ଭୁବନେଶ୍ୱର,୧୩/୧୨: ଶୀତ  ନଥିଲା । ହଠାତ୍‌ ଖସିଲା ପାରଦ । ପୂର୍ବ ରାତି ତୁଳନାରେ କେଉଁଠି ୧ ଡିଗ୍ରୀ, ୨  ଡିଗ୍ରୀ, ଆଉ କେଉଁଠି ୩ ଡିଗ୍ରୀ କମିଲା ।  ଆଭ୍ୟନ୍ତରୀଣ, ଉତ୍ତରରୁ ନେଇ  ଉପକୂଳ ଯାଏଁ ସବୁଠି ବହିଲା ଥଣ୍ଡା  ପବନ । ସକାଳୁ ଉଠିଲାବେଳକୁ ଘର  ଚଟାଣ, କାନ୍ଥ ସବୁ କାଲୁଆ ଲାଗୁଥିଲା । 

ସାରା ରାଜ୍ୟରେ ପାରଦ ଖସିଛି । ପୂର୍ବ ରାତି ତୁଳନାରେ ପ୍ରାୟ ୧ରୁ ୩  ଡିଗ୍ରୀ ସେଲସିୟସ୍‌ କମିଛି ସର୍ବନିମ୍ନ ତାପମାତ୍ରା । ଜି.ଉଦୟଗିରି ତାପମାତ୍ରା  ୧୦ ଡିଗ୍ରୀ ତଳକୁ ଖସିଥିବାବେଳେ  ଉପକୂଳ ଓଡ଼ିଶାରେ ବି ପାରଦ ୧୩  ଡିଗ୍ରୀରେ ପହଞ୍ଚିଛି । ଏବେ ଆଉ ବେଶି  ଖସିବନି ପାରଦ । ତଥାପି ରାଜ୍ୟରେ  ବର୍ତ୍ତମାନ ସ୍ଥିତି ଜାରି ରହିବ । ମାତ୍ର ୨୦ ତାରିଖ ପରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ ବେଶି ବଢ଼ିପାରେ । 

ପାଣିପାଗ କେନ୍ଦ୍ର ସୂଚନା  ଅନୁସାରେ ଜି.ଉଦୟଗିରିରେ ସର୍ବନିମ୍ନ  ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ  ଥିବାବେଳେ ରାଉରକେଲା ୧୦.୨, ଝାରସୁଗୁଡ଼ା ୧୦.୪, କିରେଇ ୧୦.୭,  କେନ୍ଦୁଝର ୧୧.୨, ଅନୁଗୁଳ ୧୧.୬,  କୋରାପୁଟ ୧୧.୮, ଫୁଲବାଣୀ ୧୨,  ଢେଙ୍କାନାଳ ୧୨.୩, ଦାରିଙ୍ଗିବାଡ଼ି  ୧୨.୫, ଭବାନୀପାଟଣା ୧୨.୨,  ସୁନ୍ଦରଗଡ଼ ୧୨, ବାରିପଦା ୧୨.୫,  କଟକ ୧୩.୬, ଭୁବନେଶ୍ୱର ୧୫  ଡିଗ୍ରୀ ସେଲସିୟସ୍‌ ଥିଲା । 

ପୂର୍ବ ରାତି ତୁଳନାରେ ପ୍ରାୟତଃ ୧ରୁ ୩ ଡିଗ୍ରୀ ଯାଏଁ  ପାରଦ କମିଛି । ସ୍ୱାଭାବିକଠାରୁ ୧ରୁ ୩.୨ ଡିଗ୍ରୀ କମ୍‌ ରହିଛି କେତେକ ସ୍ଥାନରେ । ପୂର୍ବ ରାତି ତୁଳନାରେ  ବାରିପଦା ତାପମାତ୍ରା ଅଢ଼େଇ ଡିଗ୍ରୀ,  ଭୁବନେଶ୍ୱର ୨.୬ ଡିଗ୍ରୀ, ସୁନ୍ଦରଗଡ଼ ୨, ପାରଳାଖେମୁଣ୍ଡି ୩ ଡିଗ୍ରୀ ହ୍ରାସ ପାଇଛି । କଟକ ଓ ଭୁବନେଶ୍ୱରରେ ତାପମାତ୍ରା  ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍‌ ଥିବାବେଳେ  ଝାରସୁଗୁଡ଼ାରେ ୨.୮ ଡିଗ୍ରୀ କମ୍‌ ଅଛି ।  

ଆସନ୍ତା ୧୬ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନୁମାନ କରାଯାଉଛି,  ୧୩ ତାରିଖରେ କେନ୍ଦୁଝରର ସର୍ବନିମ୍ନ  ତାପମାତ୍ରା ୧୦, ବାଲେଶ୍ୱର ୧୨,  ବାରିପଦା ୧୧, ଭୁବନେଶ୍ୱର ୧୪,  ରାଉରକେଲା ଓ ଫୁଲବାଣୀରେ ୧୦  ଡିଗ୍ରୀ ସେଲସିୟସ୍‌ ରହିପାରେ ।  ୧୪ ଓ ୧୫ ତାରିଖରେ ଭୁବନେଶ୍ୱର  ତାପମାତ୍ରା ଆହୁରି ୧ ଡିଗ୍ରୀ କମି ୧୩  ଡିଗ୍ରୀ ସେଲସିୟସ୍‌ ଓ କଟକ ୧୨  ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ଅଛି ।  କେନ୍ଦୁଝର, ରାଉରକେଲା, ଫୁଲବାଣୀ,  ଝାରସୁଗୁଡ଼ା ଓ କୋରାପୁଟରେ ୯ ଡିଗ୍ରୀ  ପାଖାପାଖି ରହିପାରେ । ୧୬ ତାରିଖରେ  ଭୁବନେଶ୍ୱର ୧୨ ଓ କଟକ ସହରରେ  ରାତି ତାପମାତ୍ରା ଖସି ୧୧ ଡିଗ୍ରୀ ଛୁଇଁବା  ଆଶଙ୍କା ରହିଛି । ବହୁ ଜାଗାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ । ଝାରସୁଗୁଡ଼ାରେ ୮ ଡିଗ୍ରୀ,  ବାରିପଦା, କୋରାପୁଟ, ଫୁଲବାଣୀ ଓ କେନ୍ଦୁଝରରେ ୯ ଡିଗ୍ରୀ ରହିପାରେ ।  

ଅନ୍ୟପଟେ ପାଣିପାଗ ବିଭାଗ ପୂର୍ବାନୁମାନରେ କହୁଛି, ଆଗାମୀ ସପ୍ତାହ  (୧୯ ତାରିଖରୁ ୨୫)ରେ ପୂର୍ବ ଭାରତରେ ଶୀତ ବଢ଼ିବ । ଅଧିକାଂଶ ସ୍ଥାନରେ  ପାରଦ ୧୦ ଡିଗ୍ରୀ ତଳକୁ ଖସିବ । ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ କମ୍‌ ରହିପାରେ ।    ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର  ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ଶୀତ ବେଶି ବଢ଼ିବନି । ୨୦/୨୧  ତାରିଖବେଳକୁ ଶୀତ ବେଶି ବଢ଼ିବ । ବଡ଼ଦିନବେଳକୁ ଶୀତ ପ୍ରକୋପ ରହିପାରେ ।