କୋଲକାତା: ରାଜ୍ୟପାଳ ଆର. ଏନ. ରବି ନିଜର ବିଶେଷ ଶକ୍ତିର ବ୍ୟବହାର କରି ମମତା କ୍ୟାବିନେଟ୍କୁ ବରଖାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିବା ମଧ୍ୟରେ ରାଜ୍ୟପାଳ ସମ୍ବିଧାନିକ ଭିଟୋର ବ୍ୟବହାର କରି ରାଜ୍ୟ ବିଧାନସଭାକୁ ଭଙ୍ଗ କରିବାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୭୪(୨)(ଖ) ଅଧୀନରେ ନିଆଯାଇଛି। ମୁଖ୍ୟ ଶାସନ ସଚିବ ଦୁଷ୍ୟନ୍ତ ନାରିୟାଲାଙ୍କ ଦ୍ୱାରା ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଜାରି ଏହି ଆଦେଶ ପରେ ରାଜ୍ୟ ସରକାରଙ୍କ ଅସ୍ତିତ୍ୱ ଶେଷ ହୋଇଯାଇଛି। ରାଜ୍ୟପାଳଙ୍କ ଏହି କଠୋର ପଦକ୍ଷେପ ବଙ୍ଗଳା ରାଜନୀତିରେ ହଲଚଲ୍ ସୃଷ୍ଟି କରିଦେଇଛି,ଯାହାଦ୍ୱାରା କ୍ୟାବିନେଟ୍ ଏବଂ ବିଧାନସଭା ଉଭୟ ତତ୍କାଳ ପ୍ରଭାବରୁ ଭଙ୍ଗ କରିଦିଆଯାଇଛି।
Governor of West Bengal, RN Ravi, has issued an Order dissolving the West Bengal Legislative Assembly with effect from 07 May 2026. pic.twitter.com/IuEAylWege
— ANI (@ANI) May 7, 2026
ସମ୍ବିଧାନ ପ୍ରଦତ୍ତ ବିଶେଷ କ୍ଷମତାର ପ୍ରୟୋଗ କରି ରାଜ୍ୟପାଳ ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରିଛନ୍ତି। ମମତା ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ ତାଙ୍କ କ୍ୟାବିନେଟକୁ ବରଖାସ୍ତ କରିବା ସହିତ ବିଧାନସଭା ଭଙ୍ଗ କରିଛନ୍ତି।
ସେପଟେ ବଙ୍ଗଳା ପରାଜୟ ପରେ, ମମତା ବାନାର୍ଜୀ କହିଥିଲେ ଯେ, ସେ ଏବେ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ । "ଅଖିଳ ଭାରତୀୟ ମେଣ୍ଟର ନେତାମାନେ ସେମାନଙ୍କର ଏକତା ପ୍ରକାଶ କରିବା ପାଇଁ ମୋତେ ଫୋନ୍ କରିଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ମୋ ସହିତ କଥା ହୋଇଥିଲେ।" ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ କ୍ଷମତାରେ ଥିବା ସମୟରେ, ମୁଁ ବହୁତ ସହ୍ୟ କରିଥିଲି । ଏବେ ମୁଁ ଏକ ମୁକ୍ତ ପକ୍ଷୀ, ଜଣେ ସାଧାରଣ ଲୋକ। ମୁଁ ଲଢ଼ିବି। ମୁଁ ରାସ୍ତାରେ ରହି ସମସ୍ତ ଅତ୍ୟାଚାର ବିରୁଦ୍ଧରେ ଲଢ଼ିବି।"
ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ 9 ତାରିଖରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରାୟ 4,000 ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହିତ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର ଆଶା କରାଯାଉଛି।
ଏହାସହ ପଢ଼ନ୍ତୁ : ବଙ୍ଗରେ ନିର୍ବାଚନୀ ହିଂସା : କାଲି ଫୁଟିଥିଲା ଗୁଳି, ଏବେ ପଡ଼ିଲା ବମ୍