ଟଙ୍କାର ମୂଲ୍ୟ ହ୍ରାସ ସାମଗ୍ରିକ ଭାବରେ ବିଚାରକୁ ନେଲେ ଭାରତର ସମସ୍ତ ମୁଖ୍ୟ ଅର୍ଥନୈତିକ ବୈଶିଷ୍ଟ୍ୟ ଯଥା– ମୁଦ୍ରାସ୍ଫୀତି, ବିତ୍ତୀୟ ନିଅଣ୍ଟ, ବୈଦେଶିକ ମୁଦ୍ରା ଉଠାଣ, ଅଭିବୃଦ୍ଧି ହାର ପୃଥିବୀରେ ଯେକୌଣସି ବୃହତ୍ ଅର୍ଥନୀତି ତୁଳନାରେ ସନ୍ତୋଷଜନକ ଅଟେ । ଭାରତର କମ୍ପାନୀମାନେ ମଧ୍ୟ ରେକର୍ଡ ସ୍ତରରେ ଲାଭାଂଶ ଅର୍ଜନ କରୁଛନ୍ତି, ଯାହାକି ପୁଞ୍ଜିବଜାର ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି ।
ଡଲାର ପିଛା ଟଙ୍କାର ବିନିୟମ ମୂଲ୍ୟ ଗତ ତା. ୦୪.୧୨.୨୦୨୫ରେ ରେକର୍ଡ ୯୦ଟଙ୍କା ଅତିକ୍ରମ କରିଛି, ଯାହାକି ଏପରି ଦ୍ରୁତ ଅବକ୍ଷୟ ସମସ୍ତଙ୍କୁ ଚିନ୍ତିତ ଓ ଚକିତ ମଧ୍ୟ କରିଛି । କୌଣସି ଦେଶର ମୁଦ୍ରା ଅନ୍ୟ ଦେଶର ମୁଦ୍ରା ସହ ମୂଳତଃ ମୁଦ୍ରାସ୍ଫୀତିର ତାରତମ୍ୟକୁ ନେଇ କମ୍ ବେଶି ହେବା ଯୁକ୍ତିଯୁକ୍ତ । ବାସ୍ତବ କ୍ଷେତ୍ରରେ କିନ୍ତୁ ଆମ ଦେଶରେ ମୁଦ୍ରାସ୍ଫୀତି ବ୍ୟତୀତ ଚଳନ୍ତି ନିଅଣ୍ଟ, ବିଶ୍ୱ ତୈଳ ଦର, ଡଲାରର ମଜବୁତି ବା ଶକ୍ତ ହେବା, ଅର୍ଥନୈତିକ ସ୍ଥିତି, ବୈଶ୍ୱିକ ରାଜନୈତିକ ବାତାବରଣ ଓ ସର୍ବଶେଷରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଯାହାକି ଆମ କ୍ଷେତ୍ରରେ ଆର୍.ବି.ଆଇ.ର ଆର୍ଥିକ ନୀତି ମଧ୍ୟ ବୈଦେଶିକ ମୁଦ୍ରାର ବିନିମୟ ମୂଲ୍ୟକୁ ପ୍ରଭାବିତ କରିଥାଏ । ପୃଥିବୀରେ ୬୦ ପ୍ରତିଶତ ଆମେରିକୀୟ ଡଲାରରେ ବାଣିଜ୍ୟ କାରବାର ହେଉଥିବାରୁ ଏଠାରେ ମୁଖ୍ୟତଃ ଡଲାରକୁ ହିଁ ମୁଖ୍ୟ ଆଲୋଚ୍ୟ ବୈଦେଶିକ ମୁଦ୍ରା ଭାବେ ବିଚାରକୁ ନିଆଯାଇଛି । ଡଲାରର ଐତିହାସିକ ପୃଷ୍ଠଭୂମିକୁ ବିଚାରକୁ ନେଲେ ଆମର ସ୍ୱାଧୀନତା ସମୟରେ ଯାହା ୧ ଡଲାର ଟ.୩.୩୦ ଥିଲା ତାହା କ୍ରମାଗତ ବୃଦ୍ଧିପାଇ ୧୯୬୦ : ୪.୭୬, ୧୯୮୦ ରେ ୭.୮୯, ୧୯୯୦ ରେ ୧୭.୫୦, ୨୦୦୦ରେ ୪୪.୯୪ ଥିଲା । ୧୯୯୧ରେ ଆମେ ଉଦାରୀକରଣ ନୀତି ଅବଲମ୍ବନ କରିସାରିଥିବାରୁ ଯଦି ବିଗତ ୨୦୦୦ ପରଠାରୁ ଏହି ୨୫ବର୍ଷ ମଧ୍ୟରେ ଏହା ଦୁଇଗୁଣ ବୃଦ୍ଧିପାଇଛି ତାହାହେଲେ ହାରାହାରି ବାର୍ଷିକ ଏହା ୩ ପ୍ରତିଶତ ଅଟେ, ଯାହାକି ଯେକୌଣସି ମାନଦଣ୍ଡରେ ଏହା ଅଧିକ । କିନ୍ତୁ ୨୦୨୫ରେ ହାରାହାରି ୬ ପ୍ରତିଶତ ମୂଲ୍ୟ ହ୍ରାସ ହୋଇଥିବାରୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିଛି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଚଳିତ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ଏତେ ଦ୍ରୁତଗତିରେ ନିମ୍ନଗାମୀ ହୋଇଛି କାହିଁକି ଓ ଆମେ ଏହାପାଇଁ କେତେ ଚିନ୍ତିତ? ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଲେ ଭାରତ ବହୁଳ ଭାବରେ ଆମଦାନୀ କରୁଥିବା ଖଣିଜ ତୈଳ (୭୦ ପ୍ରତିଶତ), ଇଲେକଟ୍ରୋନିକ୍ସ ସାମଗ୍ରୀ, ଯନ୍ତ୍ରପାତି, ଔଷଧ ଓ କେମିକାଲ ଇତ୍ୟାଦିର ଦରବୃଦ୍ଧି ଫଳରେ ଯାତାୟାତ ଓ ଉତ୍ପାଦନ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧିପାଇବ । ଉଭୟ ସରକାରୀ ଓ ବୈଦେଶିକ ଋଣ ଉପରେ ଅଧିକ ସୁଧ ଫଳରେ ସରକାରଙ୍କୁ ବିତ୍ତୀୟ ବୋଝ ଅଧିକ ହେବ । ଭାରତର ବହୁ ଛାତ୍ର ବିଦେଶରେ ପଢୁଥିବାରୁ ଓ ଭାରତୀୟଙ୍କ ବିଦେଶ ଗମନାଗମନ ଆଶାତୀତ ବୃଦ୍ଧି ପାଉଥିବାରୁ ସେମାନେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବେ । ଅପର ଦିଗରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ବିଦେଶରେ ଆମ ସାମଗ୍ରୀ ଶସ୍ତା ହୋଇ ରପ୍ତାନି ବୃଦ୍ଧିପାଇବ ଓ ବିଦେଶୀ ଭାରତୀୟ ନାଗରିକ ପୃଥିବୀରେ ସର୍ବାଧିକ ବୈଦେଶିକ ମୁଦ୍ରା ଭାରତକୁ ପ୍ରେରଣ କରୁଥିବାରୁ ଆମେ ଲାଭବାନ ହେବୁ । ସ୍ଥଳବିଶେଷରେ ବିଦେଶୀ ନିବେଶକ ପୁଞ୍ଜି ପ୍ରତ୍ୟାହାର କରିବା ଫଳରେ ପୁଞ୍ଜି ବଜାରରେ ଅଧିକ ଅସ୍ଥିରତା ମଧ୍ୟ ପରିଲକ୍ଷିତ ହୋଇଥାଏ । ବୈଦେଶିକ ମୁଦ୍ରାକୁ ଆକର୍ଷିତ କରିବା, ମୁଦ୍ରାସ୍ଫୀତିକୁ ସ୍ଥିର ରଖିବାକୁ ଯାଇ ଯଦି ରିଜର୍ଭ ବ୍ୟାଙ୍କ ଆର୍ଥିକ ନୀତିରେ ଦର ବୃଦ୍ଧି କରନ୍ତି ତାହାହେଲେ ବିକାଶ କିଛି ମାତ୍ରାରେ ବାଧାପ୍ରାପ୍ତ ମଧ୍ୟ ହୋଇଥାଏ । ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଁ ଯଦିଓ ଉପରୋକ୍ତ ଜାତୀୟ-ଅନ୍ତର୍ଜାତୀୟ କାରଣ ପାଇଁ ହୋଇଥାଏ, ଅନେକ ସମୟରେ ବିଭିନ୍ନ ସାମୟିକ କାରଣ ପାଇଁ ଏହି ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ବର୍ତ୍ତମାନର ପରିସ୍ଥିତି ବିଚାରକୁ ନେଲେ ଟ୍ରମ୍ପଙ୍କର ଭାରତ ପାଇଁ ମାତ୍ରାଧିକ ଟାରିଫ୍ ପାଇଁ ଭାରତର ରପ୍ତାନି ହ୍ରାସ ପାଇଛି ଓ ଭାରତ-ଆମେରିକା ମଧ୍ୟରେ ନୂତନ ବାଣିଜ୍ୟିକ ନୀତି ବୁଝାମଣାର ଅନିଶ୍ଚିତତା ମୂଳତଃ ଦାୟୀ । ବିଦେଶୀ ନିବେଶକ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗରେ ନିବେଶ ପାଇଁ ଅଧିକ ପସନ୍ଦ କରୁଥିବାରୁ ଓ ଭାରତରେ ସେହିସବୁ କମ୍ପାନୀର ଅବସ୍ଥିତି ନଥିବାରୁ ଆମ ଦେଶରୁ ୨୦୨୫ରେ ବିଦେଶୀ ନିବେଶକ ୧୫୦,୦୦୦ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ମଧ୍ୟ ଆମେ ପୂର୍ବଭଳି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସକ୍ଷମ ହେଉନାହୁଁ । ଅନ୍ୟାନ୍ୟ ବିକାଶୋନ୍ମମୁଖୀ ଦେଶ ଯଥା- କୋରିଆ, ତାଇୱାନ, ଜାପାନ, ଇଣ୍ଡୋନେସିଆ ଦେଶ ଇତ୍ୟାଦିର ପୁଞ୍ଜିବଜାର ପ୍ରଦର୍ଶନ ଆମ ଅପେକ୍ଷା ଖୁବ୍ ଭଲ ହେଉଥିବାରୁ ସେମାନେ ଭାରତଠାରୁ ଅଧିକ ବୈଦେଶିକ ପୁଞ୍ଜି ଆକୃଷ୍ଟ କରିବା ପାଇଁ ସକ୍ଷମ ହେଉଛନ୍ତି । କରୋନା ପରବର୍ତ୍ତୀ ସମୟରେ ଆମେରିକାର ପ୍ରୋତ୍ସାହନ ନୀତି ଫଳରେ ମୁଦ୍ରାସ୍ଫୀତି ଓ ସୁଧହାର ମାତ୍ରାଧିକ ବୃଦ୍ଧିପାଇଛି, ଯାହାକି ବର୍ତ୍ତମାନ ହାରାହାରି ୪.୫. ପ୍ରତିଶତ ହୋଇଥିବାରୁ ବିଦେଶୀ ନିବେଶକ ଡଲାରଭିତ୍ତିକ ସଂପତ୍ତିରେ ବିନିଯୋଗ କରିବାପାଇଁ ଅଧିକ ଶ୍ରେୟ ମଣୁଛନ୍ତି । ଯାହାଫଳରେ ଆମ ଦେଶରେ ନିବେଶ ବାଧାପ୍ରାପ୍ତ ହେବା ସହ ଅଧିକ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ଘଟୁଛି । ଏଫ୍.ଡି.ଆଇ. ଓ କମ୍ପାନୀମାନଙ୍କର ବୈଦେଶିକ ଋଣ (ଇ.ସି. ବି) ମଧ୍ୟ ଏହି ସମୟରେ ପୂର୍ବ ତୁଳନାରେ ହ୍ରାସପାଇଛି, ଯାହାକି କ୍ୟାପିଟାଲ ଏକାଉଣ୍ଟ ନିଅଣ୍ଟିଆ ବୃଦ୍ଧି ପରିସ୍ଥିତି ସୃଷ୍ଟି ହୋଇଛି ।
କୌଣସି ଦେଶର ମୁଦ୍ରାର ବିନିମୟ ମୂଲ୍ୟ ବହିର୍ବାଣିଜ୍ୟ ଓ ବୈଦେଶିକ ମୁଦ୍ରା ପାଇଁ ସକ୍-ଆବଜରବର ସଦୃଶ । ତେଣୁ ଦେଶୀୟ ମୁଦ୍ରା ଉଭୟ ଅଧିକ ଦୁର୍ବଳ ହେଉ ବା ଶକ୍ତ ହେଉ ସେହି ଦେଶର ସର୍ବୋଚ୍ଚ ବ୍ୟାଙ୍କ ନିଜର ଆର୍ଥିକ ନୀତି ମାଧ୍ୟମରେ ଅନେକାଂଶରେ ଆବଶ୍ୟକତା ଅନୁଯାୟୀ ସ୍ଥିରତା ଆଣିପାରିବେ । କିନ୍ତୁ ଏହି ମର୍ମରେ ଗତ ୫ ତାରିଖରେ ଶେଷ ହୋଇଥିବା ଆର୍.ବି.ଆଇ. ଘୋଷଣା କରିଥିବା ଆର୍ଥିକ ନୀତିରେ ଟଙ୍କାର ହ୍ରାସକୁ ମୂଲ୍ୟ ପ୍ରତିରୋଧ କରିବା ପାଇଁ ସେପରି କୌଣସି ବିଶେଷ ପଦକ୍ଷେପ ନନେଇ ଟଙ୍କାକୁ ମୁକ୍ତ ବଜାର ତା’ର ସ୍ତର ନିର୍ଣ୍ଣୟ କରିବାପାଇଁ ଶ୍ରେୟ ମଣୁଛି । ବରଂ ରେପୋ ଦର ୦.୨୫ଟ. ହ୍ରାସ କରିଥିବାରୁ ବିଦେଶୀ ନିବେଶକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ ।
ଚଳନ୍ତି ନିଅଣ୍ଟ ଯାହାକି ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ୍ ଘରୋଇ ଉତ୍ପାଦନର ୦.୬ ପ୍ରତିଶତ ଥିଲା । ରପ୍ତାନି ହ୍ରାସ ଫଳରେ ତାହା ଚଳିତ ଆର୍ଥିକ ବର୍ଷରେ ୧.୩ ପ୍ରତିଶତ, ଏଫ.ଡି.ଆଇ. ଓ ଏଫ୍.ଆଇ.ଆଇ. ନିବେଶ ହ୍ରାସ ପାଇଥିବାରୁ କ୍ୟାପିଟାଲ ଏକାଉଣ୍ଟରେ ମଧ୍ୟ ନିଅଣ୍ଟିଆ ପରିସ୍ଥିତି ଦେଇ ଆମେ ଗତି କରୁଛୁ । ଟ୍ରମ୍ପଙ୍କର ଭାରତ ପ୍ରତି ବର୍ଦ୍ଧିତ ଟାରିଫ ହାରାହାରି ୩୪ ପ୍ରତିଶତ, ପଡ଼ୋଶୀ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ସମୂହର ହାରାହାରି ୧୬ ପ୍ରତିଶତରୁ ଅଧିକ ହେଉଥିବାରୁ ଭାରତର ସବୁଠାରୁ ବୃହତ ରପ୍ତାନିକାରୀ ରାଷ୍ଟ୍ର ଆମେରିକାକୁ ରପ୍ତାନି ହ୍ରାସ ପାଇଛି । ବିନିୟମ ମୂଲ୍ୟ ହ୍ରାସ ପାଇଲେ ହୁଏତ ରପ୍ତାନି ପାଇଁ ସହାୟକ ହେବ ବୋଲି ସରକାରଙ୍କର ଅର୍ଥନୈତିକ ମୁଖ୍ୟ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନ୍ ଯୁକ୍ତି ବାଢ଼ିଛନ୍ତି । ପୃଥିବୀର ସର୍ବବୃହତ୍ ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ର ଚୀନ ମଧ୍ୟ ଆମେରିକାର ବର୍ଦ୍ଧିତ ଟାରିଫର ଶିକାର ହୋଇ ତାର ଉଦ୍ବୃତ୍ତ ସାମଗ୍ରୀ ଶସ୍ତା ଦରରେ ଭାରତ ସମେତ ବିଭିନ୍ନ ଦେଶକୁ ରପ୍ତାନି କରୁଥିବାରୁ ଆମର ଦୁର୍ବଳ ଟଙ୍କା ଭାରତୀୟ ସମଗ୍ରୀର ପ୍ରତିଦ୍ୱନ୍ଦ୍ୱିତା କ୍ଷମତା ବୃଦ୍ଧିପାଇବ ବୋଲି ଆର.ବି.ଆଇ.ର ବିଶେଷଜ୍ଞଙ୍କ ମତ । ମୁଦ୍ରାସ୍ଫୀତି ଭାରତରେ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମାତ୍ର ୨.୦ ପ୍ରତିଶତ ରହିବ ବୋଲି ଆଶା କରାଯାଉଥିବାରୁ ଦୁର୍ବଳ ମୁଦ୍ରା ଆମର ବାଲାନ୍ସ ଅଫ୍ ପେମେଣ୍ଟ ଓ ବୈଦେଶିକ ଋଣ ସୁଧ ପରିଶୋଧ ଇତ୍ୟାଦିରେ କୌଣସି ବଡ଼ ଧରଣର ଅଘଟଣ କରିପାରିବ ନାହିଁ । ତେଣୁ ଉପରୋକ୍ତ କାରଣ ଯୋଗୁଁ ହୁଏତ ଆର୍.ବି.ଆଇ. ସ୍ଥିରତା ସକାଶେ ହସ୍ତକ୍ଷେପ କରିବା ପାଇଁ ବିଶେଷ ଚିନ୍ତିତ ନୁହେଁ । ଟଙ୍କାର ମୂଲ୍ୟ ହ୍ରାସ ସାମଗ୍ରିକ ଭାବରେ ବିଚାରକୁ ନେଲେ ଭାରତର ସମସ୍ତ ମୁଖ୍ୟ ଅର୍ଥନୈତିକ ବୈଶିଷ୍ଟ୍ୟ ଯଥା– ମୁଦ୍ରାସ୍ଫୀତି, ବିତ୍ତୀୟ ନିଅଣ୍ଟ, ବୈଦେଶିକ ମୁଦ୍ରା ଉଠାଣ, ଅଭିବୃଦ୍ଧି ହାର ପୃଥିବୀରେ ଯେକୌଣସି ବୃହତ୍ ଅର୍ଥନୀତି ତୁଳନାରେ ସନ୍ତୋଷଜନକ ଅଟେ ।
ଭାରତର କମ୍ପାନୀମାନେ ମଧ୍ୟ ରେକର୍ଡ ସ୍ତରରେ ଲାଭାଂଶ ଅର୍ଜନ କରୁଛନ୍ତି, ଯାହାକି ପୁଞ୍ଜିବଜାର ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛି । ଭାରତର ଡିଜିପିରେ ଦ୍ରୁତ ଅଭିବୃଦ୍ଧି, ନିକଟରେ ଆର୍.ବି.ଆଇ. ହ୍ରାସ କରିଥିବା ସୁଧହାର ପୁଞ୍ଜିବଜାର ପାଇଁ ସହାୟକ ହେବ । ମାନୁଫେକ୍ଚରିଂକୁ ପ୍ରୋତ୍ସାହନ ପାଇଁ ପି.ଏଲ.ଆଇ. ସ୍କିମ୍, ଜି.ଏସ୍.ଟି ଓ ଆୟକର ହ୍ରାସ କରି କ୍ରୟ କ୍ଷମତା ବୃଦ୍ଧି ଆତ୍ମନିର୍ଭର ଭାରତ, ଶ୍ରମ ଆଇନରେ ସଂସ୍କାର ସହିତ ଅନେକ ସଂସ୍କାରମୂଳକ ପଦକ୍ଷେପ ଭାରତ ନେଉଥିବାରୁ ଭବିଷ୍ୟତରେ ଭାରତ ଉଭୟ ଅଧିକ ଏଫ୍.ଡି.ଆଇ, ଏଫ୍.ଆଇ.ଆଇ. ଆକୃଷ୍ଟ କରିବ ବୋଲି ଆଶା କରାଯାଏ । ପରିବର୍ତ୍ତିତ ବୈଶ୍ୱିକ ରାଜନୈତିକ ସମୀକରଣ କାରଣରୁ ଡଲାରର ଆଧିପତ୍ୟ ହ୍ରାସପାଇବ ବୋଲି ହୃଦ୍ବୋଧ ହୁଏ । ଭାରତ ଟଙ୍କା ମାଧ୍ୟମରେ ବାଣିଜ୍ୟ କାରବାର ବୃଦ୍ଧି କରିବା ପାଇଁ ପ୍ରୟାସ କରିବ ଓ ବର୍ତ୍ତମାନ ମଧ୍ୟ କିଛିକାଂଶରେ ସଫଳ ହୋଇଛି । ଶେଷରେ ଆର୍.ବି.ଆଇ. ଏହାର ବିଭିନ୍ନ ଆର୍ଥିକ ନୀତି ଯଥା– ସୁଧହାର ବୃଦ୍ଧି, ମୁଦ୍ରା ବଜାରକୁ ଅଧିକ ଡଲାର ଛାଡ଼ିବା, ବିଦେଶୀ ପୁଞ୍ଜି ଆକୃଷ୍ଟ ପାଇଁ ପ୍ରୋତ୍ସାହନ ଇତ୍ୟାଦି ପଦକ୍ଷେପ ନେଇ ଭବିଷ୍ୟତରେ ମାତ୍ରାଧିକ ଟଙ୍କାର ମୂଲ୍ୟକୁ ଅବରୋଧ କରିପାରିବ ।
ସରକାର ରପ୍ତାନିକାରୀଙ୍କୁ ରପ୍ତାନି ବୃଦ୍ଧି କରିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ, ପ୍ରୋତ୍ସାହନ ଓ କଲ୍ୟାଣକାରୀ ଯୋଜନା ଆଣୁଛନ୍ତି³ ଯାହାକି ରପ୍ତାନି ବୃଦ୍ଧି ଫଳରେ ଚଳନ୍ତି ନିଅଣ୍ଟ ଅନେକ ପରିମାଣରେ ହ୍ରାସ କରିବ ବୋଲି ଆଶା ରଖିବା ସ୍ୱାଭାବିକ । ତେଣୁ ଯଦିଓ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି, ଏହା ସାମଗ୍ରିକ ଭାବେ ଅର୍ଥନୀତି ପାଇଁ ଅନୁକୂଳ ନହେଲେ ମଧ୍ୟ ଅନ୍ତତଃ ବର୍ତ୍ତମାନ ଅଧିକ ମାତ୍ରାରେ ବିଚଳିତ ନହୋଇ ଭବିଷ୍ୟତରେ ନିୟାମକ ସଂସ୍ଥା ଓ ସରକାରଙ୍କୁ ଆବଶ୍ୟକ ସ୍ଥଳେ ତୁରନ୍ତ ହସ୍ତକ୍ଷେପ କରିବା ଅନିବାର୍ଯ୍ୟ ।