ଭୁବନେଶ୍ୱର,୧୧/୦୭: ଏବେ ରାଜ୍ୟରେ ବର୍ଷା କମିଛି । ଆସନ୍ତା ଦୁଇ ଦିନ  ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ ।  ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ  ଲଘୁଚାପ ଜନିତ ବର୍ଷା ହୋଇପାରେ ।  ୧୫ରୁ ବର୍ଷା କମିବ । ୨୦ରୁ ୨୨ ଯାଏ  ଖରା ଓ ତାତି ବଢ଼ିବ । ୨୩ରେ ଉତ୍ତର  ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ  ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ପ୍ରଫେସର ପଶୁପାଳକ କହିଛନ୍ତି, ୨୨  ତାରିଖ ଯାଏ ବଜ୍ରପାତର ଆଶଙ୍କା ଅଛି ।  ୨୨ ତାରିଖ ଯାଏ ବାଲେଶ୍ୱର, କେନ୍ଦୁଝର,  ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର,  ନୂଆପଡ଼ା ଓ କଳାହାଣ୍ଡିରେ ଚାଷ ପାଇଁ  ପର୍ଯ୍ୟାପ୍ତ ବର୍ଷା ହେବ । ଦକ୍ଷିଣ ଉପକୂଳରେ  ବର୍ଷା ନିଅଣ୍ଟିଆ ରହିପାରେ ବୋଲି ସେ  କହିଛନ୍ତି । 

ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ଜାରି କରିଥିବା ବିସ୍ତାରିତ  ଆକଳନ ଅନୁସାରେ, ୧୬ ତାରିଖ ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।  ଝାଡ଼ଖଣ୍ଡର ଦକ୍ଷିଣ ଓ ଏହାର ସଂଲଗ୍ନ  ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା  ଅଛି । ଏହି ସପ୍ତାହରେ ବର୍ଷାର ବିଶେଷ ସମ୍ଭାବନା ନାହିଁ । ୧୭ରୁ ୨୪ ତାରିଖ ଯାଏ  ରାଜ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି  ଏଥିରେ ପୂର୍ବାନୁମାନ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର  ପୂର୍ବାନୁମାନ କହୁଛି, ୧୧ ଓ ୧୨ ତାରିଖରେ  ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର  ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।  ୧୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ସମ୍ଭାବନା  ଅଛି । ୧୪ ତାରିଖରେ ମୟୂରଭଞ୍ଜରେ  ଅଧିକ ବର୍ଷା ହୋଇପାରେ । ଉତ୍ତର ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା  ସମ୍ଭାବନା ଅଛି । ଗୁରୁବାର ସକାଳରୁ ନେଇ ସନ୍ଧ୍ୟା ଭିତରେ ସମ୍ବଲପୁରରେ ୩୫.୨,  ହୀରାକୁଦରେ ୧୭.୮ ଓ ବରଗଡ଼ରେ  ୩୧.୨ ମିମି ବର୍ଷା ହୋଇଛି।