ଭୁବନେଶ୍ୱର,୨୫/୧୨ : ଗଙ୍ଗୁଆ ନାଳର ପୁନରୁଦ୍ଧାର ପ୍ରକଳ୍ପର ସମୀକ୍ଷା ପାଇଁ ବସିଥିବା ବୈଠକରେ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ । ଗଙ୍ଗୁଆ ନାଳକୁ ପ୍ରଦୂଷଣ ମୁକ୍ତ କରି ନୂଆ ରୂପ ଦେବାକୁ ଅଧିକାରୀମାନେ ପ୍ରେଜେଣ୍ଟେସନ୍‌ ଦେଖାଉଛନ୍ତି । କିନ୍ତୁ ଏବେ ଯାଏ ଜବରଦଖଲ ଉଚ୍ଛେଦ, ଜମି ଅଧିଗ୍ରହଣ ବା ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନି । କେବେ ଏହା ଆରମ୍ଭ ହେବ ପ୍ରଶ୍ନ କରି ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଉନ୍ନୟନ କମିଶନର । 

ଗଙ୍ଗୁଆ ନାଳର ପୁନରୁଦ୍ଧାର ଓ ବିକାଶ ପାଇଁ ବିସ୍ତୃତ ଯୋଜନା ହୋଇଛି । ଏହାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରି ଏହାକୁ ଅରବାନ୍‌ ୱାଟର ୱେ ପାଇଁ ଗଢ଼ି ତୋଳିବାକୁ ପରିକଳ୍ପନା କରାଯାଇଛି । ଟାଟା କନ୍‌ସଲଟିଙ୍ଗ ଇଞ୍ଜିନିୟର ଏହି ପ୍ରକଳ୍ପ ଡିଜାଇନ୍‌ ଦାୟିତ୍ୱ ନେଇଛି। ଗଙ୍ଗୁଆକୁ ଛଡ଼ା ଯାଉଥିବା ସ୍ୱେରେଜ୍‌ ବର୍ଜ୍ୟ ଓ ଶିଳ୍ପାଞ୍ଚଳର ବର୍ଜ୍ୟ ଜଳକୁ ଟ୍ରିଟ୍‌ମେଣ୍ଟ କରି ଛାଡ଼ିବା, ନାଳର ଦୁଇ ପାର୍ଶ୍ୱରେ ସୁରକ୍ଷିତ କାନ୍ଥ ତିଆରି, ପ୍ରତିବନ୍ଧକ ପୋଖରୀ(ରିଟେନସନ୍‌ ପଣ୍ଡ) ତିଆରି, ସହରରୁ ଯାଉଥିବା ବନ୍ୟା ଜଳର ପରିଚାଳନା, ଗଙ୍ଗୁଆର ୯୦ମିଟର ଚଉଡ଼ା ଅଞ୍ଚଳକୁ ପୁନରୁଦ୍ଧାର କରିବା ପାଇଁ ଯୋଜନା ହୋଇଛି । କିନ୍ତୁ ଏବେଯାଏ କୌଣସି କାମ ଆରମ୍ଭ ହୋଇପାରିନି । ଏହାକୁ ନେଇ ରାଜୀବ ଭବନ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ଜନସ୍ୱାସ୍ଥ୍ୟ ବିଭାଗ, ଡ୍ରେନେଜ୍‌ ବିଭାଗ, ଜଳସମ୍ପଦ ବିଭାଗ, ୱାଟ୍‌କୋ, ବିଏମ୍‌ସି ଓ ବିଡିଏର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପ୍ରକଳ୍ପର କୌଣସି ଅଗ୍ରଗତି ହେଉନଥିବାରୁ ବୈଠକରେ ଉନ୍ନୟନ କମିଶନର ଅସନ୍ତୋଷ ପ୍ରକାଶ କରିଥିଲେ । 

ବିଡିଏ ଉପାଧ୍ୟକ୍ଷ ଏ ଥିରୁମାଲା ନାୟକ ବୈଠକରେ କହିଥିଲେ, ପରିବେଶ ସମ୍ବେଦନ ଅଞ୍ଚଳ(ଇଏସଜେଡ୍‌)ର ରାସ୍ତା ଓ ଡ୍ରେନେଜ୍‌ ପାଇଁ ସିଡିପି ୨୦୧୦ ଅନୁସାରେ ମାଷ୍ଟରପ୍ଲାନ ତିଆରି ଚାଲିଛି । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଥିଲେ, ସହରୀ ବନ୍ୟା ଯୋଗୁ ବିଏମ୍‌ସି ଅଞ୍ଚଳରେ ପଡ଼ିବାକୁ ଥିବା ପ୍ରଭାବ ଆକଳନ ପାଇଁ ଆଇଆଇଟି ରୁର୍‌କୀ ସହ ଚୁକ୍ତି ହୋଇଛି । ଜନସ୍ୱାସ୍ଥ୍ୟର ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ, ସିଙ୍ଗାପୁରର ଏକ ସଂସ୍ଥା ଜେଏନଏନୟୁଆରଏମ୍‌ ଅଧୀନରେ ଗଙ୍ଗୁଆ ପୁନରୁଦ୍ଧାର ଉପରେ ଅନୁଧ୍ୟାନ କରିଛି । ଗଙ୍ଗୁଆ ପୁନରୁଦ୍ଧାର ପାଇଁ ଉଭୟ ସରକାରୀ ଓ ବେସରକାରୀ ଜମି ଦରକାର । ଯେଭଳି ସ୍ୱେରେଜ୍‌ ପାଣି ବା ପାଇଖାନା ବର୍ଜ୍ୟ ଡ୍ରେନ୍‌ରେ ଭାସି ଏଥିରେ ନ ମିଶିବ, ତାକୁ ଧ୍ୟାନ ଦେବାକୁ ହେବ । ପ୍ଲାନିଂ ଆଣ୍ଡ ଡିଜାଇନ୍‌ ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବୈଠକରେ ଉପସ୍ଥିତ ଥିଲେ । ଜବରଦଖଲ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଯୋଗୁ ପୁନରୁଦ୍ଧାର କାମ ଆଗେଇ ପାରୁନି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ । 

ୱାଟ୍‌କୋ ଏମ୍‌ଡି କହିଥିଲେ, ୨୦୨୭ ସୁଦ୍ଧା ସହରର ସବୁ ଘର ସ୍ୱେରେଜ୍‌ ପାଇପଲାଇନ୍‌ ସହ ସଂଯୋଗ ସରିବ । ସବୁ ଡ୍ରେନ୍‌ର ସ୍ୱେରେଜ୍‌ ପାଣି ଗଙ୍ଗୁଆ ନାଳରେ ପହଞ୍ଚିବା ଆଗରୁ ଏହାକୁ ଟ୍ରିଟମେଣ୍ଟ କରାଯିବ । ଏବେ ୭୦% କାମ ସରିଲାଣି । ଆଉ ୬୦ହଜାର ଘର ସ୍ୱେରେଜ୍‌ ଲାଇନ୍‌ ସହ ଯୋଡ଼ିହେବା ବାକି ଅଛି ।