ନୂଆଦିଲ୍ଲୀ,୨୧/୦୫; ପ୍ରତ୍ୟେକ ଅଭିଭାବକ ପିଲାଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଭଲପୁଅ ବା ଝିଅ ହେବା ପାଇଁ କେଉଁ ଗୁଣ ରହିବା ଦରକାର । ତାହା ଆପଣମାନେ ଶୁଣିଥିବେ ନିଶ୍ଚୟ । କିନ୍ତୁ ପିଲାମାନେ ଅଭିଭାବକଙ୍କଠାରୁ ଅନେକ ଆଶା ରଖିଥାନ୍ତି । ପିଲାଙ୍କର ସେହି ଆଶା ପୂରଣ ନ ହେଲେ ଉଭୟ ସମ୍ପର୍କ ମଧ୍ୟରେ କ୍ରମଶଃ ଦୂରତା ଆସିବା କଥା ଜାଣନ୍ତି କି ? ପିଲା ବଢିବା ସହ ଅଭିଭାବକଙ୍କ ମନରେ ସେମାନଙ୍କୁ ନେଇ ଅନେକ ଆଶା ବଢିଥାଏ । ଏକଥା ସମସ୍ତେ ଜାଣନ୍ତି କିନ୍ତୁ ଅଭିଭାବକଙ୍କୁ ନେଇ ପିଲାଙ୍କ ଭିତରେ ଥିବା ଆଶା ବିଷୟରେ ଖୁବ୍ କମ୍ ବାପାମା’ ଜାଣିଥାନ୍ତି । ସେହି ଆଶା ପୂରଣ ନ ହେବା ଦ୍ୱାରା ପିଲାର କୋମଳ ହୃଦୟ ଭାଙ୍ଗି ଯାଇଥାଏ । ଚାଲନ୍ତୁ ଜାଣିବା ବାପାମା'ଙ୍କଠାରୁ ପିଲାଙ୍କର କ’ଣ ରହିଥାଏ ଆଶା ।
ସମାଜର ସହଯୋଗ ଓ ସମ୍ମାନ ଏକଥା ସତ ଯେ ପିଲାଙ୍କଠାରୁ ବାପାମା’ଙ୍କୁ ଅଧିକ ଭଲ କେହି ପାଇନଥାନ୍ତି । କିନ୍ତୁ ସେମାନଙ୍କର କିଛି କଥା ପିଲାଙ୍କ ମନରେ ଗଭୀର ରେଖାପାତ କରିଥାଏ । ଯଦି କେତେବେଳେ ସମାଜର ଚାପରେ ପଡି ଆପଣ ପିଲାର ତୁଳନା ନକାରାତ୍ମକ ଭାବେ ଅନ୍ୟ କାହାର ପିଲା ସହ କରନ୍ତି, ତେବେ ଆପଣଙ୍କ ସନ୍ତାନର ହୃଦୟ ଭାଙ୍ଗି ଯାଇଥାଏ । ପ୍ରତିଟି ପିଲା ସମ୍ପର୍କୀୟଙ୍କ ଭିତରେ ନିଜ ଭାବନାର ସମ୍ମାନ ଆଶା କରିଥାନ୍ତି । ଅପମାନ ନୁହେଁ ।
ସାଙ୍ଗ ପରି ବ୍ୟବହାର ଆଜିର ପିଲାମାନେ ଲାଳନପାଳନ କ୍ଷେତ୍ରରେ ବାପାମା’ଙ୍କ ତାଗିଦା ନୁହେଁ,ବରଂ ସାଙ୍ଗ ଭାବେ ବ୍ୟବହାର ଚାହୁଁଛନ୍ତି । କାରଣ ପିଲାମାନେ ନିଜର ସମସ୍ତ କଥାକୁ ବାପାମା’ଙ୍କ ପାଖରେ ପ୍ରକାଶ କରିବାକୁ ଚାହାନ୍ତି । ଏହାଦ୍ୱାରା ସେମାନେ ନିଜ ମନକୁ ହାଲ୍କା କରିବାକୁ ଚାହାଁନ୍ତି । ପିଲାଙ୍କ ବିକାଶ ପାଇଁ ଅଭିଭାବକ ସାଙ୍ଗ ଭାବେ ସହଯୋଗ କରିବା ଜରୁରି ।
ବିନା ସର୍ତ୍ତରେ ଭଲପାଇବା ମା’ବାପା ପିଲାକୁ ବିନା ସର୍ତ୍ତରେ ଭଲପାଇଥାନ୍ତି । କିନ୍ତୁ ସେମାନେ ଯଦି ପିଲାକୁ କହିବେ ପରୀକ୍ଷାରେ ଏତିକି ମାର୍କ ଆଣିଲେ ମୋବାଇଲ୍ ଦେବୁ । ଯଦି କୌଣସି କାରଣରୁ ସେତିକି ମାର୍କ ନ ଆସେ ତେବେ ମୋବାଇଲ୍ ଫେରାଇନବୁ । ଏହି କ୍ଷେତ୍ରରେ ପିଲାକୁ ଲାଗିଥାଏ ଯେ ବାପାମା’ତାକୁ ଭଲ ପାଉନାହାନ୍ତି । ତେଣୁ ପିଲାକୁ କିଛି ଜିନିଷ ଦେବା ବେଳେ କୌଣସି ସର୍ତ୍ତ ନ ରଖିବାକୁ ପ୍ରୟାସ କରନ୍ତୁ ।
ସୌକ୍ ପୂରଣ କରନ୍ତୁ ପ୍ରତିଟି ପିଲା ଆଶା ରଖୁଛନ୍ତି ଯେ ମା’ବାପା ସେମାନେ ସୌକ୍ ପୂରଣ ପାଇଁ ସହଯୋଗ କରିବେ । କିନ୍ତୁ ଏହାକୁ ନଜରଅନ୍ଦାଜ କଲେ ସେମାନେ ସହ୍ୟ କରିପାରି ନଥାନ୍ତି । ବରଂ କ୍ରମଶଃ ବାପାମା’ଙ୍କଠାରୁ ଦୂରେଇ ଚାଲନ୍ତି ।
ଉତ୍ସାହ ବଢାନ୍ତୁ ‘ଏ କାମ ତୋ ଦ୍ୱାରା ହବନି’ । ଏପରି କଥା ପିଲାର ମନକୁ ଖୁବ୍ ପ୍ରଭାବିତ କରିଥାଏ । ଏଭଳି ନକାରାତ୍ମକ ମନ୍ତବ୍ୟକୁ ସେ ସହଜରେ ଭୁଲିପାରେନା । ତେଣୁ ବାପାମା’ ପିଲାକୁ ଏପରି ମନ୍ତବ୍ୟ ଦେବାଠାରୁ ଦୂରେଇ ରହିବା ଉଚିତ୍ । ବରଂ ପରିସ୍ଥିତି ଯାହା ହେଉନା କାହିଁକି କାମ କରିବାକୁ ପିଲା ଭିତରେ ଉତ୍ସାହ ଭରିବା ଉଚିତ୍ ।