ଭୁବନେଶ୍ୱର ୦୮/୧୨: ରାଜ୍ୟରେ ବଦଳିଲା ପାଗ। ଶୀତରେ ବଢ଼ିଲା ତାପମାତ୍ରା। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବଢ଼ିଲା ବର୍ଷା ଆଶଙ୍କା। ଆଗାମୀ ଦୁଇ ଦିନ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।

ରାଜ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇ ନାହିଁ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବାୟୁମଣ୍ଡଳର ଉପରି ଭାଗରେ ଟ୍ରାପ ଲାଇନ ରହିଛି । ପଶ୍ଚିମରୁ ପୂର୍ବ ଆଡ଼କୁ ପବନ ବହୁଛି । ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ଵରରେ କୋହଲା ପାଗ ରହିଛି । ରବିବାର ୧୧ ଜିଲ୍ଲା ଏବଂ ସୋମବାର ୧୦ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ମଙ୍ଗଳବାର ରାଜ୍ୟରେ ପୁଣି ଶୁଖିଲା ପାଗ ରହିବ।

ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।