ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ଗୋଟିଏ ପରେ ଗୋଟିଏ ହିଂସା ଖବର ସାମ୍ନାକୁ ଆସିବାରେ ଲାଗିଛି । ବୁଧବାର ମଧ୍ୟମଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଯାହାକୁ ନେଇ ଉଷ୍ମତା କମିନଥିବାବେଳେ ଏବେ ପୁଣି ବମିଂ ହୋଇଥିବାର ଖବର ସାମ୍ନାକୁ ଆସିଛି । ହାଓ୍ବଡାରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ଅଭିଯୋଗ ହୋଇଛି କି, ଟିଏମସି କର୍ମୀଙ୍କ ଦ୍ବାରା ଦୁଇଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେମାନେ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି । ସେପଟେ ପୁଲିସ ସ୍ଥାନୀୟ ଅୟ୍ଚଳରେ ମୂତୟନ ହୋଇଛନ୍ତି ।

ହାଓ୍ବଡାର ଶିବପୁରର ଚୌରାବସ୍ତି ଅଞ୍ଚଳରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଠାରେ ବମିଂ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ସେପଟେହାଓଡ଼ା ସିଟି ପୋଲିସ କମିଶନର ଅଖିଳେଶ ଚତୁର୍ବେଦୀ କହିଛନ୍ତି ଯେ ଏହି ଘଟଣା ଏକ ରାଜନୈତିକ ସଂଘର୍ଷ ଯେଉଁଥିରେ ଜଣେ ଆହତ ହୋଇଛନ୍ତି । ସେ କହିଛନ୍ତି, "ଶିବପୁରର ଚୌରାବସ୍ତି ଅଞ୍ଚଳରେ ଏକ ରାଜନୈତିକ ସଂଘର୍ଷ ଘଟିଛି, ଯେଉଁଥିରେ ଜଣେ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ।"

ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା RCB , ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ