ନୂଆଦିଲ୍ଲୀ: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ତୃତୀୟ ଦିନର ଖେଳ ଶେଷ ହୋଇଛି। ଫଲୋଅନ୍ କରୁଥିବା ୱେଷ୍ଟଇଣ୍ଡିଜ୍ ଦୁଇ ୱିକେଟ୍ ହରାଇ ୧୭୩ ରନ୍ କରିଛି। ଦଳ ଏପର୍ଯ୍ୟନ୍ତ ଭାରତଠାରୁ ୯୭ ରନ୍ ପଛରେ ଅଛି। ଏହି ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଶକ୍ତି ପ୍ରଦର୍ଶନ କରିଛି। ୩୫ ରନରେ ଦୁଇଟି ୱିକେଟ୍ ହରାଇବା ପରେ, ଜନ୍ କ୍ୟାମ୍ପବେଲ୍ ଏବଂ ଶାଇ ହୋପ୍ ଏବେ ୨୦୭ ବଲରେ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୧୩୮ ରନର ଭାଗୀଦାରି କରିଛନ୍ତି। କ୍ୟାମ୍ପବେଲ୍ ୮୭ ରନ୍ ଏବଂ ହୋପ୍ ୬୬ ରନରେ ଅପରାଜିତ ଅଛନ୍ତି। ତେଜନାରାୟଣ ଚନ୍ଦ୍ରପଲଙ୍କୁ ସିରାଜ ଆଉଟ୍ କରିଥିଲେ । ଆଲିକ୍ ଆଥାନଜେ ୭ ରନ୍ କରି ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ । 

ଭାରତ ତା’ର ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୫୧୮ ରନ୍ କରି ଘୋଷଣା କରିଥିଲା। ସେତେବେଳେ ୱେଷ୍ଟଇଣ୍ଡିଜ୍ ୨୪୮ ରନ୍ ରେ ଅଲ୍ ଆଉଟ୍ ହୋଇଥିଲା। ଫଲୋଅନ୍ ଏଡାଇବା ପାଇଁ ସେମାନଙ୍କୁ ୩୧୯ ରନ୍ ଆବଶ୍ୟକ ଥିଲା, କିନ୍ତୁ ୭୧ ରନ୍ କମ୍ ପଡ଼ିଥିଲା। ଭାରତ ପ୍ରଥମ ଇନିଂସରେ ୨୭୦ ରନର ଲିଡ୍ ନେଇ ୱେଷ୍ଟଇଣ୍ଡିଜକୁ ଫଲୋଅନ୍ କରିବାକୁ ବାଧ୍ୟ କରିଥିଲା। ତଥାପି ତୃତୀୟ ଦିନରେ, ହୋପ୍ ଏବଂ କ୍ୟାମ୍ପବେଲ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏବଂ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥିଲେ ।  କ୍ୟାମ୍ପବେଲ ଏପର୍ଯ୍ୟନ୍ତ ନଅ ଚୌକା ଏବଂ ଦୁଇଟି ଛକା ମାରିଥିବା ବେଳେ  ହୋପ୍ ଆଠ ଚୌକା ଏବଂ ଦୁଇଟି ଛକା ମାରିଥିଲେ । ରବିବାର ୧୪୦ ରନରେ ୪ ୱିକେଟରେ ଖେଳ ଆରମ୍ଭ କରି ୱେଷ୍ଟଇଣ୍ଡିଜ ଅବଶିଷ୍ଟ ୬ ୱିକେଟ ହରାଇ ୧୦୮ ରନରେ ପହଞ୍ଚିଥିଲା। କୁଲଦୀପ ଯାଦବ ଘାତକ ବୋଲିଂ କରି ପାଞ୍ଚ ୱିକେଟ ନେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ପାଞ୍ଚ ୱିକେଟ ଥିଲା । 

କୁଲଦୀପ ଯାଦବ ରବିବାର ୱେଷ୍ଟଇଣ୍ଡିଜକୁ ପ୍ରଥମ ତିନୋଟି ଝଟକା ଦେଇଥିଲେ । ଶାଇ ହୋପ (୩୬), ଟେଭିନ ଇମଲାଚ (୨୧) ଏବଂ ଜଷ୍ଟିନ ଗ୍ରୀଭସ (୧୭)ଙ୍କୁ ଆଉଟ୍ କରିଥିଲେ। ସିରାଜ ପରେ ଜୋମେଲ ୱାରିକାନଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ।  ବୁମରା ଖାରି ପିଏରେଙ୍କୁ ବୋଲ୍ଡ କରିଥିଲେ। ଶେଷରେ କୁଲଦୀପ ଜାଡେନ ସିଲ୍ସ (୧୩)ଙ୍କୁ ଏଲବିଡବ୍ଲ୍ୟୁ କରି ୱେଷ୍ଟଇଣ୍ଡିଜର ଇନିଂସକୁ ୮୧.୫ ଓଭରରେ ୨୪୮ ରନରେ ଶେଷ କରିଥିଲେ।ଆଣ୍ଡରସନ୍ ଫିଲିପ୍ ୨୪ ରନ୍ କରି ଅପରାଜିତ ରହିଥିଲେ। ଏହା ପୂର୍ବରୁ ଜନ୍ କ୍ୟାମ୍ପବେଲ୍ ୧୦, ତେଜନାରାୟଣ ଚନ୍ଦ୍ରପଲ ୩୪ ଏବଂ ଆଲିକ୍ ଆଥାନଜେ ୪୧ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ରୋଷ୍ଟନ୍ ଚେଜ୍ ୧୦ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ତିନୋଟି ୱିକେଟ୍ ନେଇଥିଲେ । କୁଲଦୀପ ଯାଦବ, ବୁମରା ଏବଂ ସିରାଜ ପ୍ରତ୍ୟେକ ଗୋଟିଏ ୱିକେଟ୍ ନେଇଥିଲେ।