ବିଞ୍ଝାରପୁର,୧୪।୨: ବିଞ୍ଝାରପୁର ଥାନା ଅଂଚଳରେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ଋଣ ଟଙ୍କା ପରିଶୋଧ ଓ ଅଧିକ ଯୌତୁକ ଦାବିରେ ସ୍ବାମୀ ସହ ଶାଶୁଘର ଲୋକ ମହିଳାଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି। ଏପରିକି ପ୍ରମାଣ ନଷ୍ଟ କରିବାକୁ ମୃତଦେହରେ ଡିଜେଲ ଢାଳି ଜଳିଦେବାକୁ ଉଦ୍ୟମ କରାଯାଇଛି। ପୁଲିସ ପହଞ୍ଚି ଅଧାପୋଡା ଶବ ଜବତ କରିବା ସହ ଲୁହା ରଡ ଜବତ କରିଛି। ମୃତ ମହିଳା ଜଣକ ହେଲେ କୁନିତା ସାମଲ(୩୬)। ପୁଲିସ ମୃତ ମହିଳାଙ୍କ ସ୍ବାମୀ ସହ ୫ଜଣଙ୍କୁ ଗିରଫ କରିଛି। ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ କରିଛି।
କୁଣିତା ୧୫ ବର୍ଷ ପୂର୍ବେ ବିଞ୍ଝାରପୁର ଅଞ୍ଚଳର ଦୀନବନ୍ଧୁ ସାମଲଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ପୁଅ ଅଛନ୍ତି। ଦୀନବନ୍ଧୁ ପତ୍ନୀ କୁନତାଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଟଙ୍କା ଋଣ ଆଣି ଖର୍ଚ୍ଚ କରିଥିଲେ। କମ୍ପାନୀ କର୍ମଚାରୀ ଟଙ୍କା ପରିଶୋଧ ପାଇଁ ମାଗିବାରୁ କୁନିତାଙ୍କୁ ଶାଶୁଘର ଲୋକ ୫୦ହଜାର ଟଙ୍କା ବାପଘରୁ ଆଣିବାକୁ ଚାପ୍ ପକାଉଥିଲେ। ଏଥିରୁ କୁନିତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ୧୦ ତାରିଖ ବିଳମ୍ବିତ ରାତିରେ ଦୀନବନ୍ଧୁ ସହ ଅନ୍ୟ ପରିବାର ସଦସ୍ୟ କୁନିତାଙ୍କୁ ଲାଠି, ଲୁହାରଡରେ ପିଟି ପିଟି ହତ୍ୟା କରିଥିଲେ। ଧରା ପଡ଼ିବା ଭୟରେ ସମସ୍ତେ ମିଶି କୁନୀତାଙ୍କ ମୃତଦେହକୁ ଡିଜେଲ ଢାଳି ନିଆଁ ଲଗାଇ ଜାଳି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ ଓ ବ୍ୟବହୃତ ଲୁହା ରଡ ଜବତ କରିଥିଲେ। ବିଞ୍ଝାରପୁର ଥାନାଧିକାରୀ ବିଲ୍ଵ ମଙ୍ଗଳ ସେଠୀ ଓ ଏସଡ଼ିପିଓ ପ୍ରଶାନ୍ତ ମାଝୀ ପହଞ୍ଚି ତଦନ୍ତ କରିବା ସହ ୫ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି।