ଭୁବନେଶ୍ୱର,୧୧।୦୧: "ଗତ ବର୍ଷ ଖର୍ଚ୍ଚ ବି ଉଠିନଥିଲା । ଏଥର କିନ୍ତୁ ମନ ଖୁସି । ୮ ଲକ୍ଷ ଟଙ୍କାର ଜିନିଷ ଆଣିଥିଲି । ଶୀତ ସରିନି ଜିନିଷ ସରିଗଲା । ୧୩ ଶହ ଖଣ୍ଡ କେବଳ ସ୍ୱେଟର ଓ ଜାକେଟ୍ ବିକ୍ରି କରିଛି, କମ୍ବଳ ଓ ଚାଦର କଥା ଛାଡ଼ନ୍ତୁ । ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ୍ । କାରଣ ଗତଥର ଯେଉଁ କ୍ଷତି ହୋଇଥିଲା ଏଥର ଭରଣା ହେଲା' । ଏକଥା କହିଛନ୍ତି ରାଜସ୍ଥାନରୁ ଆସିଥିବା ଶୀତବସ୍ତ୍ର ବ୍ୟବସାୟୀ ଦରବାର ବଞ୍ଜାରା । ଏହା କେବଳ ଦରବାରଙ୍କ କଥା ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ବିକ୍ରି କରୁଥିବା ପ୍ରାୟ ସମସ୍ତ ବେପାରୀଙ୍କର କଥା । ଏଥର ଜାଡୁଆ ଶୀତ ବେପାରୀଙ୍କୁ ପୂରା ମାଲେମାଲ କରିଛି ।
ପୂର୍ବବର୍ଷର ସ୍ୱେଏଟରେ କାମ ଚଳେଇଦେବାକୁ ଭାବିଥିବା ଲୋକ ଜାଡ଼ କାରଣରୁ ନୂଆ ଶୀତବସ୍ତ୍ର କିଣିବାକୁ ବାଧ୍ୟ ହୋଇଛି । ଅବଶ୍ୟ କିଛି ବେପାରୀଙ୍କୁ ଏଥର ଶୀତ ନିରାଶ କରିଛି । କାରଣ ସେମାନେ ଗତଥର ଯେଉଁ କ୍ଷତି ଖାଇଥିଲେ, ସେଥିପାଇଁ ଏଥର ଡରିଡରି ଜିନିଷ ଆଣିଥିଲେ । ସେହି ଜିନିଷର ଚାହିଦା ନରହିବା କାରଣରୁ କିଛି ବ୍ୟବସାୟୀଙ୍କର ମନଖୁସି ବେପାର ହୋଇନଥିଲା । ଖାଲି ଶୀତ ବଜାର କାହିଁକି ବଡ଼ବଡ଼ ମଲ୍ ଓ ଅନ୍ଲାଇନ୍ରୁ ମଧ୍ୟ ଲୋକମାନେ ଏଥର ବହୁଳମାତ୍ରାରେ ଗରମ ପୋଷାକ କିଣିଛନ୍ତି । ଏଥିପାଇଁ ଅନ୍ଲାଇନ୍ ବଜାରରେ ଅନେକ ରିହାତି ଓ ଅଫର ମଧ୍ୟ ରହିଛି । ରାଜଧାନୀରେ ଶୀତ କଥା ତ ନକହିବା ଭଲ । କାରଣ ସକାଳ ୮ଟାରେ ମଧ୍ୟ ଖରାର ଦେଖାଦର୍ଶନ ମିଳୁନି । ଦିନରେ ବି ଖୋଜାପଡ଼ୁଛି କମ୍ବଳ । ବାହାରକୁ ଯିବାବେଳେ ମୁଣ୍ଡଠୁ ଗୋଡ଼ ଢାଙ୍କି ନହେଲେ ଶୀତପୂରା ଛାତି ଥରେଇ ଦେଉଛି ।
ଗତ ଦୁଇଦିନ ଭିତରେ ଶୀତ ଆଶ୍ଚର୍ଯ୍ୟଜନକଭାବେ ବଢିଛି । ସେଥିପାଇଁ ଶୀତବସ୍ତ୍ରର ବିକ୍ରି ଆକାଶ ଛୁଇଁଛି । ଚଳିତ ବର୍ଷର ଜାଡ଼ ଶୀତ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟାଇଛି । ବ୍ୟବସାୟୀଙ୍କ କହିବା କଥା ଲୋକମାନେ ଅଧିକ ଶୀତ ସମ୍ଭାଳୁଥିବା ଏବଂ ଦେହକୁ ଆରାମ ଦେଉଥିବା ଶୀତବସ୍ତ୍ରକୁ ଅଧିକ ପସନ୍ଦ କରୁଛନ୍ତି । ଦୁଇଚକିଆ ଯାନ ଚଲାଉଥିବା କର୍ମଜୀବୀ ମହିଳା ଓ ପୁରୁଷମାନେ ଉଇଣ୍ଡପ୍ରୁଫ ଜାକେଟ୍ ଅଧିକ ପସନ୍ଦ କରୁଛନ୍ତି । ଏହାବ୍ୟତୀତ ମହିଳାମାନଙ୍କର ଇଅରମଫ୍ ଓ ଟୋପି ବେଶ୍ ଭଲ ବିକ୍ରି ହୋଇଛି । ବିଶେଷକରି ଓଡ଼ିଶାର ଜଗସିଂହପୁର ଜିଲ୍ଲା ସମେତ ରାଜସ୍ଥାନ ଓ କୋଲକାତାର ବେପାରୀମାନଙ୍କୁ ଶୀତବସ୍ତ୍ର ବଜାରରେ ଦେଖିବାକୁ ମିଳୁଛି । ଯେଉଁମାନେ ମୁଖ୍ୟତଃ ଲୁଧିଆନା, ପାନିପଥ, କୋଲକାତା, ଦିଲ୍ଲୀ ଭଳି ସ୍ଥାନରୁ ଏହି ଶୀତବସ୍ତ୍ର ଆଣିଥାନ୍ତି । ଏହି ବଜାରଗୁଡ଼ିକ ମୁଖ୍ୟତଃ ଖଣ୍ଡଗିରି, ୟୁନିଟି-୧ ବଜାର, ରସୁଲଗଡ଼, ସହିଦନଗର, ବରଗଡ଼, ଉତ୍ତରାଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ପଡ଼ିଛି । ଶୀତବସ୍ତ୍ର କିଣିବାକୁ ଆସିଥିବା ସରିତା କୁହନ୍ତି, ପୂର୍ବବର୍ଷ ଅଧିକ ଥଣ୍ଡା ପଡ଼ିନଥିବାରୁ ଏଥର ଭାବିଲି ବୋଧେ ସମାନ ଅବସ୍ଥା ହେବ । ହେଲେ ଗତ କିଛି ଦିନ ହେବ ସାଙ୍ଘାତିକ୍ ଥଣ୍ଡା ପଡ଼ିଛି । ବିଶେଷକରି ସକାଳୁ ପୁଅକୁ ଗାଡ଼ିରେ ସ୍କୁଲ ନେଇ ଯିବା ବେଳେ ଥଣ୍ଡା କହିଲେ ନସରେ । ସେଥିପାଇଁ ପବନକୁ ଅବରୋଧ କରୁଥିବା ଟିକେ ମୋଟା ଜାକେଟ୍ କିଣିବାକୁ ଆସିଛି ।