ନୂଆଦିଲ୍ଲୀ,୦୪/୦୫; ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ବିଜୟମୁହାଁ ବିଜେପି ।  ହଟିବେ 'ଦିଦି' ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୯୩ ଆସନରେ ଆଗୁଆ ରହିଛି । ଟିଏମସି ୯୬ ଆସନରେ ଲିଡ୍ କରୁଛି । ଯାହା ଟିଏମସିକୁ ଝଟକା ଦେଇଛି । ବଙ୍ଗରେ 'ଦିଦି' ସରକାରର ପତନ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ କରି ସରକାର ଗଢିବ ବିଜେପି । ପ୍ରାୟ  ୨୦୦ ଆସନରେ ଲିଡ୍ କରୁଛି ଗେରୁଆ ଦଳ । କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା ରହିଛି ।  ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ଆରମ୍ଭ ହୋଇଛି ।

ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ । ଅଧିକାରୀ ପୁଣି ଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଥିବା ମଧ୍ୟରେ ଅଧିକାରୀ କହିଛନ୍ତି ଯେ,  ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଏହି ନିର୍ବାଚନରେ ​​ବହୁ ସଂଖ୍ୟକ ମୁସଲିମ ଭୋଟର ତୃଣମୂଳ କଂଗ୍ରେସକୁ ସମର୍ଥନ କରିନାହାଁନ୍ତି । ଭବାନୀପୁରରେ ସମାନ ଧାରା ପରିଲକ୍ଷିତ ହେଉଛି । ମୁଁ ନବମ କିମ୍ବା ଦଶମ ପର୍ଯ୍ୟାୟ ପରେ ଆଗକୁ ବଢ଼ିବି ଏବଂ ଏହି ଆସନରେ ବିଜୟୀ ହେବି । ହିନ୍ଦୁ ଭୋଟ ବିଜେପି ସପକ୍ଷରେ ଏକତ୍ରିତ ହୋଇଛି ।  

ମମତା ବାନାର୍ଜୀ କିନ୍ତୁ ହାର ମାନିବାକୁ ନାରାଜ । ଭୋଟ୍ ଗଣତି ଭିତରେ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁଠି ବିଜେପି ଆଗୁଆ ସେହି ସିଟ୍‌ର ଦେଖାଉଛନ୍ତି ଟ୍ରେଣ୍ଡ୍ । ଟିଏମ୍‌ସି ଆଗୁଆ ଥିବା ସିଟ୍‌ର ଟ୍ରେଣ୍ଡ୍ ଦେଖାଯାଉନି ।  ଯାହା ଚାଲିଛି ସେସବୁ ବିଜେପିର ପ୍ଲାନ୍ ଭୋଟ୍ ଗଣତି କେନ୍ଦ୍ରରେ ନଜର ରଖିବାକୁ ଏଜେଣ୍ଟଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ଏହା ବି ପଢନ୍ତୁ...Tamilnadu: ଯାହା ରଜନୀକାନ୍ତ-କମଲ ହାସନ କରିପାରିଲେନି, ବିଜୟ କରି ଦେଖାଇଲେ...ହେବେ ଅସଲ 'ଥାଲାପତି'  

ପଶ୍ଚିମବଙ୍ଗରେ ୨୯୪ ଆସନରୁ ୨୯୩ଟି ଆସନରେ ଭୋଟ ଗଣତି ଚାଲିଛି । ରାଜ୍ୟର ଫାଲତା ଆସନରେ ଇଭିଏମରେ ହେରଫେର ଓ ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେଠାରେ ମତଦାନକୁ ରଦ୍ଦ କରି ଦେଇଛନ୍ତି । ଏହି ଆସନରେ ଆସନ୍ତା ୨୧ରେ ସାନି ଭୋଟ ଗ୍ରହଣ କରାଯିବ ଏବଂ ୨୪ରେ ଭୋଟ ଗଣତି ହେବ । ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଦଳକୁ ପରାସ୍ତ କରି ଟିଏମସି ୨୦୧୧ ମସିହାରେ କ୍ଷମତାସୀନ ହୋଇଥିଲା । ଟିଏମସି ଚତୁର୍ଥଥର ପାଇଁ କ୍ଷମତା ଦଖଲ କରିବାକୁ ଆଶା ରଖିଛି । ଅନ୍ୟପକ୍ଷରେ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ବଢ଼ାଇଛି ।

ବିଜେପି ଏଥର ରାଜ୍ୟରେ କ୍ଷମତାସୀନ ହେବ ବୋଲି ଦୃଢ଼ ଆଶାବାଦୀ ରହିଛି । ମତଦାନ ପରେ ହୋଇଥିବା ଏକଜିଟ ପୋଲରେ ଅଧିକାଂଶ ସର୍ଭେରେ ବିଜେପି ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି । ୨୦୨୧ ନିର୍ବାଚନରେ ଟିଏମସି ୨୧୫ ଆସନ ପାଇଥିଲା ବେଳେ ବିଜେପି ୭୭ ଆସନରେ ଜିତିଥିଲା । ଟିଏମସିର ସହଯୋଗୀ ଜିଜେଏମ୍ ଏବଂ ସଂଯୁକ୍ତ ମୋର୍ଚ୍ଚାର ଆଇଏସଏଫ ଗୋଟିଏ ଲେଖାଏ ଆସନ ପାଇଥିଲେ । କଂଗ୍ରେସ କିମ୍ବା ବାମଦଳ ଖାତା ଖୋଲିପାରି ନଥିଲେ ।