ଭୁବନେଶ୍ୱର,୦୭/୦୩: ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି । ଆସନ୍ତା ୯ ତାରିଖ (ସୋମବାର) ଯାଏ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଉତ୍ତର ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ କାଳବୈଶାଖୀ ପ୍ରଭାବରେ ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଶନିବାର ଓ ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏ ସବୁ ସ୍ଥାନରେ ପବନର ଝଟ୍କା ୪୦ରୁ ୫୦ କିମି ରହିବ । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି ।

ସେହିଭଳି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର କିଛି ସ୍ଥାନରେ ଅପରାହ୍ନରେ ବର୍ଷା ଆଶଙ୍କା ଥିଲେ ବି ଦିନରେ ପ୍ରବଳ ତାତି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ :- କାହାର କେତେ ସମ୍ପତ୍ତି ?: ନଜର ପକାନ୍ତୁ ୫ ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରେ କିଏ ଆଗରେ....