ଦଶରଥପୁର,୪।୩(ଆ.ପ୍ର) ; ରାସ୍ତା ପାର୍ଶ୍ୱରେ ୧୦ବର୍ଷ ହେବ ଚାଲିଥିଲା ଚୋରା ମଦ ବେପାର। ପୁଲିସ ଏବଂ ଅବକାରୀ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ବେଆଇନ ମଦ ବେପାର ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ମହିଳା। ମଦ ଦୋକାନ ଉପରେ ଚଢ଼ାଉ କରି ଦୋକାନକୁ ଭାଙ୍ଗି ଚୁରମାର କରିଦେଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ତଥା ଦଶରଥପୁର ବ୍ଲକ ଚିତାଲୋ କଲେଜ ରାସ୍ତା ପାର୍ଶ୍ଵ ବାଲିପଦା ଛକରେ।

ବାଲିପଦା ଛକ ନିକଟ ପଞ୍ଚାୟତ ପୋଖରୀ ନିକଟରେ ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ପାନ ଦୋକାନ ବାହାନାରେ ବେଆଇନ ଭାବେ ଚୋରା ମଦ ବ୍ୟବସାୟ କରୁଥିଲା। ଫଳରେ ସକାଳୁ ବିଳମ୍ବିତ ରାତି ଯାଏ ଅବାଧରେ ଚୋରା ମଦ ଉପଲବ୍ଧ ହେଉଥିବା ଯୋଗୁ ଗ୍ରାମରେ ପ୍ରାୟତଃ ବିଶୃଙ୍ଖଲା ସୃଷ୍ଟି ହେଉଥିଲା। ସେଠାରୁ ମଦ ପିଇ ସ୍ଥାନୀୟ ଯୁବକ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ସାମିଲ ହେବା ସହିତ ଉକ୍ତ ରାସ୍ତା ଦେଇ କଲେଜ ଛାତ୍ରୀ, ମହିଳା ଏବଂ ବୟସ୍କ ବ୍ୟକ୍ତି ଯାତାୟାତ କରିବାକୁ ଭୟ କରୁଥିଲେ। ବିଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ଚୋରା ମଦ ବେପାର ବନ୍ଦ କରିବାକୁ ଯାଜପୁର ଟାଉନ ଥାନା ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଗ୍ରାମର ଶତାଧିକ ମହିଳା ବାଲିପଦା ଦୁର୍ଗା ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଉକ୍ତ ଚୋରା ମଦ ଦୋକାନକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ଶତାଧିକ ମହିଳା ଉକ୍ତ ଚୋରା ମଦ ଦୋକାନ ଉପରେ ଚଢ଼ାଉ କରି ଦୋକାନକୁ ଭାଙ୍ଗି ଦେଇଥିଲେ। ଖବର ପାଇ ଯାଜପୁର ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ମଦ ବ୍ୟବସାୟ କରୁଥିବା ଅଜୁ ପାଗଳ ଘର ଚଢ଼ାଉ କରି ୩ଟି ବଡ଼ ବ୍ୟାଗରେ ଭର୍ତ୍ତି ୩୦ଲିଟରରୁ ଅଧିକ ପରିମାଣର ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିଥିବା ଜଣାଯାଇଛି।