ନୂ୍ଆଦିଲ୍ଲୀ,୦୮/୧୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଆଉ ଦିନ କେଇଟାରେ ଶପଥ ନେବେ। ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ତାଙ୍କ ବିଜୟ ସହିତ, ଆମେରିକା ଯିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟମାନଙ୍କ ଠାରେ ପ୍ରଶ୍ନ ଉଠିଛି ଯେ, ଟ୍ରମ୍ପ ଆମେରିକା ଯିବା ବାଟରେ ସମର୍ଥନ ଜଣାଇବେ ନା ସେମାନଙ୍କ ପାଇଁ ସମସ୍ୟା ପାଏଏଟିବେ? ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରବାସୀମାନଙ୍କ ପ୍ରତି ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ସମସ୍ତଙ୍କୁ ଉତ୍ତେଜିତ କରୁଛି। ଏହି ପ୍ରଶ୍ନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି ଯେ, ଆମେରିକାର ଗ୍ରୀନ୍‌ କାର୍ଡ ପାଇବା ଭାରତୀୟଙ୍କ ପାଇଁ ଏକ କଷ୍ଟକର କାର୍ଯ୍ୟ ହେବ କି? RAISE ଅଧିନିୟମ ୨୦୧୭ ଦ୍ବାରା କ’ଣ ହେବ? ଜାନୁଆରୀ ୨୦ ରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ହିଁ ଏହି ଦୁଇଟି ବିଷୟ ସ୍ପଷ୍ଟ ହୋଇଯିବ। କିନ୍ତୁ, ଏହାପୂର୍ବରୁ ଆସନ୍ତୁ ପୁରା କଥା ବୁଝିବା...

ପ୍ରବାସୀଙ୍କୁ ନେଇ କ'ଣ କହିଥିଲେ ଟ୍ରମ୍ପ ?

ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଗ୍ରୀନ୍‌ କାର୍ଡ ଉପରେ ଭିନ୍ନ ଆଭିମୁଖ୍ୟ ପ୍ରକାଶ କରିଥିଲେ। ଜୁନ୍, ୨୦୨୪ ରେ ସେ କହିଥିଲେ ଯେ ଆମେରିକାରେ ଦକ୍ଷ ପ୍ରତିଭା ବଜାୟ ରଖିବା ପାଇଁ ଜୁନିୟର କଲେଜ ସମେତ ଆମେରିକୀୟ କଲେଜରୁ ସ୍ନାତକ ହାସଲ କରିଥିବା ବିଦେଶୀ ଛାତ୍ରମାନଙ୍କୁ ଗ୍ରୀନ୍‌ କାର୍ଡ ଦିଆଯାଇପାରିବ। ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ପାଇଁ ଏହି ଡିଗ୍ରୀହାସଲକାରୀମାନେ ସ୍ୱୟଂଚାଳିତ ଗ୍ରୀନ୍‌ କାର୍ଡ ପାଇବା ଉଚିତ ବୋଲି ସେ ମତ ଦେଇଥିଲେ।

ଗ୍ରୀନ୍‌ କାର୍ଡରେ ଆମେରିକାରେ କ'ଣ ମିଳେ ସୁବିଧା: 

ଗ୍ରୀନ୍ କାର୍ଡଧାରୀ ବ୍ୟକ୍ତିଙ୍କ ପାଇଁ ଆମେରିକାରେ ପ୍ରବେଶ କରିବା ପାଇଁ ଭିସାର ଆବଶ୍ୟକତା ପଡ଼େନି। ଗ୍ରୀନ୍ କାର୍ଡଧାରୀମାନଙ୍କୁ ଦେଶ ତଥା ବାହାରେ ମୁକ୍ତ ଭାବରେ ଯାତ୍ରା କରିବାକୁ ଏବଂ ସାମାଜିକ ସୁରକ୍ଷା, ମେଡିକେୟାର ଏବଂ ମେଡିକେଡ୍ ଭଳି ଅଧିକାଂଶ ସରକାରୀ ସୁବିଧା ସୁଯୋଗ ନେବାକୁ ଅନୁମତି ଦିଆଯାଇଛି। ଗ୍ରୀନ୍ କାର୍ଡଧାରୀମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ (ସାଧାରଣତଃ ୩ ରୁ ୫ ବର୍ଷ) ପରେ ଆମେରିକାର ନାଗରିକତ୍ୱ ପାଇଁ ଏକ ବାଟ ପାଇଯାଆନ୍ତି। 

ଆମେରିକାରେ ରହିବାକୁ ଗ୍ରୀନ୍‌ କାର୍ଡ ହେଉଛି ଗ୍ରୀନ୍‌ ସିଗ୍‌ନାଲ୍: 

ଯୁକ୍ତରାଷ୍ଟ୍ରରେ ସ୍ଥାୟୀ ନିବାସୀ କାର୍ଡ କିମ୍ବା ଫର୍ମ I-551 କୁ ସରକାରୀ ଭାବେ ଗ୍ରୀନ୍ କାର୍ଡ କୁହାଯାଏ। ଏହି କାର୍ଡ ଏମିତି ଜଣେ ବ୍ୟକ୍ତିଙ୍କୁ ଦିଆଯାଏ ଯିଏ ଆମେରିକାର ନାଗରିକ ନୁହଁନ୍ତି। ଫଳରେ ଏହି କାର୍ଡ ଯେକୌଣସି ବିଦେଶୀଙ୍କୁ ଆମେରିକାରେ ରହିବାକୁ ଏବଂ କାମ କରିବାକୁ ଅନୁମତି ଦେଇଥାଏ। ଗ୍ରୀନ୍ କାର୍ଡଧାରୀମାନେ ଆମେରିକାର ନାଗରିକଙ୍କ ସହିତ ପ୍ରାୟ ସମସ୍ତ ସମାନ ଅଧିକାର ପାଆନ୍ତି।

ଭାରତର ଜନସଂଖ୍ୟା ହିସାବରେ ୭ ପ୍ରତିଶତ କୋଟା କମ୍‌ ଅଟେ:

ଆମେରିକାର ନିୟମ ଅନୁଯାୟୀ, ରୋଜଗାର ଭିତ୍ତିକ ଗ୍ରୀନ୍‌ କାର୍ଡ ପ୍ରଦାନର ବାର୍ଷିକ ସୀମା ହେଉଛି ୧,୪୦,୦୦୦। ଏହା ବ୍ୟତୀତ ପ୍ରତ୍ୟେକ ଦେଶ ପାଇଁ ମାତ୍ର ୭ ପ୍ରତିଶତ କୋଟା ରହିଛି। ଭାରତ ଏବଂ ଚୀନ୍ ପରି ଜନବହୁଳ ଦେଶର ଉଚ୍ଚ କୁଶଳୀ ଯୁବକମାନେ ଏହାର ଭାର ବହନ କରିବାକୁ ପଡ଼ବ, କାରଣ ଏଠାକାର ଲୋକମାନେ ଆମେରିକା ଯାଇ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି। ଏହି କୋଟା ଭାରତୀୟମାନଙ୍କୁ ସମସ୍ୟା ଦେଉଛି ।

ଟ୍ରମ୍ପ ଆସିବା ପରେ କ'ଣ ସବୁ ପରିବର୍ତ୍ତନ ହେବ ?

ଅନେକ ରିପୋର୍ଟ ସୂଚିତ କରେ ଯେ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଅନେକ ମୁସଲମାନ ବହୁଳ ଦେଶ ଉପରେ ଆମେରିକା ଯାତ୍ରା ପାଇଁ ପ୍ରତିବନ୍ଧକ ଲଗାଇପାରନ୍ତି।  ଶରଣାର୍ଥୀଙ୍କ ପୁନର୍ବାସକୂ ବନ୍ଦ କରିପାରନ୍ତି। ବଡ଼ ବ୍ୟାକଲଗ୍‌ ବିଶିଷ୍ଟ ବର୍ଗଗୁଡିକ ପାଇଁ ଗ୍ରୀନ୍ କାର୍ଡ ଆବେଦନଗୁଡ଼ିକୁ ରଖାଯାଇପାରେ। ବିଦେଶୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ବ୍ୟବସାୟକୁ ପ୍ରଭାବିତ କରିପାରେ।