ନୂଆଦିଲ୍ଲୀ ୩୧/୦୫: ୟୁରୋପ୍ର ଏକ ଛୋଟ ଦେଶ ଏକ ଅଦ୍ଭୁତ ସାମାଜିକ ସ୍ଥିତି ପାଇଁ ଚର୍ଚ୍ଚାକୁ ଆସିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ବାତାବରଣ ପାଇଁ ପ୍ରସିଦ୍ଧ ଲାଟ୍ଭିଆ ଏପରି ଏକ ପରିସ୍ଥିତି ମଧ୍ୟରେ ଗତି କରୁଛି ଯାହା ସେ ଦେଶର ସାମାଜିକ ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରିଛି । ସେ ଦେଶର ଯୁବତୀମାନଙ୍କୁ ଜୀବନସାଥୀ ମିଳୁନାହାନ୍ତି । ଲିଙ୍ଗଗତ ଅସମାନତା କାରଣରୁ ସେହି ୟୁରୋପୀୟ ଦେଶଟିରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ହ୍ରାସ ପାଉଛି ।
ଲାଟ୍ଭିଆର ମୋଟ ଜନସଂଖ୍ୟା ପ୍ରାୟ ୧୮ ଲକ୍ଷ ହେବ । ପ୍ରତି ୧୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୧୬ । ପ୍ରତିଶତ ହିସାବରେ ଦେଖିବାକୁ ଗଲେ ମୋଟ ଜନସଂଖ୍ୟାର ୫୩.୫ ପ୍ରତିଶତ ମହିଳା ହୋଇଥିଲା ବେଳେ ୪୬.୫ ପ୍ରତିଶତ ହେଉଛନ୍ତି ପୁରୁଷ । ଏହି ବ୍ୟବଧାନ ପ୍ରାୟ ୧.୩ ଲକ୍ଷ ଯାହା ଲାଟ୍ଭିଆ ଭଳି ଏକ ଛୋଟ ଦେଶ ପାଇଁ ସାମାଜିକ ଦୃଷ୍ଟିକୋଣରୁ ବହୁତ ବଡ଼ ସଂଖ୍ୟା ବୋଲି କୁହାଯାଉଛି । ଚିନ୍ତାଜନକ ବିଷୟ, ଲାଟଭିଆରେ ୨୦ରୁ ୩୦ ବର୍ଷ ବୟସର ଯୁବକ- ଯୁବତୀଙ୍କ ସଂଖ୍ୟା ପ୍ରାୟ ସମାନ । ପ୍ରକୃତ ସମସ୍ୟା ୩୦ ବର୍ଷ ବୟସ ପରେ ଆରମ୍ଭ ହେଉଛି । ବୟସ ବଢ଼ିବା ସହିତ ପୁରୁଷଙ୍କ ସଂଖ୍ୟା କମିବାରେ ଲାଗିଛି । ସେହି ଅନୁସାରେ ଲିଙ୍ଗଗତ ବୈଷମ୍ୟ ଅଧିକ ହୋଇଚାଲିଛି ।
୬୫ ବର୍ଷରୁ ଅଧିକ ବୟସରେ ପହଞ୍ଚିଲା ବେଳକୁ ସେଠାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଦୁଇଗୁଣ ଅଧିକ ହୋଇଯାଉଛି । ଏହି କାରଣରୁ ୩୦ ବର୍ଷ ବୟସରୁ ଅଧିକ ବୟସର ମହିଳାମାନଙ୍କ ପାଇଁ ଯୋଗ୍ୟ ଜୀବନସାଥୀ ମିଳିବା ଏକ ଆହ୍ୱାନରେ ପରିଣତ ହୋଇଛି ସେଠାରେ । ଏହି ଅସନ୍ତୁଳନ ପାଇଁ ଅନେକ କାରଣ ଅଛି । ପ୍ରଥମ ବଡ଼ କାରଣ ହେଉଛି ପୁରୁଷମାନଙ୍କ ହାରାହାରି ଆୟୁ ମହିଳାଙ୍କ ତୁଳନାରେ କମ । ଲାଟ୍ଭିଆର ମହିଳାମାନେ ହାରାହାରି ୮୦-୮୧ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିବା ବେଳେ ପୁରୁଷମାନଙ୍କ ଜୀବନ ପ୍ରତ୍ୟାଶା ଯଥେଷ୍ଟ ଅଳ୍ପ ।
ଏହା ବ୍ୟତୀତ ଉଚ୍ଚ କ୍ୟାରିଅର, ମୋଟା ଅଙ୍କର ଚାକିରି, ଉନ୍ନତ ଜୀବନଶୈଳୀ ଆଶାରେ ଲାଟ୍ଭିଆର ଶିକ୍ଷିତ ଯୁବକମାନେ ପଡ଼ୋଶୀ ୟୁରୋପୀୟ ଦେଶକୁ ଚାଲିଯାଉଛନ୍ତି । ଏହା ବ୍ୟତୀତ ଲାଟ୍ଭିଆରେ ବିବାହ ବିଚ୍ଛେଦ ହେଲେ ପୁରୁଷମାନଙ୍କୁ ଭରଣପୋଷଣ ବାବଦକୁ ମୋଟା ଅଙ୍କର ଅର୍ଥ ଦେବାକୁ ହେଉଥିବାରୁ ବିବାହଯୋଗ୍ୟ ପୁରୁଷମାନେ ବିବାହ ପ୍ରତି ବିମୁଖ ହେଉଛନ୍ତି । ଏହାଦ୍ୱାରା ସାମାଜିକ ଢାଞ୍ଚା ପ୍ରଭାବିତ ହେଉଛି । ଅବିବାହିତା ମହିଳାମାନଙ୍କୁ ଦୃଷ୍ଟିରେ ରଖି ସେ ଦେଶରେ ଆରମ୍ଭ ହୋଇଛି ‘ହଜବ୍ୟାଣ୍ଡ ଫର୍ ଆନ୍ ଆୱାର୍’ ଭଳି ଅଜବ ସେବା । ଶୁଣିବାକୁ ଅବିଶ୍ୱସନୀୟ ମନେ ହେଉଥିଲେ ବି ଘଣ୍ଟାକ ପାଇଁ ଜଣେ ପୁରୁଷଙ୍କୁ ସ୍ୱାମୀ ଭାବରେ ଭଡ଼ାରେ ନେଉଛନ୍ତି ସେଠାକାର ଅବିବାହିତା ମହିଳା । ସ୍ୱାମୀ-ସ୍ତ୍ରୀର ସଂପର୍କ ରକ୍ଷା ପାଇଁ ନୁହେଁ, ବରଂ ଦୈନନ୍ଦିନ ଜୀବନର ବିଭିନ୍ନ କାମ ପାଇଁ ସହାୟତା କରିବା ଉଦ୍ଦେଶ୍ୟରେ ଅବିବାହିତ ପୁରୁଷଙ୍କୁ ଭଡ଼ାରେ ନେଉଛନ୍ତି ସେଠାକାର ଅନେକ ମହିଳା ।
ଆହୁରି ପଢ଼ନ୍ତୁ...କର୍ପୋରେଟ୍ ସଂସ୍କୃତିରୁ ମୁହଁ ଫେରାଉଛନ୍ତି ଜାପାନ ଯୁବପିଢି, ସାଜୁଛନ୍ତି ବୌଦ୍ଧ ସନ୍ନ୍ୟାସୀ