ନୂଆଦିଲ୍ଲୀ,୨୮।୧୨:  ଚୀନ୍‌ରୁ ୪୦ ଜେ-୩୫ ଫିଫଥ୍ ଜେନେରେସନ୍ ଷ୍ଟିଲଥ୍ ଜେଟସ୍‌ କିଣିବାର ଯୋଜନାକୁ ମଞ୍ଜୁରୀ ଦେଇଛି ପାକିସ୍ତାନ । ଏହାଦ୍ବାରା ଭାରତ ଓ ପାକିସ୍ତାନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତଯୋଗିତା ବଢିବାର ସମ୍ଭାବନା ରହିଛି। ଏହି ବିମାନ ଆସନ୍ତା ଦୁଇ ବର୍ଷରେ ପାକିସ୍ତାନକୁ ଡେଲିଭର କରାଯିବ। ଜେ-୩୫, ଚୀନ୍‌ର ଜେ-୩୧ର ଏକ ନୂଆ ଭର୍ସନ, ଯାହାକୁ ବିକ୍ରି କରିବା ଉଦେଶ୍ୟରେ ଧ୍ୟାନରେ ରଖି ତିଆରି କରାଯାଇଛି। କୁହାଯାଉଛି ଯେ, ଏହି ବିମାନର ଡେଲିଭରି ସହ ପାକିସ୍ତାନ ଆକାଶ ମାର୍ଗରେ ଭାରତଠାରୁ ୧୨ ବର୍ଷ ଆଗକୁ ଚାଲିଯିବ। ତେବେ ଏହି ଦାବି ଚୀନ୍‌ର ବିଶେଷଜ୍ଞ କରିଛନ୍ତି।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ବିମାନ ଆକାଶ ମାର୍ଗ ସହ ଭୂପୃଷ୍ଠ ଓ ସମୁଦ୍ର ପଥରେ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାଦ୍ବାରା ଆଗାମୀ ପିଢିର ଏଭିୟୋନିକ୍ସ ଓ ଆଡଭାନ୍ସ ଷ୍ଟିଲଥ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। SCMPର କହିବା ଅନୁସାରେ, ଏହି ବିମାନ ପାକିସ୍ତାନର ପୁରୁଣା ଆମେରିକ ଏଫ୍-୧୬ ଓ ଫ୍ରାନ୍ସର ମିରାଜ ଫାଇଟର ଜେଟ୍‌କୁ ବଦଳାଇବା ପାଇଁ ପ୍ରସ୍ତୁତ କରାଯାଇଛି। ଚୀନ୍ ଦ୍ବାରା କୌଣସି ମିତ୍ର ରାଷ୍ଟ୍ରର ଫିଫଥ୍ ଜେନେରେସନ୍‌ ଫାଇଟର ଜେଟସ୍‌ର ଏହା ପ୍ରଥମ ଉତ୍ପାଦନ ହେବ। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ ଶକ୍ତି ସନ୍ତୁଳନକୁ ବଦଳାଇପାରେ।

ପାକିସ୍ତାନ ବାୟୁସେନା ପୂର୍ବରୁ ହିଁ ଜେ-୩୫ ପାଇଁ ଚୀନ୍‌ରେ ନିଜର ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଦେଇଛି। ଜାନୁଆରୀରେ ପାକିସ୍ତାନ ଏୟାର ଚିଫ୍ ମାର୍ଶଲ ଜହିର ଅହମ୍ମଦ ବାବର ସିଦ୍ଧୁ କହିଥିଲେ ଜେ-୩୫ ପ୍ରାପ୍ତ କରିବାର ଭିତ୍ତିଭୂମି ରଖାଯାଇ ସାରିଛି। ଏସ୍‌ସିଏମ୍‌ପିର କହିବା ଅନୁସାରେ, ଏହି ବିମାନ ପାକିସ୍ତାନକୁ ଭାରତରେ ରଣନୈତିକ ବିକାଶ ଦେଇପାରେ। ପିଏଏଫ୍‌ର ରିଟାୟର୍ଡ ଅଧିକାରୀ ଜିୟା ଉଲ୍‌ ହକ୍ ଶାସମିଙ୍କ କହିବା ଅନୁସାରେ, ଜେ-୩୫ ବିମାନର ମୁତୟନ ଦ୍ବାରା ପାକିସ୍ତାନକୁ ଆଗାମୀ ୧୨-୧୪ ବର୍ଷ ପର୍ଯ୍ୟନ୍ତ ଭାରତଠାରୁ ଆହୁରି ଶକ୍ତିଶାଳୀ ହୋଇଯିବ। ତେବେ କିଛି ବିଶେଷଜ୍ଞ ଏହି ଅବଧିକୁ ୭-୮ବର୍ଷ ପର୍ଯ୍ୟନ୍ତ ସୀମିତ ରଖିଛନ୍ତି। ଏବେ ଏହାକୁ ଚ୍ୟାଲେଞ୍ଜ ଦେବା ପାଇଁ ଭାରତ ଫିଫଥ୍ ଜେନେରେସନ୍ ଫାଇଟର ଜେଟସ୍ ବିକଶିତ କରିବା ପାଇଁ ନିଜ ସ୍ବଦେଶୀ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।