ଚେନ୍ନାଇ, ୪।୫: ତାମିଲନାଡ଼ୁ ରାଜନୀତିରେ ଚଳିତ ବିଧାନସଭା ନିର୍ବାଚନ ଏକ ନୂଆ ଇତିହାସ ରଚିଛି । ସୁପରଷ୍ଟାର ଥଲପତି ବିଜୟଙ୍କ ଦଳ ‘ଟିଭିକେ’ (TVK) କେବଳ ଆସନ ଜିତିନାହିଁ, ବରଂ ସାଧାରଣ ଲୋକଙ୍କୁ ନେତା କରିବାକୁ ଯେଉଁ ସାହସ ଦେଖାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଜୟ ଦେଖିବାକୁ ମିଳିଛି ରୟାପୁରମ୍ ଆସନରେ, ଯେଉଁଠାରେ ଜଣେ ସାଧାରଣ ଅଟୋ ଚାଳକ କେ. ବିଜୟ ଧାମୁ ବିଶାଳ ବିଜୟ ହାସଲ କରିଛନ୍ତି ।
୫ ଥରର ବିଧାୟକଙ୍କୁ ଦେଲେ ମାତ୍:
ରୟାପୁରମ୍ ଆସନରୁ ବିଜୟ ଧାମୁ କେବଳ ଜିତିନାହାଁନ୍ତି, ବରଂ ରାଜନୀତିର ବଡ଼ ବଡ଼ ଧୁରନ୍ଧରଙ୍କୁ ଧୂଳି ଚଟାଇଛନ୍ତି । ସେ ୫୫,୦୦୦ରୁ ଅଧିକ ଭୋଟ୍ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଡିଏମକେର ସୁବୈର ଖାନଙ୍କୁ ପ୍ରାୟ ୧୪,୦୦୦ ଭୋଟରେ ପରାସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ଆସନରୁ ୫ ଥର ବିଧାୟକ ରହିଥିବା ଏବଂ ଏଆଇଏଡିଏମକେର ଦିଗ୍ଗଜ ନେତା ଡି. ଜୟକୁମାରଙ୍କୁ ସେ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... ଫିଲ୍ମ ନୁହେଁ, ଏହା ଥିଲା ରାଜନୀତିର ଟ୍ରେଲର ! ମୁଖ୍ୟମନ୍ତ୍ରୀ ଗାଦିର ନିକଟତର କରିଛି ବିଜୟଙ୍କ ଏହି ୫ଟି ଫିଲ୍ମ
କିଏ ଏହି ବିଜୟ ଧାମୁ ?
ବିଜୟ ଧାମୁ ଜଣେ ବୃତ୍ତିଗତ ଅଟୋ ଚାଳକ । କିନ୍ତୁ, ଦୀର୍ଘ ଦିନ ଧରି ସେ ଅଭିନେତା ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ଅଞ୍ଚଳରେ ବିଜୟଙ୍କ ଫ୍ୟାନ୍ କ୍ଲବ୍ର ନେତୃତ୍ୱ ନେଉଥିଲେ । ସେ ଜଣେ ସାଧାରଣ ମଣିଷ ଭାବେ ବସ୍ତି ଏବଂ ଗଳିକନ୍ଦିରେ ଲୋକଙ୍କ ପାଇଁ କାମ କରି ଆସୁଥିଲେ । ଯେତେବେଳେ ବିଜୟ ରାଜନୈତିକ ଦଳ ଗଠନ କଲେ, ସେ ଧାମୁଙ୍କ ପରି ଜଣେ ଗ୍ରାଉଣ୍ଡ ଲେଭଲ୍ କର୍ମୀଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ଟିକେଟ୍ ଦେଇଥିଲେ ।
ଭାବୁକ କରିଦେଇଥିଲା ସେହି ଆଲିଙ୍ଗନ:
ଟିକେଟ୍ ଘୋଷଣା ହେବା ପରେ ବିଜୟ ଧାମୁ ଏବଂ ଅଭିନେତା ବିଜୟଙ୍କର ଏକ ଫଟୋ ବହୁତ ଭାଇରାଲ ହୋଇଥିଲା । ବିଜୟ ନିଜେ ତାଙ୍କୁ କୋଳେଇ ନେଇଥିଲେ, ଯାହା ଏକ ଭାବୁକ ଦୃଶ୍ୟ ଥିଲା। ଏହି ଫଟୋଟି ରୟାପୁରମ୍ର ସାଧାରଣ ଜନତାଙ୍କ ମନକୁ ଛୁଇଁଥିଲା । ଧାମୁ ନିର୍ବାଚନ ପ୍ରଚାର ବେଳେ କହିଥିଲେ, "ଆମେ ହୁଏତ ନୂଆ ମୁହଁ ହୋଇପାରୁ, କିନ୍ତୁ ଆମେ ବର୍ଷ ବର୍ଷ ଧରି ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହିଛୁ ।" ବିଜୟ ଧାମୁଙ୍କ ବିଜୟ ପଛରେ ତାଙ୍କର ‘ଲୋ-ପ୍ରୋଫାଇଲ୍’ ରହି କାମ କରିବାର ଶୈଳୀ ପ୍ରମୁଖ କାରଣ ବୋଲି କୁହାଯାଉଛି । ରୟାପୁରମ୍ରେ ସେ ଜଣେ ଜଣାଶୁଣା ସମାଜସେବୀ । ଦଳୀୟ ଫିଡ୍ବ୍ୟାକ୍ ଆଧାରରେ ହିଁ ବିଜୟ ତାଙ୍କୁ ପ୍ରାର୍ଥୀ କରିଥିଲେ ଏବଂ ଆଜି ଜଣେ ଅଟୋ ଚାଳକରୁ ସେ ବିଧାନସଭାକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ବିଜୟ ପ୍ରମାଣ କରିଛି ଯେ ଯଦି ନେତୃତ୍ୱ ଏବଂ ଜନତାଙ୍କ ମଧ୍ୟରେ ବିଶ୍ୱାସ ଥାଏ, ତେବେ ଜଣେ ସାଧାରଣ ଅଟୋ ଚାଳକ ମଧ୍ୟ ବଡ଼ ବଡ଼ ରାଜନୈତିକ ଦୁର୍ଗକୁ ଭାଙ୍ଗିପାରିବେ ।