ଭୁବନେଶ୍ୱର,୧୬/୧୨: ସୋମବାର ରାଜ୍ୟରେ ଶୀତ ଲହରୀ ବହିପାରେ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଏହି ସ୍ଥିତି ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ଏଭଳି ପୂର୍ବାନୁମାନ କରିଛି ।
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତାମିଲନାଡୁ, କେରଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଆନ୍ଧ୍ରପ୍ରଦେଶର କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୧୭ ତାରିଖ ବା ମଙ୍ଗଳବାରଠାରୁ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ରାୟଗଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୧୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବି ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ସେହିଭଳି ୧୭ ତାରିଖରୁ ରାତି ତାପମାତ୍ରା ବି କମିଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିଯିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।
ଶନିବାର ପଞ୍ଜାବର ଆଦାମପୁର ଦେଶର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ପାରଦ ୧.୩ ଡିଗ୍ରୀକୁ ଖସି ଯାଇଥିଲା । ରାଜସ୍ଥାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ୧.୬ ଡିଗ୍ରୀ ରହିଥିଲା । ତେବେ ଓଡ଼ିଶାରେ ଜି ଉଦୟଗିରିର ପାରଦ ସବୁଠୁ ତଳେ ଥିଲା ।
ରବିବାର ପୂରା ଓଡ଼ିଶା ଶୀତରେ ଥରିଛି । ୭ଟି ସହର ୧୦ ଡିଗ୍ରୀ ତଳକୁ ଖସିଆସିଛି । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୬.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଓ ରାଉରକେଲା ସହରର ରାତି ତାପମାତ୍ରା ୬.୮ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ୮.୫, ଅନୁଗୁଳରେ ୯, ସୁନ୍ଦରଗଡ଼ ଓ ଭବାନୀପାଟଣାର ୯.୪, ବୌଦ୍ଧରେ ୧୦, ସୋନପୁରର ୧୦.୫, ନବରଙ୍ଗପୁରରେ ୧୦.୬, ବଲାଙ୍ଗୀରରେ ୧୦.୭ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଥିଲା ।