ଭୁବନେଶ୍ୱର,୨୪/୦୪: ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ । ମଝିରେ ସାମୟିକ ଭାବେ ପାରଦ ସାମାନ୍ୟ ତଳକୁ ଖସିବ । କିନ୍ତୁ, ବଡ଼ ଆଶ୍ୱସ୍ତି ମିଳିବନି । ଜାରି ରହିବ ନିଷ୍ଠୁର ଗ୍ରୀଷ୍ମର ନିର୍ମମ ପ୍ରହାର । ପ୍ରଚଣ୍ଡ ଗ୍ରୀଷ୍ମ ସ୍ଥିତି ଦେଖି ରାଜ୍ୟ ସରକାର ଏଥର ଆଗୁଆ ସ୍କୁଲ ଛୁଟି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏ ନେଇ ଗୁରୁବାର ଗଣଶିକ୍ଷା, ରାଜସ୍ୱ ଏବଂ ଏସଆରସିଙ୍କ ମିଳିତ ବୈଠକ ବସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି, ଆସନ୍ତା ୨୭ ତାରିଖ ଭିତରେ ସ୍କୁଲ ଛୁଟି ନେଇ ଘୋଷଣା ହୋଇପାରେ ।

ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଦିନେ ଦୁଇଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ନିଜ ଆଡ଼ୁ ସ୍କୁଲ ଛୁଟି ରଖିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼, ବ୍ରହ୍ମପୁର ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନ ୨୫ ତାରିଖ ଯାଏ ଛୁଟି ଅବଧି ବୃଦ୍ଧି ଘୋଷଣା କରାଯାଇଛି । ସେହିପରି କଟକ ଜିଲ୍ଲାରେ ୨୭ ତାରିଖ ଯାଏ ଛୁଟି ଅବଧି ବୃଦ୍ଧି କରାଯାଇଛି । ଅନ୍ୟପଟେ ୨୩ ତାରିଖ ଯାଏ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ରହିଥିଲା ।  ଜିଲ୍ଲାପାଳଙ୍କ ପକ୍ଷରୁ ଛୁଟି ଅବଧି ବୃଦ୍ଧି କରାଯାଇନି ବରଂ ଆଜିଠୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଯାଏ ସ୍କୁଲରେ ପାଠପଢ଼ା ହେବ ବୋଲି ଚିଠି ହୋଇଛି । 

ସ୍ଥିତି ଅସମ୍ଭାଳ ହେଲାଣି । ଗୁରୁବାର ଝାରସୁଗୁଡ଼ା ୪୪ ଡିଗ୍ରୀ ସେଲସିୟସ୍ ତାଉରେ ଟକଟକ ହୋଇ ଫୁଟୁଥିଲା । କୋଇଲା ନଗରୀ ତାଳଚେର ବି ୪୪ ଡିଗ୍ରୀ ତାତିରେ ଦାଉଦାଉ ହୋଇ ଜଳୁଥିଲା । ଏ ଦୁଇ ସହର ପାଲଟିଥିଲେ ଦେଶର ଚତୁର୍ଥ ତତଲା ସହର । ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ ତାପମାତ୍ରା ୪୩.୮, ଢେଙ୍କାନାଳ ୪୩.୫, ଅନୁଗୁଳ ୪୩.୫, ହୀରାକୁଦ ୪୩.୪, ପାରଳାଖେମୁଣ୍ଡି ୪୩, ସମ୍ବଲପୁର ୪୩ ଡିଗ୍ରୀ ଛୁଇଁଥିଲା । ରାଉରକେଲା, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱରରେ ପାରଦ ୪୨ ଡେଇଁଲା । କଟକ ପହଞ୍ଚିଲା ୪୧.୮ ଡିଗ୍ରୀରେ ।

ଗୁରୁବାର ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଦେଖାଇଛି । ଏହି ଆକଳନ କହୁଛି, ଏପ୍ରିଲ ୨୪ରୁ ୩୦ ତାରିଖ ଭିତରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ୩୬ରୁ ୪୨ ଡିଗ୍ରୀ ଭିତରେ ରହିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ତାପମାତ୍ରା ୪୦-୪୪ ଡିଗ୍ରୀ ରହିପାରେ । ସେହିପରି ପରବର୍ତ୍ତୀ ସପ୍ତାହରେ (ମେ’୧ରୁ ୭) ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପାରଦ ୩୮-୪୦ ଡିଗ୍ରୀ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦-୪୨ ଡିଗ୍ରୀ ରହିବା ଆଶଙ୍କା ଅଛି ।

ପାଣିପାଗ ବିଭାଗର ତାଜା ଆକଳନ ହେଲା, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ ୨-୩ ଦିନ ଡିଗ୍ରୀ କମିପାରେ । ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହିଟ୍ ୱେଭ ସ୍ଥିତି ରହିବ । ବଲାଙ୍ଗୀର, ସମ୍ବଲପୁର, କନ୍ଧମାଳରେ ରାତିରେ ବି ଗରମ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିପାରେ । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି । ୨୫ରୁ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ସମ୍ଭାବନା କମ୍ । ୨୪ ତାରିଖ ପଶ୍ଚିମରେ ପାରଦ ୪୫ ଡିଗ୍ରୀ ଛୁଇଁବା ସହ ଭୁବନେଶ୍ୱର ୪୩ ଡିଗ୍ରୀରେ ପହଞ୍ଚିପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତା ମେ’ ୩ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମରୁ ବଡ଼ ଧରଣର ଆଶ୍ୱସ୍ତି ମିଳିନପାରେ । ଆସନ୍ତା ୩ ଦିନ ପ୍ରଚଣ୍ଡ ତାତି ରହିବ । ବିଶେଷ କରି ଶନିବାର ଭୀଷଣ ଗରମ ଅନୁଭୂତ ହୋଇପାରେ । ୨୯/୩୦ ତାରିଖରେ କାଳବୈଶାଖୀ ବର୍ଷା କିଛି ଆଶ୍ୱସ୍ତି ଦେଇପାରେ । ବର୍ତ୍ତମାନ ବାୟୁମଣ୍ଡଳର ଉପରିଭାଗରେ ବିଭିନ୍ନ ଦିଗରୁ ବାୟୁ ଆସି ଜମାଟ ବାନ୍ଧୁଛି । ଏହି ବାୟୁ ତଳକୁ ଆସିବାରୁ ଉତ୍ତପ୍ତ ହେବା ସହ ବାଷ୍ପୀକରଣ କରୁଛି । ଏହା ବର୍ଷା ହେବାରେ ବାଧକ ହେଉଛି ।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୬ରୁ ପାଗରେ ପରିବର୍ତ୍ତନ ଆସିପାରେ । ବଙ୍ଗୋପସାଗରରୁ ପବନ ଅଧିକ ଆସିବା ସମ୍ଭାବନା ଥିବାରୁ ୨୬-୨୭ରେ ଉପକୂଳରେ କାଳବୈଶାଖୀ ବର୍ଷା କରିପାରେ । ଏଥିରେ ତାତି ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ।