ଭୁବନେଶ୍ୱର,୧୪/୦୪: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା  ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ,  ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ  ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।  ୪୦ରୁ ୫୦ କିମି ବେଗରେ ପବନ ବି ବହିବ ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,  ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି  ଜିଲ୍ଲାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ  ୪୦ କିମି ବେଗରେ ପବନ ବହିପାରେ । ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ,  ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,  ରାୟଗଡ଼ା, କୋରାପୁଟ, ମାଲକାନଗିରି,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ  ବର୍ଷା ଆଶଙ୍କା ଅଛି । ୪୦ରୁ ୫୦କିମି ବେଗରେ  ପବନ ବି ବହିବ । କେନ୍ଦୁଝର, ମୟୂରଭଞ୍ଜ  ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ସତର୍କ କରିଛି । 

୧୬ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ପ୍ରବଳ ବର୍ଷା  ସମ୍ଭାବନା ଅଛି । ୧୭ ତାରିଖରେ ବି କାଳବୈଶାଖୀ  ପ୍ରଭାବରେ ଝଡ଼ ବର୍ଷା ହୋଇପାରେ ।  ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ । 

ରବିବାର ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି  ସହ କୁଆପଥର ବର୍ଷା ହୋଇଛି । ୫୦ରୁ ୬୦ କିମି  ବେଗରେ ପବନ ବି ବହିଛି। କୋରାପୁଟ, ରାୟଗଡ଼ା,  ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ  ଓ ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ୨୦ ମିମି ଓ ରାୟଗଡ଼ାରେ  ୪.୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।