ଭୁବନେଶ୍ଵର, ୨୯/୦୧ : ଏସିଆର ସବୁଠୁ ସୁନ୍ଦର ଏବଂ ସ୍ଵଚ୍ଛ ଗାଁ। ପାହାଡ଼ ଓ ବଣ ଜଙ୍ଗଲ ଘେରା ସବୁଜ ବନାନି ଭିତରେ ପରିମଳ ପରିବେଶ। ଏଠି ବାହାରେ ଅଳିଆ ଫିଙ୍ଗିବା ମନା। ସାର୍ବଜନୀନ ସ୍ଥାନରେ ଧୂମ୍ରପାନ ନିଷେଧ। ଅଳିଆ ପକାଇବା ପାଇଁ ପ୍ରତି ଘର ବାହାରେ ଅଛି ଡଷ୍ଟବିନ୍। ଅଳିଆକୁ ବ୍ୟବହାର କରି ଜୈବିକ କମ୍ପୋଷ୍ଟ ତିଆରି କରୁଛନ୍ତି ଗ୍ରାମବାସୀ। ନିୟମ ଉଲ୍ଲଙ୍ଘନ କଲେ ଜରିମାନା। ତେବେ ଜାଣିଛନ୍ତି କି କେଉଁଠି ଅଛି ଏହି ଗାଁ ?
ଏସିଆର ସବୁଠୁ ସ୍ଵଚ୍ଛ ଗାଁ ମାୱଲିନନୋଙ୍ଗ। ଏହା ମେଘାଳୟର ରାଜଧାନୀ ଶିଲଙ୍ଗ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ। ଭାରତ-ବାଂଲାଦେଶ ସୀମାରେ ରହିଛି ଏହି ଗାଁ। ଏଠାରେ ପ୍ରାୟ ୧୦୦ ଘର ରହିଛି। ଏଠାକାର ଗ୍ରାମବାସୀ ସଂଖ୍ୟା ୫୦୦ ରୁ ୯୦୦। ଅଧିକାଂଶ ଲୋକ ମେଘାଳୟର ପ୍ରମୁଖ ଖାସି ଆଦିବାସୀ ସମ୍ପ୍ରଦାୟ ଏଠାରେ ବାସ କରନ୍ତି। ସବୁଠୁ ସ୍ଵଚ୍ଛ ଏବଂ ପରିମଳ ପରିବେଶ ପାଇଁ ଏହି ଗାଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଥରେ ମାୱଲିନନୋଙ୍ଗ ଗଲେ ଏକ ବଗିଚା ଭଳି ଅନୁଭବ ଦେବ। ଘର ଚାରିପଟେ ରଙ୍ଗବେରଙ୍ଗ ଫୁଲ, ପଥର ରାସ୍ତା, ବାଉଁଶ ବାଡ଼ ଘେରା, ଏବଂ ସ୍ଵଚ୍ଛ ପବନ ଏକ ନିଆରା ଅନୁଭୂତି ଦେବ।
ମାୱଲିନନୋଙ୍ଗ ଗ୍ରାମବାସୀଙ୍କ ପ୍ରୟାସରେ ଏହା ସବୁଠୁ ସ୍ଵଚ୍ଛ ଗାଁର ରେକର୍ଡ ହାସଲ କରିଛି। ଏଠାରେ ପ୍ରତିଦିନ ସକାଳେ ଗ୍ରାମବାସୀମାନେ ଗାଁ ରାସ୍ତା ଏବଂ ଫୁଟ୍ପାଥ୍ ସଫା କରନ୍ତି। ପିଲାଦିନରୁ ସେମାନଙ୍କୁ ଡଷ୍ଟବିନର ବ୍ୟବହାର ଶିଖାଯାଏ। ଅଳିଆକୁ ଅଲଗା କରି ରଖାଯାଏ। ପୁନଃଚକ୍ରଣ ଉପାୟରେ ଅଳିଆକୁ ଖତ ଭାବରେ ବ୍ୟବହାର କରାଯାଏ। ଏଠି ପ୍ଲାଷ୍ଟିକ ବ୍ୟବହାର ମନା। ବାଉଁଶରେ ତିଆରି ଡଷ୍ଟବିନ୍ ଲୋକେ ବ୍ୟବହାର କରନ୍ତି।
୧୩୦ ବର୍ଷ ପୂର୍ବେ ମାୱଲିନନୋଙ୍ଗରେ ଏକ ଘାତକ ମହାମାରୀ ବ୍ୟାପିଥିଲା। ଏଥିରେ ବହୁ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ଲୋକମାନେ ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସ୍ଵଚ୍ଛତାକୁ ଆପଣେଇଲେ। ଧୀରେ ଧୀରେ ଏହା ଲୋକମାନଙ୍କର ଏକ ଅଭିନ୍ନ ଅଙ୍ଗ ପାଲଟିଗଲା। ମାୱଲିନନୋଙ୍ଗର ସାକ୍ଷରତା ହାର ୧୦୦ ପ୍ରତିଶତ। ଏଠାରେ ସମସ୍ତେ ଶିକ୍ଷିତ। ମାୱଲିନନୋଙ୍ଗର ଅନନ୍ୟ ପରମ୍ପରା ପାଇଁ ମଧ୍ୟ ଏହା ପ୍ରସିଦ୍ଧ। ଏଠାକାର ସମ୍ପତ୍ତିଗତ ଅଧିକାର ନିଆରା। ଏଠି ପିଲାମାନେ ମା'ଙ୍କ ଉପନାମ ବ୍ୟବହାର କରନ୍ତି। ମା'ଙ୍କ ଠାରୁ ଘରର ସବୁଠୁ ସାନ ଝିଅକୁ ସମ୍ପତ୍ତିଗତ ଅଧିକାର ହସ୍ତାନ୍ତର କରାଯାଏ। ପରିବାରର କୌଣସି ନିଷ୍ପତ୍ତି ମହିଳାମାନେ ନିଅନ୍ତି।
ଏହି ଖବରଟିକୁ ପଢନ୍ତୁ- ବାହାଘରର ଦିନକ ପରେ ମାଆ ହେଲେ କନ୍ୟା, ଥାନାରେ ପହଞ୍ଚିଲା ମାମଲା