ଭୁବନେଶ୍ୱର/ଫୁଲବାଣୀ/ଜି.ଉଦୟଗିରି, ୧୧/୧୧: ଆସନ୍ତା ଦୁଇ  ଦିନ ରାଜ୍ୟରେ ଶୀତ ଲହରୀ ବହିବ ।  ୫ ସହରରେ ଏହାର ପ୍ରଭାବ ରହିବ ।  କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କିଛି  ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଚଳିତ ବର୍ଷ ପ୍ରଥମଥର ପାଇଁ  ପାରଦ ୧୦ ଡିଗ୍ରୀ ତଳକୁ ଛୁଇଁଛି ।  ଜି ଉଦୟଗିରିରେ ରାତି ତାପମାତ୍ରା  ସବୁଠୁ କମ୍‌ ବା ୮.୪ ଡିଗ୍ରୀ ରହିଥିଲା ।  ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରେକର୍ଡ  ହୋଇଛି । ଶନିବାର ରାତିରେ ଏଠାରେ  ପାରଦ ୧୧ ଡିଗ୍ରୀ ଥିଲା । ଦିନକରେ ୧  ଡିଗ୍ରୀ ଖସିଛି । ଫୁଲବାଣୀରେ ପୂର୍ବରୁ  ୧୨ ଡିଗ୍ରୀ ଥିବାବେଳେ ଏହା ୧୧ ଡିଗ୍ରୀକୁ  ଖସିଛି । ରାଉରକେଲାରେ ୧୩.୨ ଡିଗ୍ରୀ  ଥିବାବେଳେ ଏହା ୧୨.୫ ଡିଗ୍ରୀକୁ  ଖସିଯାଇଛି । କେନ୍ଦୁଝରରେ ୧୪.୬  ଡିଗ୍ରୀରୁ ୧୩.୮ ଡିଗ୍ରୀକୁ ଖସିଛି । କନ୍ଧମାଳରେ ଶୀତ ଲହରୀ ଜାରି  ରହିଛି । ପୂରା ଜିଲ୍ଲା ଶୀତରେ ଥରୁଛି ।  ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ  ପାରଦ ୩ ଡିଗ୍ରୀ ତଳକୁ ଖସି ୮.୪  ଡିଗ୍ରୀରେ ପହଞ୍ଚିଛି । 

ରବିବାର ରାତିରେ ୧୬ ସହରର  ତାପମାତ୍ରା ୧୫ ଡିଗ୍ରୀ ତଳକୁ  ଖସିଥିଲା । ଝାରସୁଗୁଡ଼ାରେ ୧୧.୬,  କିରେଇରେ ୧୨.୨, ସେମିଳିଗୁଡ଼ା,  ରାଉରକେଲା ଓ ଅନୁଗୁଳରେ ୧୨.୬,  ଢେଙ୍କାନାଳରେ ୧୩.୫, ଭବାନୀପାଟଣା  ଓ ସୁନ୍ଦରଗଡ଼ରେ ୧୪ ଡିଗ୍ରୀ,  କୋରାପୁଟରେ ୧୪.୨, ବଲାଙ୍ଗୀରରେ  ୧୪.୫, ଭୁବନେଶ୍ୱରରେ ୧୪.୮ ଓ  ସୋନପୁରରେ ରାତି ତାପମାତ୍ରା ୧୪.୯  ଡିଗ୍ରୀକୁ ଖସିଥିଲା । ଭୁବନେଶ୍ୱରରେ  ଦିନକରେ ରାତି ତାପମାତ୍ରା ପ୍ରାୟ  ୩ ଡିଗ୍ରୀ ଖସିଛି । ଭୁବନେଶ୍ୱରରେ  ସ୍ୱାଭାବିକଠାରୁ ୫.୮ ଡିଗ୍ରୀ କମ୍‌  ତାପମାତ୍ରା ଅନୁଭୂତ ହୋଇଛି ।  ଝାରସୁଗୁଡ଼ାରେ ରାତି ତାପମାତ୍ରା  ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମିଛି ।  କଟକରେ ୩.୬ ଡିଗ୍ରୀ, ଫୁଲବାଣୀ ଓ  ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୩.୧  ଡିଗ୍ରୀ କମ୍‌ ରହିଛି । ଆଗକୁ ମଧ୍ୟ ପାରଦ  ତଳମୁହାଁ ହେବା ସହ ଥଣ୍ଡା ଆହୁରି  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନରେ  ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ମଙ୍ଗଳବାର ଫୁଲବାଣୀ  ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି  ପୂର୍ବାନୁମାନ କରାଯାଇଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  କହିଛନ୍ତି, ଆସନ୍ତା ୧୭ ୧୮ ତାରିଖରେ ରାଜ୍ୟର କିଛି ସ୍ଥାନରେ  ହାଲୁକା ବର୍ଷା ହୋଇପାରେ । ଏହାପରେ ଥଣ୍ଡା ଆହୁରି ବଢ଼ିବ ।