ଭୁବନେଶ୍ୱର,୧୧/୦୭: ଏବେ ରାଜ୍ୟରେ ବର୍ଷା କମିଛି । ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ । ୧୫ରୁ ବର୍ଷା କମିବ । ୨୦ରୁ ୨୨ ଯାଏ ଖରା ଓ ତାତି ବଢ଼ିବ । ୨୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକ କହିଛନ୍ତି, ୨୨ ତାରିଖ ଯାଏ ବଜ୍ରପାତର ଆଶଙ୍କା ଅଛି । ୨୨ ତାରିଖ ଯାଏ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଚାଷ ପାଇଁ ପର୍ଯ୍ୟାପ୍ତ ବର୍ଷା ହେବ । ଦକ୍ଷିଣ ଉପକୂଳରେ ବର୍ଷା ନିଅଣ୍ଟିଆ ରହିପାରେ ବୋଲି ସେ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଜାରି କରିଥିବା ବିସ୍ତାରିତ ଆକଳନ ଅନୁସାରେ, ୧୬ ତାରିଖ ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଝାଡ଼ଖଣ୍ଡର ଦକ୍ଷିଣ ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ଅଛି । ଏହି ସପ୍ତାହରେ ବର୍ଷାର ବିଶେଷ ସମ୍ଭାବନା ନାହିଁ । ୧୭ରୁ ୨୪ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି ଏଥିରେ ପୂର୍ବାନୁମାନ କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୧୧ ଓ ୧୨ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ସମ୍ଭାବନା ଅଛି । ୧୪ ତାରିଖରେ ମୟୂରଭଞ୍ଜରେ ଅଧିକ ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଗୁରୁବାର ସକାଳରୁ ନେଇ ସନ୍ଧ୍ୟା ଭିତରେ ସମ୍ବଲପୁରରେ ୩୫.୨, ହୀରାକୁଦରେ ୧୭.୮ ଓ ବରଗଡ଼ରେ ୩୧.୨ ମିମି ବର୍ଷା ହୋଇଛି।