କୋଷାଗୁମୁଡ଼ା,୧୮/୫ : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାଲେଙ୍ଗା ନିକଟରେ ରବିବାର ଅପରାହ୍ନରେ ଆମ୍ବୁଲାନ୍ସ ସହ ବାଇକ୍ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ସାନ ଗୁମୁଡ଼ା ଗ୍ରାମର ମଙ୍ଗଲଦେଇ ମିର୍ଗାନ(୪୫) । ଏ ନେଇ କୋଡ଼ିଙ୍ଗା ଥାନାରେ ୯୦/୨୫ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କୋଡିଙ୍ଗା ଥାନା ଏଏସଆଇ ଶୁକଦେବ ଛତ୍ରିଆ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ସାନଗୁମୁଡ଼ା ଗ୍ରାମର ମଙ୍ଗଲଦେଇ ମିର୍ଗାନ୍ ସ୍ବାମୀ ଡଲା ମୀର୍ଗାନ ଓ ଗ୍ରାମର ଅନ୍ୟ ଜଣେ ଯୁବକ ପିଣ୍ଟୁ ମିର୍ଗାନ ସହ କୌଣସି କାମରେ ବାଇକ ଯୋଗେ କୋଷାଗୁମୁଡ଼ା ଯାଉଥିଲେ । ଅପରପକ୍ଷେ କୋଷାଗୁମୁଡ଼ା ଠାରୁ ଏକ ଆମ୍ବୁଲାନ୍ସ କୋଟାଗାଁ ଅଭିମୁଖେ ଯାଉଥିବାବେଳେ ବାଲେଙ୍ଗା ନିକଟରେ ଉଭୟଙ୍କ ମଧ୍ୟରେ ମୁହାମୁହି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ମଙ୍ଗଲଦେଇଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଡ଼ଲା ମିର୍ଗାନ ହାତ, ପିଣ୍ଟୁର ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।