ନୂଆଦିଲ୍ଲୀ,୨୪/୦୭: ୨୩ତମ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ଲନ ବଲରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ମହିଳା ବକ୍ସିଂରେ ପ୍ରତିଯୋଗିତା ଆରମ୍ଭ ହୋଇ ନଥିଲେ ବି ଲଭଲିନା ବୋର୍ଗୋହେଁ ଏକ ପଦକ ନିଶ୍ଚିତ କରିଛନ୍ତି  । ମହିଳା ଲନ ବଲରେ ଭାରତ ମାଲଟାକୁ ଭେଟିଥିଲା । ପିଙ୍କି ସିଂ ଓ ରୂପା ରାଣୀ ତିର୍କୀ ଯୋଡ଼ି ଚମତ୍କାର ପ୍ରଦର୍ଶନ କରି ମାଲଟା ଯୋଡ଼ିଙ୍କ ବିପକ୍ଷରେ ଟାଇ ବ୍ରେକରରେ ବିଜୟୀ ହୋଇଥିଲେ । ବକ୍ସିଂରେ ପଦକ ଇଭେଣ୍ଟ ଆସନ୍ତା ୧ ତାରିଖରେ ରହିଛି । ତା ପୂର୍ବରୁ କିନ୍ତୁ ଲଭଲିନ ସେମି ଫାଇନାଲରେ ପ୍ରବେଶ କରି ଏକ ବ୍ରୋଞ୍ଜ ନିଶ୍ଚିତ କରିଛନ୍ତି ।

ମହିଳା ୭୫ କିଲୋ ଓଜନ ବର୍ଗରେ ମାତ୍ର ୫ ଜଣ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ବାଏ ପାଇ ୩ ଜଣ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କେବଳ ଇଂଲଣ୍ଡ ଓ ନାଇଜେରିଆ ପ୍ରତିଯୋଗୀଙ୍କ ମଧ୍ୟରେ ଗୋଟିଏ କ୍ୱାର୍ଟର ଫାଇନାଲ ଖେଳାଯିବ । ସେମି ଫାଇନାଲରେ ପରାଜିତ ହେଲେ ବି ଲଭଲିନା ବ୍ରୋଞ୍ଜ ପଦକ ପାଇବେ । ବିଜୟୀ ହେଲେ ରୌପ୍ୟ/ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ । ସେ ସେମିରେ ତୁଭାଲୁର ତାରୋନା ତାଫାକିଙ୍କୁ ସାମ୍ନା କରିବେ । ଆଜିଠାରୁ (ଶୁକ୍ରବାର) କ୍ରୀଡ଼ାରେ ପଦକ ଇଭେଣ୍ଟ ଆରମ୍ଭ ହେବ । ଏଥର ୧୦ଟି କ୍ରୀଡ଼ାରେ ୨୧୫ଟି ଇଭେଣ୍ଟରେ ପ୍ରତିଯୋଗିତା ହେଉଛି । ଆଜି ଜିମ୍ନରାଷ୍ଟିକରେ ୧, ପାରା ଶକ୍ତିଉତ୍ତୋଳନରେ ୪ଟି ଏବଂ ସନ୍ତରଣରେ ୯ଟି ଇଭେଣ୍ଟରେ ପଦକ ପ୍ରତିଦ୍ୱନ୍ଦ୍ୱିତା ରହିଛି । ସମସ୍ତଙ୍କ ଇଭେଣ୍ଟରେ ଭାରତୀୟ ପ୍ରତିନିଧିତ୍ୱ କରିବେ ।

ଭାରୋତ୍ତୋଳକ ଦିଲବାଗ୍ ଭାଗ ନେବାରୁ ବଞ୍ଚିତ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି ।  ଭାରୋତ୍ତୋଳକ ଦିଲବାଗ ସିଂହଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି । ସେ ଡୋପ୍ ପରୀକ୍ଷାରେ ବିଫଳ ହୋଇନଥିଲେ ମଧ୍ୟ ତାଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତୋଳନ ଯୋଗ୍ୟତା ନିୟମ ଅନୁଯାୟୀ, ଯଦି କୌଣସି ଅଂଶଗ୍ରହଣକାରୀ ଦେଶର ଭାରୋତ୍ତୋଳକ ୨୦୨୫ ଜୁନ ୧ରୁ ୨୦୨୬ ଜୁଲାଇ ୨୨ ତାରିଖ ମଧ୍ୟରେ ଡୋପ୍ରେ ବିଫଳ ହୁଅନ୍ତି, ତା’ହେଲେ ଉକ୍ତ ଦେଶର କୋଟା ସ୍ଥାନକୁ କମାଇ ଦିଆଯିବ । ଭାରତକୁ ମୋଟ ୧୬ଟି କୋଟା ସ୍ଥାନ ମିଳିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତର ୪ଜଣ ଭାରୋତ୍ତୋଳକ ଡୋପିଂ ରୋଧୀ ନିୟମ ଉଲ୍ଲଙ୍ଘନ କରିଥିଲେ । ଫଳରେ ଭାରତର କୋଟା ସ୍ଥାନକୁ ୧୧କୁ କମାଇ ଦିଆଯାଇଛି । ଏହି କାରଣରୁ ଦିଲବାଗଙ୍କୁ ଦଳରୁ ଫେରାଇ ଅଣାଯାଇଛି । ପୂର୍ବରୁ ଅଜିତ ନାରାୟଣ (୭୧କିଲୋ) ଓ ବଂଶିତା ବର୍ମା (୮୬କିଲୋ) ଡୋପ୍‌ରେ ବିଫଳ ହୋଇ ଦଳରୁ ବାଦ୍ ପଡ଼ିଥିଲେ ।

ଏହା ବି ପଢନ୍ତୁ...Commonwealth Games 2026: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ, ଫଟୋରେ ଦେଖନ୍ତୁ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ