ନୂଆଦିଲ୍ଲୀ,୧୧/୦୨; ଆମେରିକା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସହିତ ଜଡିତ ଫ୍ୟାକ୍ଟସିଟକୁ ଚୁପଚାପ୍ ସଂଶୋଧନ କରିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଡକ୍ୟୁମେଣ୍ଟ ପ୍ରକାଶିତ ହେବାର ମାତ୍ର ଗୋଟିଏ ଦିନ ପରେ, ଶବ୍ଦ ଏବଂ ଏହାର କିଛି ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଥିଲା । ସବୁଠାରୁ ବଡ଼ ପରିବର୍ତ୍ତନ ଥିଲା ପୂର୍ବରୁ କୁହାଯାଇଥିଲା ଯେ ଭାରତ ୫୦୦ ବିଲିୟନରୁ ଅଧିକ ମୂଲ୍ୟର ଆମେରିକୀୟ ସାମଗ୍ରୀ କ୍ରୟ କରିବାକୁ ପ୍ରତିବଦ୍ଧ । ଏହାକୁ ଏବେ "କ୍ରୟ କରିବାକୁ ଇଚ୍ଛୁକ" ରେ ପରିବର୍ତ୍ତନ କରାଯାଇଛି । ଏହା ଚୁକ୍ତିନାମାର ଏକ ପ୍ରମୁଖ ଅଂଶକୁ ପ୍ରଭାବିତ କରିଛି ।
ଫ୍ୟାକ୍ଟସିଟରେ କ’ଣ କୁହାଯାଇଛି- ଭାରତ ଏବଂ ଆମେରିକା ମଧ୍ୟରେ ଏକ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇବାର କିଛି ଦିନ ପରେ, ହ୍ୱାଇଟ୍ ହାଉସ୍ ମଙ୍ଗଳବାର ଏକ ତଥ୍ୟପତ୍ର ବା ପ୍ୟାକ୍ଟସିଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି ଯେ ଭାରତ ସମସ୍ତ ଆମେରିକୀୟ ଶିଳ୍ପ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ଆମେରିକୀୟ ଖାଦ୍ୟ ଏବଂ କୃଷି ଉତ୍ପାଦ ଉପରେ ଟିକସ ଉଚ୍ଛେଦ କିମ୍ବା ହ୍ରାସ କରିବ । ତଥ୍ୟପତ୍ରର ପୂର୍ବ ସଂସ୍କରଣରେ କୁହାଯାଇଥିଲା, "ଭାରତ ଅଧିକ ଆମେରିକୀୟ ସାମଗ୍ରୀ କ୍ରୟ କରିବାକୁ ଏବଂ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ଶକ୍ତି, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, କୃଷି, କୋଇଲା ଏବଂ ଅନ୍ୟାନ୍ୟ ଉତ୍ପାଦ କ୍ରୟ କରିବାକୁ ପ୍ରତିବଦ୍ଧ ।"
କ'ଣ ପରିବର୍ତ୍ତନ ହୋଇଛି- ହ୍ୱାଇଟ୍ ହାଉସ୍ ୱେବସାଇଟରେ ଥିବା ନୂଆ ସଂସ୍କରଣରେ "ପ୍ରତିବଦ୍ଧତା" ଶବ୍ଦକୁ "ଉଦ୍ଦେଶ୍ୟ ବା ଇଚ୍ଛୁକ" ସହିତ ବଦଳାଇ ଦିଆଯାଇଛି । "କୃଷି" ଶବ୍ଦକୁ ମଧ୍ୟ ଉତ୍ପାଦ ତାଲିକାରୁ ହଟାଇ ଦିଆଯାଇଛି । ପୂର୍ବ ସଂସ୍କରଣରେ କୁହାଯାଇଥିଲା, "ଭାରତ ସମସ୍ତ ଆମେରିକୀୟ ଶିଳ୍ପ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ଆମେରିକୀୟ ଖାଦ୍ୟ ଏବଂ କୃଷି ଉତ୍ପାଦ, ଯେପରିକି ଶୁଖିଲା ଡିଷ୍ଟିଲର୍ସର ଶସ୍ୟ, ଶୁଖିଲା ଫଳ, ତାଜା ଏବଂ ପ୍ରକ୍ରିୟାକୃତ ଫଳ, କିଛି ଡାଲି, ସୋୟାବିନ୍ ତେଲ, ମଦ ଏବଂ ସ୍ପିରିଟ୍ ଉପରେ ଟିକସ ହଟାଇବ କିମ୍ବା ହ୍ରାସ କରିବ।" ନୂତନ ସଂସ୍କରଣରେ "ନିର୍ଦ୍ଦିଷ୍ଟ ଡାଲି" ବିଭାଗକୁ ହଟାଇ ଦିଆଯାଇଛି । ଡିଜିଟାଲ୍ ଟିକସ ଉପରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅନ୍ୟ ଏକ ବଡ଼ ପରିବର୍ତ୍ତନରେ, ପୂର୍ବ ବିବୃତ୍ତିରେ କୁହାଯାଇଥିଲା ଯେ "ଭାରତ ଡିଜିଟାଲ୍ ସେବା ଟିକସ ହଟାଇବ" ଏବଂ "ଡିଜିଟାଲ୍ ବାଣିଜ୍ୟରେ ପ୍ରତିବନ୍ଧକ ଦୂର କରିବା ପାଇଁ ଦୃଢ଼ ନିୟମ ଆଲୋଚନା କରିବାକୁ ପ୍ରତିବଦ୍ଧ।" ନୂଆ ଫ୍ୟାକ୍ଟସିଟ୍ରେ ଭାରତ ଡିଜିଟାଲ୍ ସେବା ଟିକସ ହଟାଇବ ।
ଏହା ବି ପଢନ୍ତୁ...ବିପଦରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ଚୌକି,ଷ୍ଟାର୍ମରଙ୍କ ଇସ୍ତଫା ଦାବି କରିଛି ଲେବର ପାର୍ଟି
ଦୁଇ ଦେଶ ମଧ୍ୟରେ କ’ଣ ନିଷ୍ପତ୍ତି ହୋଇଛି- ଗତ ସପ୍ତାହରେ, ଭାରତ ଏବଂ ଆମେରିକା ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଥିଲା । ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ପାରସ୍ପରିକ ବାଣିଜ୍ୟକୁ ବୃଦ୍ଧି କରିବା ପାଇଁ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବେ । ପ୍ରସ୍ତାବ ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟିକସ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବ । ବଦଳରେ, ଭାରତ ସମସ୍ତ ଆମେରିକୀୟ ଶିଳ୍ପ ଉତ୍ପାଦ ଏବଂ ବିଭିନ୍ନ ଆମେରିକୀୟ ଖାଦ୍ୟ ଏବଂ କୃଷି ସାମଗ୍ରୀ ଉପରେ ଟିକସକୁ ହଟାଇବ । ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକାରୁ ପ୍ରାୟ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି ଉତ୍ପାଦ, ବିମାନ ଏବଂ ବିମାନର ଅଂଶ, ମୂଲ୍ୟବାନ ଧାତୁ, ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସାମଗ୍ରୀ ଏବଂ କୋକିଂ କୋଇଲା କିଣିବାକୁ ଯୋଜନା କରୁଥିବା ସ୍ଥିର ହୋଇଥିଲା ।
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି- ଚୁକ୍ତିନାମା ଚୂଡ଼ାନ୍ତ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅଗଷ୍ଟ ମାସରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫% ଆମଦାନୀ ଶୁଳ୍କକୁ ପ୍ରତ୍ୟାହାର କରିଥିଲେ କାରଣ ଭାରତ ରୁଷରୁ ତେଲ କିଣୁଥିଲା । ନୂଆଦିଲ୍ଲୀ ଏବଂ ୱାଶିଂଟନ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ଚୂଡ଼ାନ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି ।