଏଁ  ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ  (ହିଟ୍‌ ୱେଭ୍‌) ଏବଂ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ସ୍ଥିତି ନାକେଦମ କରିପାରେ । 

ବଡ଼ କଥା ହେଲା, ତା’ ପରବର୍ତ୍ତୀ ସପ୍ତାହରେ (୧୫ରୁ ୨୧ ମେ) ରାଜ୍ୟରେ ତାତିରୁ  ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା ନାହିଁ । ଅନେକ ସ୍ଥାନରେ ତାପମାତ୍ରା ୧ରୁ ୩ ଡିଗ୍ରୀ ଅଧିକ  ରହିପାରେ, ସ୍ୱାଭାବିକ ତୁଳନାରେ । କିଛି ବର୍ଷା ବି ହୋଇପାରେ ।  

ଗୁରୁବାର ରାଜ୍ୟରେ ଗରମ ବଢ଼ିଥିବାବେଳେ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ଥିଲା ୩୮ ଡିଗ୍ରୀ  ଉପରେ । ବୌଦ୍ଧରେ ୩୯.୮, ସମ୍ବଲପୁରରେ ୩୯.୬, ଟିଟିଲାଗଡ଼ ୩୯, ବଲାଙ୍ଗୀର ୩୯.୨,  ନୟାଗଡ଼ ୩୯, ଖୋର୍ଦ୍ଧା ୩୯, ଝାରସୁଗୁଡ଼ା ୩୮.୪, ହୀରାକୁଦ ୩୮.୧, ସୁନ୍ଦରଗଡ଼ ୩୮,  ବାରିପଦା ୩୮ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ୩୭.୬ ଓ କଟକ ୩୭.୮ ଡିଗ୍ରୀରେ ସିଝିଥିଲା । 

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସତର୍କ କରାଇଛି,ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ପ୍ରକୋପ ନୟାନ୍ତ କରିପାରେ । ୧୦ ତାରିଖ (ଶନିବାର) ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଓ  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଆଶଙ୍କା ଅଛି । ଏଭଳି ସ୍ଥିତି ୧୪ ତାରିଖ ପର୍ଯ୍ୟନ୍ତ ରହିବ । ତେବେ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ବି ହୋଇପାରେ