ଚୌଦ୍ୱାର-ଗୁରୁଡିଝାଟିଆ,୯/୨: ପୁଣି ବିବାଦ ଘେରରେ ଫସିଛନ୍ତି ଚୌଦ୍ୱାର ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ ରାଉଳ । ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଓ ଅଧୀକ୍ଷକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢି କଥା ଥାନାକୁ ଯାଇ ମାମଲା ରୁଜୁ ହୋଇଥିବା ବେଳେ ଗତକାଲ ଜଣେ ମହିଳା ଅଧୀକ୍ଷକ ଶ୍ରୀ ରାଉଳଙ୍କ ନାଁରେ ଚୌଦ୍ୱାର ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି । ଜେଲ୍ରୁ କିଛି ଦିନ ପୂର୍ବରୁ ମୁକୁଳିଥିବା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଜେଲ୍ରେ ରହିବା ବେଳେ ଯେଉଁ ସୁନା ଗହଣା ଜମା ଦେଇଥିଲେ ତାହାକୁ ଅଧୀକ୍ଷକ ଶ୍ରୀ ରାଉଳ ଫେରାଉ ନାହାନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଚୌଦ୍ୱାର ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଚୌଦ୍ୱାର ଜେଲ୍ ବିବାଦରେ ଏବେ ଏ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି ।
ଜିଲ୍ଲା ମାହାଙ୍ଗା ଥାନା ଶୁକ୍ଲେଶ୍ୱରର ଇତିଶ୍ରୀ ଦାସ ଏକ ମାମଲାରେ ୨୦୨୫ ମସିହା ସେପ୍ଟେମ୍ବର ୨୨ରେ ଗିରଫ ହୋଇ ତା ପରଦିନ ଚୌଦ୍ୱାର ଜେଲ୍କୁ ଆସିଥିଲେ । ଜେଲ୍ର ମୁଖ୍ୟ ଫାଟକ ନିକଟରେ ଅପରାହ୍ନ ସମୟରେ ସୁରକ୍ଷା କର୍ମଚାରୀ ସିସି କ୍ୟାମେରା ସମ୍ମୁଖରେ ୬ ଗ୍ରାମର ସୁନା କାନଫୁଲ, ୮ ଗ୍ରାମର ମୁଦି ଓ ନାକଫୁଲ କାଢି ରଖିଥିଲେ । ଏକ ଖାମ୍ ଭିତରେ ଅଳଙ୍କାର ରଖାଯାଇଥିଲା । ଜେଲ୍ରେ ୩ ମାସ ରହିବା ପରେ ଇତିଶ୍ରୀ ୨୦୨୫ ଡିସେମ୍ବର ୨୩ରେ ଜାମିନ ପାଇ ମୁକୁଳିଥିଲେ । ଜେଲ୍ରୁ ବାହାରିବା ବେଳକୁ ସେ ଜେଲର୍ଙ୍କୁ ତାଙ୍କର ସୁନା ଅଳଙ୍କାର ମାଗିଥିଲେ । ମାତ୍ର ଅଳଙ୍କାର ମିଳୁନି, ଦୁଇ ତିନି ଦିନ ପରେ ଆସି ଅଳଙ୍କାର ନେଇଯିବ ବୋଲି ତାଙ୍କୁ କୁହାଯାଇଥିଲା । ମାତ୍ର ଇତିମଧ୍ୟରେ ୪ ଥର ଜେଲ୍କୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ତାଙ୍କ ଅଳଙ୍କାର ଫେରସ୍ତ ଦିଆଯାଉନି ।
ଗତ ଜାନୁଆରୀ ୭ରେ ଅଧୀକ୍ଷକ ସୁଜିତ ରାଉଳଙ୍କୁ ଇତିଶ୍ରୀ ଭେଟିଥିବାବେଳେ ସେ ୧୦ ଦିନ ସମୟ ମାଗିଥିଲେ । ସମୟ ସରିଯିବା ପରେ ଇତିଶ୍ରୀ ଅନ୍ୟ ଜଣେ ବନ୍ଧୁଙ୍କ ଫୋନ୍ରୁ ଅଧୀକ୍ଷକଙ୍କୁ ଅଳଙ୍କାର ବିଷୟରେ ପଚାରିବାରୁ ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ତମ ଅଳଙ୍କାର ଆମକୁ ଦେଇନଥିବା ଶ୍ରୀ ରାଉଳ ପ୍ରକାଶ କରିଥିଲେ । ଏପରିକି ମୁଁ କିଛି ଟଙ୍କା ଦେଉଛି, ତୁମେ ଯାଇ ଥାନାରେ ସନ୍ତୋଷିନୀଙ୍କ ନାଁରେ ଏତଲା ଦିଅ ବୋଲି ଅଧୀକ୍ଷକ ଶ୍ରୀ ରାଉଳ କହିଥିବା ଇତିଶ୍ରୀ ଦର୍ଶାଇଛନ୍ତି । ସେ ରାଜି ନହେବାରୁ ଅଧୀକ୍ଷକ ତାଙ୍କ ଅଳଙ୍କାର ଫେରାଉନାହାନ୍ତି ବୋଲି ଇତିଶ୍ରୀ କହିଛନ୍ତି । ସନ୍ତୋଷିନୀ ଦାଶଙ୍କ ବଦଳି ପରେ ଜେଲ୍ରେ ମହିଳା କର୍ମଚାରୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଚୌଦ୍ୱାର ଥାନା ଅତିରିକ୍ତ ଅଧିକାରୀ ନିରଞ୍ଜନ ଭୋଇଙ୍କ କହିବା କଥା, ଅଭିଯୋଗ ଭିତ୍ତିରେ କେସ୍ ରୁଜୁ କରାଯାଇ ତଦନ୍ତ ଚାଲିଛି । ଏ ସଂପର୍କରେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ କହିଛନ୍ତି, ଅଳଙ୍କାରଗୁଡିକ ପୂର୍ବତନ ଜେଲର୍ ଶ୍ରୀମତୀ ଦାଶ ବର୍ତ୍ତମାନର ଜେଲର୍ ରଘୁରାମ ମାଝୀଙ୍କୁ ହସ୍ତାନ୍ତର କରିନାହାନ୍ତି ।
ଆହୁରି ପଢନ୍ତୁ...ଡାକ୍ତରୀ ନାମଲେଖା ପାଇଁ ଆବେଦନ ଆରମ୍ଭ, ମେ ୩ରେ ନିଟ୍-ୟୁଜି, ଓଡ଼ିଆ ସମେତ ୧୩ ଭାଷାରେ ପରୀକ୍ଷା
ଅଳଙ୍କାର କାରବାରରେ ଜେଲ୍ ଅଧୀକ୍ଷକଙ୍କର କୌଣସି ଭୂମିକା ନଥାଏ । ଅଭିଯୋଗକାରିଣୀ ମହିଳା ମୋ ସମ୍ପର୍କରେ କରିଥିବା ଅଭିଯୋଗ ମିଛ, ଭିତ୍ତିହୀନ । ଅଳଙ୍କାର ଜେଲ୍ରୁ ମିସିଂ ଅଛି ବୋଲି ଗତ ଜାନୁଆରୀ ୧୮ ତାରିଖରେ ଚୌଦ୍ୱାର ଥାନାରେ ଜେଲ୍ ତରଫରୁ ଏତଲା ଦିଆଯାଇଛି । ଅପରପକ୍ଷରେ ଅଳଙ୍କାର ବାବଦରେ ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶଙ୍କ କହିବା କଥା, ଯଦି ମୁଁ ତାହା ଫେରାଇନି ତେବେ ଜେଲ୍ ପକ୍ଷରୁ ଏତେ ଦିନ ହେଲାଣି ମତେ ନୋଟିସ୍ କାହିଁକି କରାଯାଇନି? ମୁଁ ଫେରାଇନଥିବା ଅଭିଯୋଗ ମିଛ । ମୁଁ ଚୌଦ୍ୱାର ଥାନାରେ ୧୭ ତାରିଖରେ ଅଧୀକ୍ଷକଙ୍କ ନାଁରେ ଏତଲା ଦେବାରୁ ତା ପରଦିନ ମୋ ନାଁରେ ଏତଲା ଦିଆଯାଇଛି ।