ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଜଳ ଶୁଷ୍କତାକୁ ଦୂର କରିବାରେ କାହାର କ୍ଷମତା ଅଧିକ ? ଆଖୁ ରସ ନା ନଡ଼ିଆ ପାଣି...

Published By : Prameya | May 10, 2025 3:04 PM

ଭୁବନେଶ୍ଵର : ଗରମ ଦିନେ ଶରୀରର ଜଳ ଅଭାବକୁ ଦୂର କରିବା ଖୁବ୍‌ ଜରୁରି । ଏହି ସମସ୍ୟାକୁ ଦୂର କରିବାକୁ ପ୍ରାୟ ସମସ୍ତେ କିଛି ନା କିଛି ପ୍ରୟାସ କରିଥାନ୍ତି । କେମିତି ଦୂର କରିପାରିବେ ଶରୀରର ଜଳ ଶୁଷ୍କତା? ଗରମ ଦିନେ କିଛି ଲୋକ ଆଖୁ ରସ ପିଇବାକୁ ଗୁରୁତ୍ୱ ଦେଉଥିବା ବେଳେ ଆଉ କିଛି ନଡିଆ ପାଣିକୁ ପ୍ରାଥମିକତା ଦେଇଥାନ୍ତି । ଚାଲନ୍ତୁ ଜାଣିବା ଉଭୟ ପ୍ରାକୃତିକ ପାନୀୟ ହୋଇଥିବା ବେଳେ କାହାର ଗୁରୁତ୍ୱ କେତେ? ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବଢିବାରେ ଲାଗିଛି । ଏହି ସ୍ଥିତିରେ ଖାଦ୍ୟପାନୀୟକୁ ଖାସ୍‌ ଧ୍ୟାନ ଦେବା ଆବଶ୍ୟକ । ଥଣ୍ଡା ପାନୀୟ ସହ ସବୁଜ ପନିପରିବାକୁ ଡାଏଟ୍‌ରେ ସାମିଲ୍‌ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଗରମରେ ଶରୀରକୁ ଥଣ୍ଡା ରଖିବା ଦିଗରେ ଜୁସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ନଡ଼ିଆ ପାଣିର ଚାହିଦା ବଢିବାରେ ଲାଗିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ହାଡ଼କୁ ମଜଭୁତ କରିବା ସହ ଇମ୍ୟୁନିଟିକୁ ବଢାଇଥାଏ । ସେହିପରି ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରର ଜଳ ଶୁଷ୍କତାକୁ ଦୂର କରିଥାଏ । 

ନଡ଼ିଆ ପାଣି

ଏହାକୁ ପ୍ରାକୃତିକ ଶକ୍ତିବର୍ଦ୍ଧକ ପାନୀୟ କୁହାଯାଏ । ଏହା ହାଲ୍‌କା ମିଠା ସାଙ୍ଗକୁ ଥଣ୍ଡା ପାନୀୟ । ଏଥିରେ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ସ ରହିଥାଏ । ଯେପରିକି ପୋଟାସିୟମ୍‌, ସୋଡିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ କ୍ୟାଲସିୟମ୍‌ । ଏସବୁ ତତ୍ତ୍ୱ ଶରୀରରେ ପାଣିର ଅଭାବକୁ ଦୂର କରିଥାଏ । ଏହାବ୍ୟତୀତ ନଡ଼ିଆ ପାଣିରେ କମ୍‌ କ୍ୟାଲୋରୀ ରହିଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ପ୍ରକ୍ରିୟା ତୀବ୍ର ହୋଇଥାଏ । ତା’ ସହିତ ତ୍ୱଚାରେ ମଧ୍ୟ ଚମ୍‌କ ଆସିଥାଏ । 

ଆଖୁ ରସ

ଖରାଦିନେ ବହୁ ଲୋକ ଆଖୁ ରସ ପିଇବାକୁ ପସନ୍ଦ କରିଥାନ୍ତି । ଏହା ମିଠା, ଥଣ୍ଡା ଓ ସତେଜତାରେ ଭରପୂର । ଆଖୁ ରସ ପ୍ରାକୃତିକ ଶର୍କରାରେ ଭରା । ଏହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ରହିଥାଏ, ଯାହା ଶରୀରରେ ଜଳର ଅଭାବକୁ ଦୂର କରିବା ସହ ଥକାପଣକୁ ଦୂରେଇ ଥାଏ । ତା' ସହିତ ଲିଭର୍‌ରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । 

ଜଳ ଶୁଷ୍କତାକୁ ଦୂର କରିବାରେ କାହାର କ୍ଷମତା ଅଧିକ?

ଜଳ ଶୁଷ୍କତା ଦୃଷ୍ଟିରୁ ଦେଖିବାକୁ ଗଲେ ନଡ଼ିଆ ପାଣି ଆଖୁରସ ତୁଳନାରେ ଅଧିକ ପ୍ରଭାବଶାଳୀ । କାରଣ ନଡ଼ିଆ ପାଣି ହାଲ୍‌କା ହେବା ସହ ଇଲେକ୍ଟ୍ରୋଲାଇଟସ୍‌ରେ ସନ୍ତୁଳନ ବଜାୟ ରଖିଥାଏ । ତା’ ସହିତ ଶରୀରର ସତେଜତା ବଜାୟ ରଖିଥାଏ । ଆଖୁରସ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ଥକାପଣ ଦୂର କରିବା ସହ ସତେଜତା ବଜାୟ ରଖେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.