ନୂଆଦିଲ୍ଲୀ ୨୦/୦୫ : ବିଭାଜନର ପ୍ରାୟ ୮୦ ବର୍ଷ ପରେ ପାକିସ୍ତାନର ଲାହୋର ନିଜର ଇସ୍ଲାମିକ ପରିଚୟକୁ ଛାଡ଼ି ପୁରୁଣା ହିନ୍ଦୁ, ଶିଖ, ଜୈନ ଓ ଉପନିବେଶବାଦୀ ନାଁକୁ ଫେରୁଛି । ଏବେ ଇସଲାମ୍ପୁର ନାଁ କୃଷ୍ଣ ନଗର ହୋଇଛି । ବାବ୍ରୀ ମସ୍ଜିଦ ଛକ ଜୈନ ମନ୍ଦିର ଛକରେ ବଦଳିଛି । ରହମାନ ଗଳି ତା’ର ପୁରୁଣା ନାଁ ‘ରାମ ଗଳି’କୁ ଫେରିପାଇଛି ।
ଗତ ଦୁଇ ମାସ ହେଲା, ଲାହୋରରେ ଅତିକମ୍ରେ ୯ଟି ସ୍ଥାନର ନାଁର ପୁନଃନାମକରଣ ହୋଇଛି । ଅନେକ ସ୍ଥାନ ନିଜର ପୁରୁଣା ଗୌରବକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପରିବର୍ତ୍ତନ ପାକିସ୍ତାନର ପଞ୍ଜାବ ସରକାରଙ୍କ ‘ଲାହୋର ଐତିହ୍ୟ କ୍ଷେତ୍ର ପୁନରୁଦ୍ଧାର ପ୍ରକଳ୍ପ’ର ଅଂଶ । ସରକାରଙ୍କ କର୍ତ୍ତୃପକ୍ଷଙ୍କ ଅନୁସାରେ, ଅନେକ ଦଶନ୍ଧିର ଅବହେଳା, ଅନିୟମିତ ବିକାଶ ଏବଂ ବୈଚାରିକ ରୂପେ ଇତିହାସର ପୁନର୍ଲିଖନ ପରେ ଏହି ସାଂସ୍କୃତିକ ରାଜଧାନୀର ବିଭାଜନ ପୂର୍ବର ପରିଚୟକୁ ପୁନଃସ୍ଥାପିତ କରିବାର ଏହା ପ୍ରୟାସ ।
ଏହି ପରିବର୍ତ୍ତନ ଅତ୍ୟନ୍ତ ଗଭୀର ସ୍ତରରେ ହୋଇଛି । ସୁନ୍ନତ ନଗର ସନ୍ତ ନଗରରେ ରୂପାନ୍ତରିତ ହୋଇଛି । ମୌଲାନା ଜଫର ଅଲି ଖାନ୍ ଛକ ପୁଣି ଥରେ ଲକ୍ଷ୍ମୀ ଛକ ହୋଇଛି । ମୁସ୍ତଫାବାଦ ଏଣିକି ଧରମପୁରା ନାମରେ ପରିଚିତ ହେବ । ଔପନିବେଶିକ ଯୁଗର ନାଁ ମଧ୍ୟ ପୁଣି ଫେରିଛି । ଫାତିମା ଜିନ୍ନା ରୋଡ୍ ପୁଣି ଥରେ କ୍ୱିନ୍ସ ରୋଡ୍ ନାମରେ ପରିଚିତ ହେବ । ଆଲ୍ଲାମା ଇକ୍ବାଲ ରୋଡ୍ ଜେଲ ରୋଡ୍ ନାମରେ ପୁନଃସ୍ଥାପିତ ହେବ । ବାଗ୍-ଏ-ଜିନ୍ନା ନିଜର ପୁରୁଣା ଲରେନ୍ସ ଗାର୍ଡେନ୍ସ ନାଁ ଫେରିପାଇବ ।
ଏହି ପ୍ରକଳ୍ପ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ବିଚାରଧାରା, ଯାହା ତାଙ୍କ ଝିଅ ପଞ୍ଜାବର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମରୟମ ନୱାଜଙ୍କ ଦ୍ୱାରା ଆଗକୁ ବଢୁଛି । ଏହା ଦେଶର ସବୁଠୁ ମହତ୍ୱାକାଂକ୍ଷୀ ସଂସ୍କୃତି ପୁନରୁଦ୍ଧାର ପ୍ରୟାସ, ଯେଉଁଥିରେ ୫୦ ବିଲିଅନ ପାକିସ୍ତାନୀ ମୁଦ୍ରା ଖର୍ଚ୍ଚ ହୋଇଛି । ସରକାର ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ତୁଳନା କରି ଯୁକ୍ତି ଦର୍ଶାଇଛନ୍ତି ଯେ ପାକିସ୍ତାନ ମଧ୍ୟ ନିଜ ସହରମାନଙ୍କର ଐତିହାସିକ ଢାଞ୍ଚାକୁ ଲିଭାଇ ଦେବା ପରିବର୍ତ୍ତେ ସଂରକ୍ଷଣ କରିବା ଉଚିତ୍ । ଐତିହ୍ୟ ପର୍ଯ୍ୟଟନର ପ୍ରୋତ୍ସାହନ ଏବଂ ଏଥିରୁ ଆୟ ଏହି ପ୍ରୟାସର ଏକ ଉଦ୍ଦେଶ୍ୟ ।
ଆହୁରି ପଢ଼ନ୍ତୁ...‘ପ୍ରତିବାଦ କର, କିନ୍ତୁ ରାସ୍ତାକୁ ଓହ୍ଲାଇ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ଉଚିତ୍ ନୁହେଁ’ ଯୁବକଙ୍କୁ CJIଙ୍କ ଅପିଲ୍…