ଭୁବନେଶ୍ୱର ୦୪/୧୦: ଆସନ୍ତା ୯ ତାରିଖ  ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି  ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ  କରିଛନ୍ତି ।  

ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ କହୁଛି, ୫  ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର  ପଶ୍ଚିମ ମୁହାଁ ହୋଇ ଉତ୍ତର ବଙ୍ଗୋପସାଗର ଆଡ଼କୁ  ମୁହାଁଇବ । ୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି  ହେବ । ଏନ୍‌ସିଇପି-ଜିଏଫ୍‌ଏସ୍‌ ମଡେଲ ମଧ୍ୟ ଏହି  ଆକଳନକୁ ଦୋହରାଇଛି । ତେବେ ୧୦ ତାରିଖ ବେଳକୁ  ଏହି ଲଘୁଚାପ ହେବ ବୋଲ ଭାରତ ଫୋରକାଷ୍ଟ ସିଷ୍ଟମ୍‌  ଓ ଏନସିୟୁଏମ୍‌ ସେମାନଙ୍କ ମଡେଲ ଆଧାରରେ  ପୂର୍ବାନୁମାନ କରିଛନ୍ତି ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯ତାରିଖରୁ ବିସ୍ତୃତ ଅଞ୍ଚଳରେ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ନିଜ ବିସ୍ତାରିତ  ଆକଳନରେ ଦର୍ଶାଇଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ  ବୋଲି ଏଥିରେ ଆକଳନ କରାଯାଇଛି । 

ସେପଟେ ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ  ହୋଇଥିବା ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ  ବାଦଲଫଟା ବର୍ଷା ହୋଇଛି । ଗୁରୁବାର ସକାଳ  ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସୁଦ୍ଧା କଳାହାଣ୍ଡିର  ଟି ରାମପୁରରେ ସର୍ବାଧିକ ୩୫୨ମିମି ବର୍ଷା ରେକର୍ଡ  ହୋଇଛି । ଗଜପତି ଆର୍‌ ଉଦୟଗିରିରେ ୨୯୧ ମିମି,  ଗୁମ୍ମାରେ ୨୧୧ ଓ କଳାହାଣ୍ଡି ଜୁନାଗଡ଼ରେ ୨୧୦ମିମି ବର୍ଷା  ଢାଳିଛି । ନୂଆପଡ଼ା କୋମନାରେ ୧୯୭ମିମି, ଗଜପତି  ଗୋଷାଣୀରେ ୧୭୪, ନୂଆଗଡ଼ରେ ୧୬୫, କନ୍ଧମାଳ  କୋଟଗଡ଼ରେ ୧୫୧, ଗଜପତି ମହେନ୍ଦ୍ରଗଡ଼ରେ  ୧୪୬, କୋରାପୁଟ ଲମତାପୁଟରେ ୧୪୧, କନ୍ଧମାଳ  ଦାରିଙ୍ଗିବାଡ଼ିରେ ୧୩୭, କଳାହାଣ୍ଡି ନର୍ଲାରେ ୧୩୬,  କୋରାପୁଟ ସିମିଳୁଗୁଡ଼ାରେ ୧୩୧ ମିମି ବର୍ଷା ହୋଇଛି ।

ଅବପାତ କ୍ରମଶଃ ଦୁର୍ବଳ ହେଉଥିବାରୁ ରାଜ୍ୟରେ ବର୍ଷା କମିବ । ଶନିବାର ନବରଙ୍ଗପୁର ଓ ନୂଆପଡ଼ାର ବିକ୍ଷିପ୍ତ  ସ୍ଥାନରେ ଅଧିକ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ  ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ୫ରେ ଉପକୂଳ ଓଡ଼ିଶାର କିଛି  ସ୍ଥାନରେ ବର୍ଷା ହେବାର ଆଶଙ୍କା ଅଛି ।  

ସେପଟେ ଉତ୍ତର ପୂର୍ବ ଆରବସାଗରରେ  ବାତ୍ୟା ‘ଶକ୍ତି’ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ  ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ  ନେଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ରହିବନି  ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି