ଭୁବନେଶ୍ୱର,୦୨/୧୧: ବଙ୍ଗୋପସାଗରରେ ଆସନ୍ତା ୫ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତାପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଯାଇ ଦକ୍ଷିଣ ଆନ୍ଧ୍ର ବା ତାମିଲନାଡୁ ଆଡ଼କୁ ମୁହାଇଁପାରେ । ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ସେ କହିଛନ୍ତି, ଶନିବାର ପୂର୍ବ ଦକ୍ଷିଣ ବଙ୍ଗୋପସାଗର ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି । ୫ ତାରିଖରେ ଏହା ଲଘୁଚାପ ରୂପ ନେବ । ତିନି ଦିନ ପରେ ଏହା ଅବପାତରେ ପରିଣତ ହେବ । ଅବପାତ ହେଲେ ଓଡ଼ିଶା ଉପକୂଳରେ ୧୧ ତାରିଖ ଯାଏ ବର୍ଷା ଲାଗି ରହିବ। ତେବେ ୭ ତାରିଖ ଯାଏ ପାଗ ଶୁଖିଲା ରହିବ । ଶିଶିରପାତ ହୋଇପାରେ । ଫଳରେ ମୁଗ, ବିରି ଓ ସୋରିଷରେ ପାଉଁଶିଆ ରୋଗ ହୋଇପାରେ । ଧାନରେ ଚକଡ଼ା ପୋକ ବଢ଼ିପାରେ । ଏଥିପାଇଁ ପଦକ୍ଷେପ ନେବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଅନୁସାରେ, ୫ କିମ୍ବା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ସୃଷ୍ଟି ହେବାର କ୍ୱଚିତ୍ ସମ୍ଭାବନା ଅଛି । ପ୍ରଭାବରେ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।