ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ବିଜେପି ମୁଖିଆ ଘୋଷଣା କେବେ ? ନିଗମ ଓ ବୋର୍ଡକୁ ଚାହିଁ ଦିନ ଗଣୁଛନ୍ତି ନେତା...

Published By : Prameya | May 5, 2025 11:44 AM

ଭୁବନେଶ୍ୱର, ୦୫/୦୫ : ଏଇ ମାସ ଶେଷ ବେଳକୁ ଘୋଷଣା ହୋଇଯିବ... । ନଡ୍ଡା ଜୀ ଆସୁଛନ୍ତି, ସେ ଘୋଷଣା କରିବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଆସି ଘୋଷଣା କରିବେ । ଆସନ୍ତା ସପ୍ତାହ ଭିତରେ ସଭାପତି ଚୟନ ସରିଯିବ । ଏମିତି କଣ୍ଟ ପରେ କଣ୍ଟ, ବିବୃତି ପରେ ବିବୃତି ଶୁଣି ଶୁଣି ବିବ୍ରତ ହେଲେଣି ବିଜେପିର ତଳସ୍ତରର ନେତା ଓ କର୍ମୀ । ଆଗଧାଡ଼ିର ନେତାଙ୍କ ଧୈର୍ଯ୍ୟଚ୍ୟୁତି ହେଲାଣି । ନା ରାଜ୍ୟ ସଭାପତି ପଦରେ କାହାକୁ ନୂଆ ନିଯୁକ୍ତି ମିଳୁଛି ନା ନିଗମ ଓ ବୋର୍ଡରେ ଥଇଥାନ କେହି ହେଉଛି । ଚାତକ ଭଳି ଚାହିଁ ବସିଛନ୍ତି ଦଳର ନେତା । ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି । ଇଂରାଜୀ ନବବର୍ଷ ଯାଇ ଓଡ଼ିଆ ନବବର୍ଷ ଗଲାଣି । ରାଜ୍ୟରେ ବିଜେପି ମୁଖିଆ ଚୟନ ହୋଇପାରୁନି । ଏଥର ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ସରକାର ଗଢ଼ିଛି । ସରକାର ଓ ସଂଗଠନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି । ଉଭୟଙ୍କ ସମନ୍ୱୟରେ ରାଜ୍ୟରେ ସରକାର ଚାଲିବ । କେନ୍ଦ୍ରରୁ ଯେଉଁ ନେତା ରାଜ୍ୟକୁ ଆସିଲେ ଏହି କଥା ଦୋହରାଉଛନ୍ତି । ହେଲେ ରାଜ୍ୟରେ ସଂଗଠନର ମୁଖିଆ ନିଯୁକ୍ତି ଘୁଞ୍ଚି ଚାଲିଛି । ଏହାର କାରଣ କ’ଣ କେହି ନେତା ବି ଉଁ ଚୁଁ କରୁନାହାନ୍ତି । 

ଦୀର୍ଘବର୍ଷର ବ୍ୟବଧାନ ପରେ ରାଜ୍ୟରେ ନିଜ ଦମରେ ବିଜେପି ସରକାର ଗଢ଼ିଲା । ଦଳର ନେତା ଓ କର୍ମୀ ପୂରା ଜୋସ୍‌ରେ ରହିଲେ । ଦଳ ପାଇଁ କାମ କରିଥିବା ନେତାମାନେ ପୁରସ୍କାର ପାଇବାକୁ ଆଶା ବାନ୍ଧି ବସିଲେ । ହେଲେ ଏଯାଏ ଫଳ ଶୂନ । ଦଳର ରାଜ୍ୟ ମୁଖିଆ ନାଁରେ ମୋହର ବସି ପାରୁନି । ଡିସେମ୍ବର ମାସରେ ନୂଆ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କୁହାଗଲା । କିନ୍ତୁ ଦିଲ୍ଲୀ ନିର୍ବାଚନରେ କେନ୍ଦ୍ରୀୟ ନେତାମାନେ ବ୍ୟସ୍ତ ଅଛନ୍ତି ବୋଲି କହି ଏ ପ୍ରସଙ୍ଗକୁ ଏଡ଼ାଇ ଦିଆଗଲା । ଜାନୁୟାରୀ ମାସରେ ଉତ୍କର୍ଷ ଓଡ଼ିଶା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସମସ୍ତେ ବ୍ୟସ୍ତ ରହିଲେ । ଏଥିପାଇଁ ନୂଆ ସଭାପତି ଘୋଷଣା ବିଳମ୍ବିତ ହେଉଛି ବୋଲି ସଫେଇ ଦିଆଗଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସମ୍ବଲପୁର ଗସ୍ତ ସମୟରେ ମୁଖିଆଙ୍କ ନାଁ ଉପରେ ମୋହର ବାଜିବ ଓ ଘୋଷଣା ହେବ ବୋଲି ପୁଣି କୁହାଗଲା । ଏପ୍ରିଲ ୧୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ସମୟରେ ଚିତ୍ର ଶତପ୍ରତିଶତ ସ୍ପଷ୍ଟ ହେବ ବୋଲି କହିଲେ । ଦିଲ୍ଲୀରୁ ନେଇ ଭୁବନେଶ୍ୱର, ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଭିତରେ ଏକାଧିକ ଥର ରୁଦ୍ଧଦ୍ୱାର ବୈଠକ ବସିଛି । ନୂଆଦିଲ୍ଲୀରେ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର କୋର ଗ୍ରୁପ୍‌ର ବରିଷ୍ଠ ନେତାମାନେ ଏକାଠି ବସି ଆଲୋଚନା କରିଛନ୍ତି । ଖୁବ୍‌ଶୀଘ୍ର ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ରାଜ୍ୟର ସଂଗଠନ ଦାୟିତ୍ୱରେ ଥିବା ପ୍ରଭାରୀ ବିଜୟପାଲ ସିଂ ତୋମାର କହି ଆସୁଛନ୍ତି । କିନ୍ତୁ ଫଳ ଶୂନ । ଆଜିଯାଏ ଘୋଷଣା ଝୁଲିକି ରହିଛି । 

ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଦୁଇ ବିଜେଡି ଦଳ ଡିଆଁଙ୍କୁ ଆଣି ତରବରିଆ ଭାବେ ରାଜ୍ୟସଭାକୁ ପଠାଇଲେ । ହେଲେ ଦଳକୁ ନିର୍ବାଚନରେ ଜିତାଇବାରେ ଝାଳବୁହା ପରିଶ୍ରମ କରିଥିବା ବରିଷ୍ଠ ନେତା ଓ ସଂଗଠକଙ୍କୁ ଏବେ ଯାଏ ଥଇଥାନ କରାଗଲାନି । ବୋର୍ଡ ଓ ନିଗମର ଲଡୁ ବଣ୍ଟା ହୋଇନି । ଆଉ ଦୁଇ ମାସ ପରେ ରାଜ୍ୟରେ ନୂଆ ସରକାରକୁ ବର୍ଷେ ପୂରିବ । ସରକାର ବର୍ଷ ପୂର୍ତ୍ତିରେ ମେଗା ସୋ କରିବାକୁ ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ନିଗମ ଓ ବୋର୍ଡରେ କେହି ଜଣେ ଥଇଥାନ ହେଲେନି । ଆଶାୟୀ ନେତା ଛଟପଟ ହେଲେଣି । ମନ ମରିଗଲାଣି । ରାଜ୍ୟରେ ବିଜେପି ନୂଆ ସରକାର ଗଢ଼ିବା ପରେ ସଂଗଠନକୁ ଆହୁରି ବଳୁଆ କରିବ ବୋଲି ଆଶା କରାଯାଉଥିଲା । ନୂଆ ସଭାପତିଙ୍କ ନେତୃତ୍ୱରେ ନୂଆ ଟିମ୍‌ ଗଢ଼ି ଗାଁ ବୁଥ୍‌ରୁ ରାଜଧାନୀ ଯାଏ ସଂଗଠନକୁ ସକ୍ରିୟ କରିବାକୁ ଯୋଜନା ଥିଲା । ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ଆହୁରି ବଳୁଆ କରିବାକୁ ଦଳ ନିଷ୍ପତ୍ତି ନେଲା । ହେଲେ ରାଜ୍ୟ ମୁଖିଆଙ୍କ ନାଁ ଘୋଷଣା କରିବାକୁ ଦଳ ୫ ମାସ ନେଲାଣି । ଘୋଷଣା ବିଳମ୍ବ ପଛରେ କେଉଁ ଅଦୃଶ୍ୟ କାରଣ ଅଛି ବୋଲି କର୍ମୀ ଓ ନେତାମାନେ ପରସ୍ପରକୁ ପଚାରୁଛନ୍ତି । ହେଲେ କାହା ପାଖରେ ଜବାବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.