ମୁମ୍ବାଇ ୧୨/୦୪: ଆସନ୍ତା ୬ ତାରିଖରେ ଆୟୋଜିତ ହେବ ଫ୍ୟାଶନ୍‌ ଦୁନିଆର ସବୁଠୁ ବଡ଼ ସମାରୋହ ମେଟ୍‌ ଗାଲା । ଇତିମଧ୍ୟରେ ଚର୍ଚ୍ଚା ହେଉଛି, କିଙ୍ଗ୍‌ ଖାନ୍‌ ଏ ବର୍ଷ ମେଟ୍‌ ଗାଲାରେ ଡେବ୍ୟୁ କରିବେ । ଏହି ଖବର ସାମ୍ନାକୁ ଆସିବା ପରଠୁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି । ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀ ଏକ ପୋଷ୍ଟ୍‌କୁ ଲାଇକ୍‌ କରିବା ପରେ ଏହି ଗୁଜବ ଉଠିଛି । ପୋଷ୍ଟ୍‌ରେ ଶାହରୁଖଙ୍କ ନାଁ ନ ଥିଲା । କିନ୍ତୁ ଲେଖାଥିଲା- ନିଜ ନିଜ କ୍ଷେତ୍ରର ଦୁଇ ଜଣ ଭେଟେରାନ୍‌, ଜଣେ ବଲିଉଡ୍‌ର ମହାନ ସୁପର୍‌ଷ୍ଟାର ଓ ଅନ୍ୟ ଜଣେ ଆମ ପିଢ଼ିର ସବୁଠୁ ବଡ଼ ଡିଜାଇନର । ଏବେ ମେଟ୍‌ ଗାଲା-୨୦୨୫ରେ ଡେବ୍ୟୁ ପାଇଁ ଏକତ୍ର ଆସୁଛନ୍ତି । 

ତେବେ ଏହି ପୋଷ୍ଟ୍‌ରେ ସୋସିଆଲ ମିଡିଆ ୟୁଜର ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି ‘ଶାହରୁଖ ମେଟ୍‌ ଗାଲାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।’ ଆଉ ଜଣେ ଲେଖିଛନ୍ତି ‘ନିଶ୍ଚୟ ଶାହରୁଖ ଓ ଫ୍ୟାଶନ୍‌ ବାଦ୍‌ଶାହ ସବ୍ୟସାଚୀ ।’ ଆହୁରି ଅନେକ ୟୁଜର୍‌ ମଧ୍ୟ ଶାହରୁଖଙ୍କ ଡେବ୍ୟୁକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏ ବର୍ଷ କିଆରା ଆଡ଼ଭାନି ବି ମେଟ୍‌ ଗାଲାରେ ଡେବ୍ୟୁ କରିବେ । ଗତ ବର୍ଷ ସେ କାନ୍‌ରେ ଭାଗ ନେଇଥିଲେ ।