ନୂଆଦିଲ୍ଲୀ, ୨୮।୫: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ତଥା ବାଣିଜ୍ୟିକ ସହର ‘ବନ୍ଦର ଅବ୍ବାସ’ ଉପରେ ଆମେରିକା ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିଛି । ବୁଧବାର ବିଳମ୍ବିତ ରାତିରେ ଆମେରିକୀୟ ସେନା ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ଇରାନର ୪ଟି ଆଟାକ୍ ଡ୍ରୋନକୁ ନଷ୍ଟ କରାଯିବା ସହ ଏକ ପ୍ରମୁଖ ଡ୍ରୋନ କଣ୍ଟ୍ରୋଲ ସେଣ୍ଟରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି । ଚଳିତ ମେ' ମାସ ମଧ୍ୟରେ ଇରାନ ସୀମା ଭିତରକୁ ପଶି ଆମେରିକାର ଏହା ହେଉଛି ତୃତୀୟ ବଡ଼ ଆକ୍ରମଣ । ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ବନ୍ଦର ଅବ୍ବାସ ସହରର ପୂର୍ବ ଭାଗରେ ୩ଟି ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ କିଛି ସମୟ ପାଇଁ ଇରାନର ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ସକ୍ରିୟ ହୋଇଉଠିଥିଲା । ଆମେରିକା ଏହାକୁ ଏକ ଡିଫେନସିଭ୍ ଆକ୍ସନ ବୋଲି କହୁଥିବା ବେଳେ ଇରାନ ଏହାକୁ ଜାତିସଂଘ ନିୟମ ଓ ଯୁଦ୍ଧବିରତିର ଖୋଲା ଉଲ୍ଲଂଘନ ବୋଲି ଅଭିହିତ କରିଛି ।

କାହିଁକି ଆମେରିକାର ପ୍ରଧାନ ଟାର୍ଗେଟ୍ ପାଲଟିଛି ‘ବନ୍ଦର ଅବ୍ବାସ’ ?

ବନ୍ଦର ଅବ୍ବାସ କେବଳ ଇରାନର ଏକ ସହର ନୁହେଁ, ବରଂ ଏହା ଇରାନର ସବୁଠାରୁ ବଡ଼ ବନ୍ଦର ଏବଂ ନୌସେନା ବେସ୍ । ଏହି ସ୍ଥାନର ଭୌଗୋଳିକ ଓ ସାମରିକ ଗୁରୁତ୍ୱ ହିଁ ଆମେରିକାକୁ ବାରମ୍ବାର ଆକ୍ରମଣ କରିବାକୁ ବାଧ୍ୟ କରୁଛି । ଏହା ପଛର ପ୍ରମୁଖ କାରଣଗୁଡ଼ିକ ହେଲା:

ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଉପରେ ନିୟନ୍ତ୍ରଣ: ବନ୍ଦର ଅବ୍ବାସ ସହରଟି ବିଶ୍ୱର ସବୁଠାରୁ ସଂବେଦନଶୀଳ ସାମୁଦ୍ରିକ ମାର୍ଗ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍'ର ଠିକ୍ ନିକଟରେ ଅବସ୍ଥିତ । ବିଶ୍ୱରେ ବ୍ୟବହାର ହେଉଥିବା ମୋଟ କ୍ରୁଡ୍ ଅଏଲ୍ ବା ଚାଷୀତ ତେଲର ପ୍ରାୟ ୨୦ ପ୍ରତିଶତ ଏହି ସଂକୀର୍ଣ୍ଣ ସମୁଦ୍ର ପଥ ଦେଇ ପରିବହନ ହୋଇଥାଏ । ଇରାନ ଏହି ସ୍ଥାନରେ ରହି ସମ୍ପୂର୍ଣ୍ଣ ରୁଟ୍‌କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛି । ଯଦି ଇରାନ ଏହି ପଥକୁ ବନ୍ଦ କରେ, ତେବେ ସାରା ବିଶ୍ୱରେ ତେଲ ସଙ୍କଟ ଦେଖାଦେବ ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ିବ । ଆମେରିକା ଚାହୁଁଛି ଯେକୌଣସି ପରିସ୍ଥିତିରେ ବି ଏହି ବାଣିଜ୍ୟିକ ମାର୍ଗ ଖୋଲା ରହୁ ।

IRGC ର ମୁଖ୍ୟ ଆଡ୍ଡା: ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ 'ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ' (IRGC) ର ନୌସେନା ମୁଖ୍ୟାଳୟ ଏହି ବନ୍ଦର ଅବ୍ବାସରେ ରହିଛି । ଏଠାରୁ ହିଁ ଆମେରିକୀୟ ଓ ପାଶ୍ଚାତ୍ୟ ଦେଶର ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଆଣ୍ଟି-ସିପ୍ ମିସାଇଲ୍, ଡ୍ରୋନ, ସାମୁଦ୍ରିକ ମାଇନ୍ସ ଏବଂ ସ୍ପିଡ୍ ବୋଟ୍ ଅପରେଟ୍ କରାଯାଇଥାଏ ।

ଆମେରିକାର ସାମରିକ ବେସ୍ ପ୍ରତି ବିପଦ: ବନ୍ଦର ଅବ୍ବାସରୁ ଇରାନ ଯେକୌଣସି ସମୟରେ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟି ଏବଂ ତାର ସହଯୋଗୀ ଦେଶଗୁଡ଼ିକ ଉପରେ ଡ୍ରୋନ କିମ୍ବା ମିସାଇଲ୍ ମାଧ୍ୟମରେ ଆକ୍ରମଣ କରିପାରେ । ତେଣୁ ଆମେରିକା ପୂର୍ବ ପ୍ରସ୍ତୁତି ସ୍ୱରୂପ ଇରାନର ଏହି ଆକ୍ରମଣକାରୀ କ୍ଷମତାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି । CENTCOM ପକ୍ଷରୁ କୁହାଯାଇଛି ଯେ, ଇରାନ ପଞ୍ଚମ ଡ୍ରୋନଟିକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଠିକ୍ ସମୟରେ ଆମେରିକା ତାର ଡ୍ରୋନ କଣ୍ଟ୍ରୋଲ ସେଣ୍ଟର ଉପରେ ଆକ୍ରମଣ କରି ଏହାକୁ ପଣ୍ଡ କରିଦେଇଥିଲା ।

ଇରାନର ପଲଟା ଦାବି: ଆମେରିକୀୟ ଡ୍ରୋନକୁ ଖସାଇ ଦେଲୁ

ଅପରପକ୍ଷରେ, ଇରାନର IRGC ଦାବି କରିଛି ଯେ ଆମେରିକାର ଏହି ଆକ୍ରମଣର ସେମାନେ ଦୃଢ଼ ଜବାବ ଦେଇଛନ୍ତି । ଇରାନ ସେନା ଆମେରିକାର ସବୁଠାରୁ ଆଧୁନିକ ଗୁପ୍ତଚର ଡ୍ରୋନ MQ-9 ରିପରକୁ ଆକାଶରେ ଖସାଇ ଦେଇଛି । ଏହା ସହିତ ଆମେରିକାର ଏକ F-35 ଫାଇଟର ଜେଟ୍‌କୁ ମଧ୍ୟ ସୀମା ଭିତରୁ ଘଉଡ଼ାଇ ଦେଇଥିବା ଇରାନ ଦାବି କରିଛି । ତେବେ ଆମେରିକୀୟ ସେନା ପକ୍ଷରୁ ଇରାନର ଏହି ଦାବିକୁ ସ୍ୱୀକାର କରାଯାଇ ନାହିଁ । ବର୍ତ୍ତମାନ ସ୍ଥିତିରେ ଆମେରିକା ଓ ଇରାନ ମଧ୍ୟରେ ଏକ ଅଘୋଷିତ ଯୁଦ୍ଧବିରତି ରହିଛି, କିନ୍ତୁ ସ୍ଥିତି ଅତ୍ୟନ୍ତ ସମ୍ୱେଦନଶୀଳ ଏବଂ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରୁ କେହି ବି ପୂର୍ଣ୍ଣାଙ୍ଗ ମହାଯୁଦ୍ଧ ଚାହୁଁନାହାନ୍ତି, ମାତ୍ର ବନ୍ଦର ଅବ୍ବାସ ଭଳି ରଣନୈତିକ ସ୍ଥାନରେ ଏଭଳି ବାରମ୍ବାର ସଂଘର୍ଷ ଯେକୌଣସି ସମୟରେ ଏକ ବଡ଼ ଯୁଦ୍ଧର ରୂପ ନେଇପାରେ । ଆମେରିକା ସ୍ପଷ୍ଟ ସଂକେତ ଦେଇଛି ଯେ, ବିଶ୍ୱର ତେଲ ବାଣିଜ୍ୟକୁ ବାଧାପ୍ରାପ୍ତ କଲାଭଳି ଇରାନର କୌଣସି ବି ଚାଲ୍‌କୁ ବରଦାସ୍ତ କରାଯିବ ନାହିଁ ।

ଆହୁରି ପଢ଼ନ୍ତୁ... US-Iran War: ଆମେରିକାର ‘ସିକ୍ରେଟ୍ ଅପରେସନ‌’; ଇରାନ ସୈନ୍ୟ ଘାଟି ଉପରେ ମିଶାଇଲ୍ ମାଡ଼, ଉଡ଼ାଇ ଦେଲା ଡ୍ରୋନ୍ ବେସ୍‌ !