ଭୁବନେଶ୍ୱର, ୨୯/୧୧: ଆକାଶ ମେଘୁଆ ରହିପାରେ । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ  କାଁ ଭାଁ ହାଲୁକା ବର୍ଷା ହୋଇପାରେ ।  ଶୁକ୍ରବାର ଏଭଳି ପାଗ ରହିବା ନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଶୁକ୍ରବାର ଯାଜପୁର,  କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,  କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି,  ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ  ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ  ବର୍ଷା ସମ୍ଭାବନା ଅଛି । ବାକି ଅଞ୍ଚଳରେ  ପାଗ ଶୁଖିଲା ରହିବ । ସୁନ୍ଦରଗଡ଼,  କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିର  ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । 

ଶନିବାର ମୟୂରଭଞ୍ଜ, କେନ୍ଦୁଝର,  ଦେବଗଡ଼, ସୁନ୍ଦରଗଡ଼, ମାଲକାନଗିରି,  କୋରାପୁଟ, ରାୟଗଡ଼ା, କଳାହାଣ୍ଡି,  ନବରଙ୍ଗପୁରରେ କାଁ ଭାଁ ହାଲୁକା ବର୍ଷା  ସମ୍ଭାବନା ଅଛି । ଡିସେମ୍ବର ପହିଲାରୁ  ରାଜ୍ୟରେ ପାଗ ପୂରା ଶୁଖିଲା ରହିବ । ବର୍ତ୍ତମାନ ଶୀତ ପ୍ରକୋପ କମିବ ।  ଦିନକ ପରେ ରାତି ତାପମାତ୍ରା ୨ରୁ  ୪ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ରାଜ୍ୟରେ ଗତ କିଛିଦିନ ହେବ ଶୀତ  ଜାରି ରହିଛି । 

ବୁଧବାର ରାତିରେ  ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା  ୮.୫ ଡିଗ୍ରୀ ସେଲସିୟସ୍‌,କୋରାପୁଟ ୮.୮, ନବରଙ୍ଗପୁର ୧୦.୬, ଦାରିଙ୍ଗିବାଡ଼ି ୧୦,  ଅନୁଗୁଳ ୧୧, ଭବାନୀପାଟଣା ୧୦.୫, ଝାରସୁଗୁଡ଼ା ୧୧.୨,  ରାଉରକେଲା ୧୧.୫, ବଲାଙ୍ଗୀର ୧୧.୬, ବୌଦ୍ଧ ୧୧.୮, ସୁନ୍ଦରଗଡ଼ ୧୨, ରାୟଗଡ଼ା ୧୨.୨ ଡିଗ୍ରୀ ସେଲସିୟସ୍‌ ଥିଲା ।  ୧୨ଟି ସହରରେ ତାପମାତ୍ରା ୧୩ ଡିଗ୍ରୀ ତଳେ ଥିଲା ।