ଭୁବନେଶ୍ୱର,୧୧/୦୮: ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ  ପ୍ରଭାବରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ତିନି ଦିନ ଯାଏ ରାଜ୍ୟର ବିଭିନ୍ନ  ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ମଙ୍ଗଳବାର କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ,  ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବହୁ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ  ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ  ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଗୁରୁବାର ବି ମାଲକାନଗିରି  ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।