ଭୂବନେଶ୍ବର:  ବର୍ତ୍ତମାନ ସମୟରେ ଭାରତରେ ବେତାର ଯୋଗଯୋଗ ବଡ଼ ରେକର୍ଡ ସୃଷ୍ଟି କରିଛି । ମୋବାଇଲ୍‌ ଫୋନ୍‌ ବ୍ୟବହାର ଖୁବ ବୃଦ୍ଧି ପାଇଛି । ଲୋକଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମୋବାଇଲ ଫୋନ୍‌ ।  ଆଜିର ମୋବାଇଲ୍‌ ଫୋନ୍‌ କେବଳ କଥା ହେବାର ଏକ ମାଧ୍ୟମ ହୋଇ ରହିନାହିଁ ବରଂ ଏଥିରେ ଉପଲବ୍ଧ ଇଣ୍ଟରନେଟ୍‌ କନେକ୍ସନ ଅସମ୍ଭବକୁ ସମ୍ଭବ କରିପାରିଛି । ଆଖି ପିଛୁଳାକେ  ବିଶ୍ବର ଯେକୌଣସି ସ୍ଥାନ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇ ପାରୁଛି ।  କିନ୍ତୁ ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବରୁ ଏଭଳି ଯୋଗାଯୋଗ ଏକ ସ୍ବପ୍ନ ଥିଲା ।  ହେଲେ ୧୯୯୫ ଜୁଲାଇ ୩୧, ଭାରତର ଯୋଗାଯୋଗ ଇତିହାସରେ ଯୋଡ଼ି ଦେଇଥିଲା ଏକ ସ୍ବର୍ଣ୍ଣିମ ଫର୍ଦ୍ଦ । 

ଭାରତର ଟେଲିକମ୍ୟୁନିକେସନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିବା ପ୍ରଥମ ବେତାର କଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖ ରାମଙ୍କ ମଧ୍ୟରେ ୧୯୯୫ ଜୁଲାଇ ୩୧ରେ ହୋଇଥିଲା ।  ନୋକିଆ ଫୋନ ବ୍ୟବହାର କରି ଏହି ଐତିହାସିକ କଲ କରି ଭାରତରେ ଯୋଗାଯୋଗା କ୍ଷେତ୍ରରେ ଏକ ନୂଆ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରାଯାଇଥିଲା । 

ଭାରତର ବିକେ ମୋଦୀ ଓ ଅଷ୍ଟ୍ରେଲିଆର ଟେଲଷ୍ଟ୍ରାର ମିଳିତ ପ୍ରୟାସରେ ଏହି କଲକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇ ପାରିଥିଲା, ଯାହା ମୋଦୀ ଟେଲଷ୍ଟ୍ରା ନେଟଓ୍ବର୍କ ଭାବେ ଜଣାଶୁଣା ଥିଲା । କୋଲକାତା-ନୂଆଦିଲ୍ଲୀ ଭଳି ଦୁଇଟି ସହର ମଧ୍ୟରେ ଏହି କଲକୁ କରାଯାଇଥିଲା । ସେହି ସମୟରେ ମୋବାଇଲ ସେବା ଏକ ବିଳାସପୂର୍ଣ୍ଣ ସେବାଭାବେ ପରିଗଣିତ ହେଉଥିଲା। ତେଣୁ ଉଭୟ ଆଉଟଗୋଇଙ୍ଗ ଓ ଇନକମିଙ୍ଗ ଉପରେ ମିନିଟ ପ୍ରତି ୮.୪ ଟଙ୍କା ଚାର୍ଜ କରାଯାଉଥିଲା । ପିକ୍‌ ସମୟରେ କଲ୍‌ କଲେ ବ୍ୟକ୍ତିଙ୍କୁ ମିନିଟ ପ୍ରତି ୧୬.୮  ଟଙ୍କା ଯାଏ ମଧ୍ୟ ଦେବାକୁ ପଡୁଥିଲା । 

ବର୍ତ୍ତମାନ ସମୟରେ ଭାରତରେ ଟେଲିକମ ଶିଳ୍ପକୁ ଦେଖିଲେ ଏକ ବଡ ପରିବର୍ତ୍ତନ ହୋଇଥିଲା ଭଳି ମନେ ହୁଏ । ତୀବ୍ର ପ୍ରତିଯୋଗିତା ଓ ବୈଷୟିକ ଜ୍ଞାନର ସଠିକ ବ୍ୟବହାର ଯୋଗୁଁ ମୋବାଇଲ କଲ୍ ଦରରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୬ ମସିହାରେ ବଜାରରେ ଜିଓର ପ୍ରବେଶ ପରେ ଲୋକମାନଙ୍କୁ ସୁଲଭ ମୁଲ୍ୟରେ ଡାଟା ପ୍ଲାନ ଓ କଲ ସେବା ମିଳିପାରୁଛି । ୧୯୯୫ ମସିହାରେ ହୋଇଥିବା ପ୍ରଥମ କଲରୁ ଭାରତର ବେତାର ଯୋଗାଯୋଗ ଶିଳ୍ପରେ ଏକ ବହୁତ ବଡ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ କେବଳ ଯେ ବୈଷୟିକ ଜ୍ଞାନର ଅଗ୍ରଗତିକୁ ଦର୍ଶାଉଛି ତାହା ନୁହେଁ ବରଂ ଏହା ଭାରତର ଯୋଗାଯୋଗର ମାଧ୍ୟମକୁ ମଧ୍ୟ ପ୍ରତିପାଦିକ କରୁଛି ।