ନୂଆଦିଲ୍ଲୀ ୩୧/୦୫: ସମୟଠାରୁ ଆଗରେ ଥାଏ ଜାପାନ’- ସାମାଜିକ ଗଣମାଧ୍ୟମର ପୃଷ୍ଠା ଖୋଲିଲେ ଏହି କ୍ୟାପସନ୍ଯୁକ୍ତ ରିଲ୍ ଅନେକ ସମୟରେ ଦେଖିବାକୁ ମିଳେ । ସେଥିରେ ଜାପାନର ଯେଉଁଭଳି ପ୍ରତିଛବି ଧରାଦିଏ, କ୍ୟାପସନ୍ ସହିତ ଏକମତ ହେବାରେ କୌଣସି ଦ୍ୱିଧା ନଥାଏ । ଖାଦ୍ୟପେୟ, ଜୀବନଶୈଳୀ, ପ୍ରଯୁକ୍ତି ବିଦ୍ୟା ସବୁ ଦିଗରୁ ଆମ ଆଖିରେ କେଇଗୁଣ ଅଧିକ ଆଗରେ ଜାପାନ । ବିଶ୍ୱର ନାନା ପ୍ରାନ୍ତରୁ ଆନିମେ ଓ ଜିବଲି (ଜାପାନି ଆନିମେସନ୍)ପ୍ରେମୀଙ୍କ ସ୍ୱପ୍ନର ଦେଶ ଜାପାନ । ବହୁ ଦେଶର ତରୁଣ-ତରୁଣୀଙ୍କ ମନରେ ଜାପାନରେ ଚାକିରି ଜୀବନ କଟାଇବାର ଆକାଂକ୍ଷା ଥାଏ । ତେବେ ଜାପାନର ଯୁବପିଢ଼ି କ’ଣ ଇଚ୍ଛା କରନ୍ତି ଜାଣନ୍ତି? ସେମାନଙ୍କ ଇଚ୍ଛା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । କାରଣ କିଛି ବର୍ଷ ମଧ୍ୟରେ ଜାପାନ ଯୁବପିଢ଼ିଙ୍କ ଗୋଟିଏ ବଡ଼ ଅଂଶ ଚାକିରି କରିବାକୁ ମନ ବଳାଉନାହାନ୍ତି । ବିଶେଷ କରି କର୍ପୋରେଟ୍ ଜୀବନକୁ ତ୍ୟାଗ କରି ସେମାନେ ବାଛି ନେଉଛନ୍ତି ବୌଦ୍ଧ ଭିକ୍ଷୁର ଜୀବନ । ଏକଥା ଜଣାଇଛି ସେ ଦେଶରେ କରାଯାଇଥିବା ବେଶ୍ କେତୋଟି ସମୀକ୍ଷା ।

କର୍ପୋରେଟ୍ ସଂସ୍କୃତି ପ୍ରତି ବିମୁଖ :

ବର୍ତ୍ତମାନ ଜାପାନରେ ଚାକିରି ଛାଡ଼ୁଥିବା ଯୁବକ/ଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ମନୋବିଜ୍ଞାନୀମାନେ ଏହାର କାରଣ ଭାବେ ଜାପାନର କର୍ପୋରେଟ୍ ସଂସ୍କୃତିକୁ ଦାୟୀ କରିଛନ୍ତି । ସେଠାର କର୍ପୋରେଟ୍ ଅଫିସଗୁଡ଼ିକର କାର୍ଯ୍ୟଭାର ଏତେ ଅଧିକ ଯେ କର୍ମଚାରୀମାନେ ଆଉ ସହ୍ୟ କରିବା ସ୍ଥିତିରେ ନାହାନ୍ତି । ତେଣୁ ଚାକିରି ଛାଡ଼ିବାକୁ ଶ୍ରେୟ ମଣୁଛନ୍ତି । ଜାପାନର କର୍ମଚାରୀମାନେ ‘ସାଲାରିମ୍ୟାନ୍’ ଭାବରେ ପରିଚିତ । ସେମାନଙ୍କର ଏଭଳି ନାମକରଣ ହେବା ପଛରେ କାରଣ ହେଉଛି- ଚାକିରିର ପୂର୍ଣ୍ଣ ଅବଧି ପର୍ଯ୍ୟନ୍ତ ଗୋଟିଏ ଅଫିସରେ କାମ କରିବା । ଅନ୍ୟାନ୍ୟ ଦେଶଗୁଡ଼ିକର ଲୋକମାନେ ସାଧାରଣତଃ ପେସାଗତ ଉନ୍ନତି ଉଦ୍ଦେଶ୍ୟରେ କର୍ମକ୍ଷେତ୍ର ବଦଳାଇ ଥାଆନ୍ତି । କିନ୍ତୁ ଜାପାନର କର୍ପୋରେଟ୍ ସଂସ୍କୃତିରେ ତାହା ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଦେଶକୁ ଉନ୍ନତ କରିବା ଲକ୍ଷରେ ଏହି ପ୍ରଥା ଚାଲୁ କରାଯାଇଥିଲା । ଜାପାନର ଲୋକମାନେ ବିଶ୍ୱବିଦ୍ୟାଳୟରୁ ବାହାରିବା ପରେ ଯେଉଁ କର୍ମକ୍ଷେତ୍ରରେ ଯୋଗ ଦିଅନ୍ତି, ସେହି କାର୍ଯ୍ୟାଳୟରେ ହିଁ ପ୍ରାୟତଃ ଚାକିରି ଜୀବନର ଶେଷ ଦିନ ପର୍ଯ୍ୟନ୍ତ କାମ କରିଥାଆନ୍ତି ଯାହା ସେଠାରେ ଏକ ସାଧାରଣ କଥା ।

​​​​​​​

ଜାପାନର ଅଫିସଗୁଡ଼ିକରେ ଦୈନିକ ଆଠଘଣ୍ଟା କାମର ସମୟ ନିର୍ଦ୍ଦିଷ୍ଟ କରାଯାଇଛି । କିନ୍ତୁ ଆବଶ୍ୟକସ୍ଥଳେ ଆଠଘଣ୍ଟା ପରେ ବି ଅଫିସରେ ରହିବା ପ୍ରାୟ ବାଧ୍ୟତାମୂଳକ କହିଲେ ଚଳେ । ତେବେ ଏହି ଅତିରିକ୍ତ ସମୟ କାମ କରିବା ପାଇଁ ଅଧିକାଂଶ କ୍ଷେତ୍ରରେ କୌଣସି ପ୍ରକାର ଆର୍ଥିକ ସୁବିଧା ଦିଆଯାଇନଥାଏ । ଅଫିସ କାମ ସରିବା ପରେ ସହକର୍ମୀମାନଙ୍କ ସହିତ ମଦ୍ୟପାନ, ଡିନର୍ କରିବା ଭଳି ପୂର୍ବ-ଏସୀୟ ଦେଶଗୁଡ଼ିକର କର୍ମସଂସ୍କୃତିରୁ ବାଦ ଯାଇନି ଜାପାନ । ତେଣୁ କୌଣସି କର୍ମଚାରୀଙ୍କ ପକ୍ଷରେ ସେହି କର୍ମସଂସ୍କୃତିକୁ ଅସ୍ୱୀକାର କରିବାର ଉପାୟ ନଥାଏ । ଅଫିସ ତରଫରୁ ଏପରି କର୍ମସଂସ୍କୃତିକୁ ବାଧ୍ୟତାମୂଳକ ବୋଲି ପ୍ରଥମରୁ ସ୍ପଷ୍ଟ କରାଯାଇଥାଏ । ସହକର୍ମୀଙ୍କୁ ସାହଚର୍ଯ୍ୟ ଦେବାରେ ମନା କଲେ ଉପରିସ୍ଥ ଅଧିକାରୀଙ୍କ ଚକ୍ଷୁଶୂଳ ହେବାର ଭୟ ଥାଏ । ଫଳରେ ନା କରିଥିବା କର୍ମଚାରୀ ପାଇଁ ଭବିଷ୍ୟତରେ ପଦୋନ୍ନତିର ଆଶା ମଉଳିଯାଏ । ଏଥି ସହିତ ରହିଛି ଉପରିସ୍ଥ ଅଧିକାରୀଙ୍କ ଭୟରେ କାମ କରିବାର ମାନସିକ ଚାପ । ଯେଉଁମାନେ ବସ୍‌ଙ୍କ କଥାନୁସାରେ ନିଜକୁ ଚଳାଇ ପାରନ୍ତି, ସେମାନଙ୍କ ପାଇଁ ବିଶେଷ ସମସ୍ୟା ନଥାଏ । କିନ୍ତୁ ଯେଉଁମାନେ ସେମିତି କରିପାରନ୍ତି ନାହିଁ, ସେମାନଙ୍କ ପାଇଁ କର୍ମଜୀବନ ଅତିଷ୍ଠ ହୋଇଉଠେ ।

 

୨୦୨୫ରେ ‘ମାଇନାବି କେରିଅର୍ ରିସର୍ଚ୍ଚ ଲ୍ୟାବ୍’ ନାମକ ଏକ ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଏକ ସମୀକ୍ଷାରେ ଦେଖିବାକୁ ମିଳିଥିଲା, ଜାପାନର କର୍ମଚାରୀମାନେ ସଫଳତା ପଛରେ ଦୌଡ଼ିବା ବନ୍ଦ କରିଦେଉଛନ୍ତି । ଯେତିକି ସମୟ କାମ ନ କଲେ ନ ଚଳେ, ସେତିକି ସମୟ କାମ କରି ବାହାରି ପଡ଼ୁଛନ୍ତି । ପଦୋନ୍ନତି, ବେତନବୃଦ୍ଧି ଏ ସମସ୍ତ ବିଷୟରେ ସେମାନଙ୍କର ଆଉ କୌଣସି ଆଗ୍ରହ ଦେଖିବାକୁ ମିଳୁନି । ଏପରିକି କେମିତି କାମ କରିଛନ୍ତି ତାହାକୁ ଭିତ୍ତି କରି ଧାର୍ଯ୍ୟ ହୋଇଥିବା ବୋନସ୍ ପ୍ରତି ମଧ୍ୟ ସେମାନଙ୍କର ଲୋଭ ନାହିଁ ।

ଆହୁରି ପଢ଼ନ୍ତୁ...ଏଠାରେ ଟ୍ରେଣ୍ଡ ପାଲଟିଛି ଅଜବ ନିୟମ, ବ୍ରେକଅପ୍ କଲେ ଦେବାକୁ ପଡ଼ିବ ଫି’

ଏବେ ଦେଖିବାକୁ ମିଳୁଛି, ଜାପାନର କର୍ମଚାରୀମାନଙ୍କର ଗୋଟିଏ ବଡ଼ ଅଂଶ କର୍ପୋରେଟ୍ ଜୀବନ ଛାଡ଼ି ବାଛି ନେଉଛନ୍ତି ବୌଦ୍ଧ ଭିକ୍ଷୁର ଜୀବନ । ଅନେକ ପୁଣି ଛୁଟି ଦିନଗୁଡ଼ିକରେ ବୌଦ୍ଧ ଭିକ୍ଷୁ ଭଳି ଜୀବନ ଅତିବାହିତ କରୁଛନ୍ତି । ଜାପାନି ଭାଷାରେ ଏହାକୁ କୁହାଯାଉଛି ‘ସୁକୁବା’ । ସାମୟିକ ସନ୍ନ୍ୟାସ ଜୀବନକୁ ଜାପାନି ଭାଷାରେ ‘ସୁକୁବା’ କୁହାଯାଏ ।