ଭୁବନେଶ୍ୱର, ୧୪/୦୬:  ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି ହୋଇଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି  ହୋଇଛି । ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ  ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଉ ଏକ  ଲଘୁଚାପ ରହିଛି । ଦୁଇ ଲଘୁଚାପ  ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ  ପ୍ରବଳ ବର୍ଷା ହୋଇପାରେ । ସୋମବାର  ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆକଳନ କହୁଛି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର,  ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଏହି  ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି  ହୋଇଛି । ଅନୁଗୁଳ, ଢେଙ୍କାନାଳ,  କଟକ, ନୟାଗଡ଼, ବୌଦ୍ଧ, ସୋନପୁର,  ଦେବଗଡ଼, ବଲାଙ୍ଗୀର, କନ୍ଧମାଳ  ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । 

୧୫ ତାରିଖରେ ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ  ଭାରି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର  ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୬  ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା  ସମ୍ଭାବନା ଅଛି । ୧୭, ୧୮ ଓ ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  

୧୩ରୁ ୧୯ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ  ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ  କରିଛି । ରବିବାର ପାରାଦୀପରେ ୪୧ମିମି ବର୍ଷା ହୋଇଛି । ସୋନପୁରରେ ୨୪.୪ ମିମି ବର୍ଷା  ହୋଇଛି । ଟିଟିଲାଗଡ଼ ଓ ବାଲେଶ୍ୱରରେ ୧୫.୩,  ଭଦ୍ରକରେ ୮ମିମି ବର୍ଷା ରେକର୍ଡ ହୋଇଛି।