ଆପଣ କେବେ ଭାବିଛନ୍ତି କି, ଆମ ଖାଦ୍ୟର ସବୁଠାରୁ ସାଧାରଣ ଅଂଶ ହେଉଛି ଚିନି ଏବଂ ଲୁଣ । ଯଦି ଆମେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖାଇବା ବନ୍ଦ କରିଦେଉ, ତେବେ ଶରୀର ଉପରେ କ'ଣ ପ୍ରଭାବ ପଡ଼ିବ? ଚିନି ଏବଂ ଲୁଣ ଦୈନନ୍ଦିନ ଜୀବନରେ ଏତେ ଗଭୀର ଭାବରେ ଜଡିତ ଯେ, ଆମେ ପ୍ରାୟତଃ ବୁଝିପାରୁନାହୁଁ ଯେ ଏଗୁଡ଼ିକ ଆମ ଶରୀର ପାଇଁ କ'ଣ କରୁଛି। ଚା'ରେ ଚିନି, ଲଙ୍କା ସାଙ୍ଗକୁ ଲୁଣ, ମିଠା ଏବଂ ଫାଷ୍ଟଫୁଡ୍ , ସବୁଥିରେ ଏହି ଦୁଇଟିର ଯାଦୁ ଲୁଚି ରହିଛି । କିନ୍ତୁ ସ୍ୱାଦର ଏହି ଯାଦୁ କେତେବେଳେ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ, ତାହା କିଏ ବା ଜାଣିଛି ।
ପୁଷ୍ଟିସାର ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି କେବଳ ୩୦ ଦିନ ପାଇଁ ଚିନି ଏବଂ ଲୁଣ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଏ , ତେବେ ଶରୀରରେ ଅନେକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଯାଏ ଏବଂ ସେଥିମଧ୍ୟରୁ ଅଧିକାଂଶ ଲାଭଦାୟକ । ଆସନ୍ତୁ ଜାଣିବା ଏହି ପରିବର୍ତ୍ତନଗୁଡ଼ିକ କ’ଣ ଏବଂ ଏହି ଛୋଟ ବଳିଦାନ ଆପଣଙ୍କ ଶରୀରକୁ କିପରି ଏକ ବଡ଼ ଉପହାର ଦେଇପାରେ ।
ରକ୍ତଚାପ ନିୟନ୍ତ୍ରଣ ହୋଇଯାଏ-
ଲୁଣରେ ଅଧିକ ପରିମାଣର ସୋଡିୟମ୍ ଥାଏ, ଯାହା ଉଚ୍ଚ ରକ୍ତଚାପର ଏକ ପ୍ରମୁଖ କାରଣ । ଯେତେବେଳେ ଆପଣ ଲୁଣ ଖାଇବାକୁ ସୀମିତ କରନ୍ତି କିମ୍ବା ବନ୍ଦ କରନ୍ତି, ରକ୍ତଚାପ ଧୀରେ ଧୀରେ ସ୍ୱାଭାବିକ ହୋଇଯାଏ। କାରଣ ଚିନି ମଧ୍ୟ ପରୋକ୍ଷ ଭାବରେ ରକ୍ତଚାପକୁ ବୃଦ୍ଧି କରେ । ଯାହା ଧମନୀକୁ କଠିନ କରିପାରେ ।
ଇନସୁଲିନ୍ ସ୍ତର ଏବଂ ମଧୁମେହ ଆଶଙ୍କା ହ୍ରାସ କରେ-
ଚିନି ଛାଡିବା ଦ୍ୱାରା, ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ । ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରେ ଏବଂ ଟାଇପ୍-୨ମଧୁମେହର ଆଶଙ୍କା ହ୍ରାସ କରେ। ଲୁଣ ସହିତ ଚିନି ଛାଡିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୁଏ।
ଓଜନ ହ୍ରାସ ଆରମ୍ଭ ହୁଏ-
ଯେତେବେଳେ ଆପଣ ପ୍ରକ୍ରିୟାକୃତ ବା ପ୍ୟାକେଜ୍ ଫୁଡ୍, ଲୁଣିଆ ଖାଦ୍ୟ ଏବଂ ମିଠା ପରିତ୍ୟାଗ କରନ୍ତି, ଶରୀରରେ କ୍ୟାଲୋରି ଗ୍ରହଣ ହ୍ରାସ ପାଏ । ଏହା ଯୋଗୁଁ, ଶରୀର ସଂରକ୍ଷିତ ଚର୍ବିକୁ ଶକ୍ତି ଭାବରେ ବ୍ୟବହାର କରିବା ଆରମ୍ଭ କରେ ଏବଂ ଓଜନ ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରେ ।
ଚର୍ମ ଏବଂ ମୁହଁରେ ଚମକ ଆସିବା ଆରମ୍ଭ ହୁଏ-
ଚିନି ଏବଂ ଲୁଣ ଉଭୟ ଚର୍ମକୁ ଡିହାଇଡ୍ରେଟ୍ କରିପାରନ୍ତି । ଯାହା ଫଳରେ ତ୍ୱଚାରେ କୁଞ୍ଚନ, ବ୍ରଣ ହେବା ସହ ଶୁଷ୍କ ମଧ୍ୟ ଦେଖାଯାଏ । ଯେତେବେଳେ ଏଗୁଡ଼ିକ ବନ୍ଦ ହୋଇଯାଏ, ଚର୍ମ ପୁଣି ଥରେ ଆର୍ଦ୍ରତା ପାଏ ଏବଂ ଏକ ପ୍ରାକୃତିକ ଚମକ ଦେଖାଯାଏ।
ମାନସିକ ଚାପ କମିଯାଏ-
ଅତ୍ୟଧିକ ଚିନି ମନକୁ ଅଧିକ ଉତ୍ତେଜିତ ଏବଂ କ୍ଳାନ୍ତ କରିଥାଏ। ଅତ୍ୟଧିକ ଲୁଣ ଶରୀରକୁ ଅଳସୁଆ ମଧ୍ୟ କରିପାରେ। ଗୋଟିଏ ମାସ ପାଇଁ ଏଗୁଡ଼ିକୁ ଛାଡ଼ି ଦେବା ଦ୍ୱାରା ମନରେ ସ୍ପଷ୍ଟତା ଆସିଥାଏ ଏବଂ ଶରୀର ଅଧିକ ସକ୍ରିୟ ଏବଂ ଶକ୍ତିଶାଳୀ ଅନୁଭବ କରିଥାଏ ।