ମୁମ୍ୱାଇ : କମେଡି କିଙ୍ଗ୍ କୁହାଯାଉ ଥିବା କପିଲ ଶର୍ମା ତାଙ୍କ ଶୋ’କୁ ମନୋରଞ୍ଜନ ଜଗତର ଅନେକ ବଡ଼ ବଡ଼ ଅତିଥିଙ୍କୁ ଡାକିଛନ୍ତି, ସେମାନେ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ, କ୍ରୀଡା ଜଗତର ରୋହିତ ଶର୍ମା ଓ ଯୁବରାଜ ସିଂହ ଇତ୍ୟାଦି। କିନ୍ତୁ କପିଲ ଯାହାଙ୍କର ପ୍ରଶଂସକ ଥିଲେ, ତାଙ୍କୁ କେବେବି ତାଙ୍କ ଶୋ'କୁ ଆଣି ପାରି ନଥିଲେ। କିନ୍ତୁ ତାଙ୍କ ଠାରୁ ପାଇଥିବା ସପ୍ରାଇଜକୁ କମେଡି କିଙ୍ଗ୍ କପିଲ କେବେ ଭୁଲି ପାରି ନାହାନ୍ତି। ସେହି ସ୍ୱତନ୍ତ୍ର ବ୍ୟକ୍ତି ଥିଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର।

କପିଲ କମେଡି ସହ ଗୀତ ଗାଇବାକୁ ମଧ୍ୟ ପସନ୍ଦ କରନ୍ତି ଏବଂ ସେ ତାଙ୍କର ଅନେକ ଶୋ'ରେ ଗୀତ ମଧ୍ୟ ଗାଇଛନ୍ତି ଏବଂ ସେ ନିଜେ ଲତା ମଙ୍ଗେସକରଙ୍କ ଜଣେ ବଡ଼ ପ୍ରଶଂସକ। ସେ ତାଙ୍କର ଏକ ଶୋ' ସମୟରେ, ଲତା ମଙ୍ଗେସକରଙ୍କ ସହ ଆଲୋଚନା ଓ ସାକ୍ଷାତର କଥା ସେୟାର କରି ଥିଲେ।

କପିଲ ଶର୍ମା ତାଙ୍କର ଏକ ଏପିସୋଡରେ ଲତା ମଙ୍ଗେସକରଙ୍କ ବିଷୟରେ କହିଥିଲେ ଯେ , ଥରେ ତାଙ୍କ ଶୋ'ର ସେଟରେ ନିଆଁ ଲାଗି ଯାଇଥିଲା। ସେ ଖୁବ୍ ଚିନ୍ତାରେ ଥିଲେ। କୌଣସି ସ୍ଥାନକୁ ନିଜେ ଗାଡ଼ି ଚଲାଇ ଯାଉଥିଲେ। ସେତେବେଳେ ତାଙ୍କ ପାଖକୁ ଏକ ଲ୍ୟାଣ୍ଡଲାଇନ୍ ନମ୍ୱରର ଫୋନ୍ ଆସିଲା। କପିଲ ଗାଡ଼ିକୁ ସାଇଡ୍ କରି କଥାବାର୍ତ୍ତା ହେଲେ । ସେ ପଚାରିଲେ କିଏ ? ଅନ୍ୟ ପାର୍ଶ୍ୱରୁ ଏକ ସ୍ୱର ଆସିଲା, "ମୁଁ ଲତା ମଙ୍ଗେସକର ।" ଏହା ଶୁଣି କପିଲ ବହୁତ ଖୁସି ହୋଇଗଲେ । ଲତା ମଙ୍ଗେସକର ସେଟରେ ଅଗ୍ନିକାଣ୍ଡ ପାଇଁ ଦୁଃଖ ପ୍ରକାଶ କରି ଫୋନ୍ କରିଥିଲେ, କିନ୍ତୁ ସେହି ଗୋଟିଏ ଫୋନ୍ କପିଲଙ୍କ ଦିନକୁ ଖୁବ୍ ସ୍ମୃତିମୟ କରି ଦେଇଥିଲା। ସେ ଖୁବ୍‌ ଖୁସି ହୋଇଥିଲେ।

କପିଲ ଆହୁରି କହିଛନ୍ତି – ଦିନେ ତାଙ୍କର ଜନ୍ମଦିନ ଥିଲା । ତାଙ୍କୁ ପୁଣି ଲତା ମଙ୍ଗେସକରଙ୍କ ଫୋନ୍ ଆସିଥିଲା, ସେ ତାଙ୍କୁ କହି ଥିଲେ - ସେ ଏକ ଗୀତ ରେକର୍ଡ କରିବା ପାଇଁ ଲୋଖଣ୍ଡୱାଲାକୁ ଆସିଛନ୍ତି । ତାଙ୍କୁ ଆସି ଦେଖା କର। ଯେତେବେଳେ କପିଲ ତାଙ୍କୁ ଭେଟିବାକୁ ଗଲେ, ଲତା ମଙ୍ଗେସକର ତାଙ୍କୁ ଏକ ସୁନ୍ଦର ଘଣ୍ଟା ଉପହାର ଦେଇଥିଲେ, ଯାହାକୁ ସେ ବହୁତ କମ୍ ପିନ୍ଧନ୍ତି, ଯାହାକି ଏହା ଖରାପ ହୋଇ ନଯାଉ। କପିଲ ଲତା ମଙ୍ଗେସକରଙ୍କ ଏହି ସ୍ନେହ ଶ୍ରଦ୍ଧାକୁ କେବେ ଭୁଲି ପାରି ନାହାନ୍ତି।