ନୂଆଦିଲ୍ଲୀ,୧୭/୦୫; ଇବୋଲା ଭାଇରସ୍ ଆତଙ୍କ । ସଂକ୍ରମଣରେ ଯାଉଛି ଜୀବନ । ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ ବଢି ବଢି ଚାଲିଛି । କେବଳ କଙ୍ଗୋରେ ୮୦ ଜଣଙ୍କର ଜୀବନ ନେଇଛି ଏହି ଭାଇରସ୍ । ୨୪୬ ସନ୍ଦିଗନ୍ଦ୍ଧ ମାମଲା ଚିହ୍ନଟ ହୋଇଛନ୍ତି । ଇବୋଲାର ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଇବୋଲାକୁ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ହୁ । ତେବେ ଇବୋଲା ବର୍ତ୍ତମାନ ସମୟ ପାଇଁ ମହାମାରୀ ନୁହେଁ ବୋଲି କହିଛି ହୁ । ବୁଣ୍ଡିବୁଗୟୋ ଭାଇରାସ୍ ଦ୍ୱାରା ହେଉଥିବା ସଂକ୍ରମଣ ମହାମାରୀ ପାଇଁ ମାନଦଣ୍ଡ ପୂରଣ କରେ ନାହିଁ ।

ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିଂ ଅନୁଯାୟୀ, ଶନିବାର ସୁଦ୍ଧା କଙ୍ଗୋର ଇଟୁରି ପ୍ରଦେଶର ଅତି କମରେ ୩ଟି ସ୍ୱାସ୍ଥ୍ୟ ଜୋନ୍ ( ବୁନିଆ, ରୱାମ୍ପାରା ଏବଂ ମୋଙ୍ଗବୱାଲୁ)ରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ୮ ପରୀକ୍ଷାଗାରରୁ ନିଶ୍ଚିତ ହୋଇଥିବା ମାମଲା ଏବଂ ୨୪୬ ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି । କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ, ବୀର୍ଯ୍ୟ କିମ୍ବା ଦୂଷିତ ପୃଷ୍ଠ ଦ୍ବାରା ଆକ୍ରାନ୍ତଙ୍କଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ ।

​​​​​​​ଇବୋଲା କଣ ? ଇବୋଲା ଏକ ଅତ୍ୟନ୍ତ ବିପଜ୍ଜନକ ଭୂତାଣୁ ଜନିତ ରୋଗ । ଯଦିଓ ଏହା ବିରଳ, ଏହି ସଂକ୍ରମଣ ବହୁତ ଗମ୍ଭୀର ହୋଇପାରେ ଏବଂ ଅନେକ କ୍ଷେତ୍ରରେ ଘାତକ ହୋଇପାରେ । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ରକ୍ତ, ବାନ୍ତି, ଝାଳ କିମ୍ବା ବୀର୍ଯ୍ୟ ପରି ତରଳ ପଦାର୍ଥ ସହିତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିଥାଏ । ଏପର୍ଯ୍ୟନ୍ତ ଏହାର କୌଣସି ନିର୍ଣ୍ଣାୟକ ପ୍ରତିକାର ନାହିଁ, କିନ୍ତୁ ଏକ ଟୀକା ଉପଲବ୍ଧ ।

​​​​​​​

୪ ଜଣ ସ୍ୱାସ୍ଥ୍ୟସେବା କର୍ମୀଙ୍କ ମଧ୍ୟ ମୃତ୍ୟୁ- କଙ୍ଗୋରୁ ଯାତ୍ରା କରୁଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ, ପରସ୍ପର ସହିତ କୌଣସି ସ୍ପଷ୍ଟ ସମ୍ପର୍କ ନଥିବା ସତ୍ତ୍ୱେ, ୧୫ ଏବଂ ୧୬ ମଇ ୨୦୨୬ରେ ୟୁଗାଣ୍ଡାର କାମ୍ପାଲାରେ ଦୁଇଟି ପରୀକ୍ଷାଗାର-ନିଶ୍ଚିତ ମାମଲା ରିପୋର୍ଟ କରାଯାଇଛି ।

ଏହା ବି ପଢନ୍ତୁ...କରୋନାଠୁ ୨୦ ଗୁଣ ଅଧିକ ଘାତକ ହେଣ୍ଟାଭାଇରସ୍, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ  

ଇଟୁରିର ଅନେକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୁଣ୍ଡିବୁଗୟୋ ଭାଇରସ୍ ରୋଗ (BVD) ଲକ୍ଷଣ ଯୋଗୁଁ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି । ଏହା ବ୍ୟତୀତ, ପ୍ରଭାବିତ ଅଞ୍ଚଳରେ ଭାଇରାଲ୍ ହେମୋରେଜିକ୍ ଫିଭର ଲକ୍ଷଣ ଯୋଗୁଁ ଚାରି ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ରିପୋର୍ଟ କରାଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ, ହୁ ନିର୍ଦ୍ଦେଶକ ଖୁବ୍ ଶୀଘ୍ର ଏକ ଜରୁରୀକାଳୀନ କମିଟି ବୈଠକ ଡାକିବେ । ଭାରଇସର ମୁକାବିଲା କରିବା, ଏହା ଭୟଙ୍କରତା ଏବଂ  ବ୍ୟାପିବା କାରଣ ବୁଝିବା ଏବଂ ସଫଳ ନିରୀକ୍ଷଣ ଏବଂ ନିରୋଧ ପ୍ରୟାସ ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ସମନ୍ୱୟ ଆବଶ୍ୟକ ।