ବ୍ରଜରାଜନଗର,୨୦/୨ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥାନୀୟ ଓରିଏଣ୍ଟ ଥାନା ଅନ୍ତର୍ଗତ ସନଯୋବ ଗ୍ରାମ ହନୁମାନ ମନ୍ଦିର ପଡ଼ାରେ ଘର ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରିଛି ପୁଲିସ । ସାନଯୋବ ଗ୍ରାମ ହନୁମାନ ମନ୍ଦିର ପଡ଼ାରେ ରହୁଥିବା ଗୋବିନ୍ଦ ଭୋଇ (୬୧) ଓ ତାଙ୍କ ସ୍ତ୍ରୀ ମୃତକ ରୁକ୍ମିଣୀ ଭୋଇ (୫୫)ଦୁଇ ଜଣ ସେହି ଘରେ ରହୁଥିଲେ l ୪ଦିନ ହେବ ଭିତର ପଟୁ କବାଟ ବନ୍ଦ ଥିଲା l ଶୁକ୍ରବାର ସକାଳ ୧୧ଟା ସମୟରେ କିଛି ଦୂରରେ ରହୁଥିବା ମୃତକର ଭଉଣୀ ଆସି ବାହାରପଟୁ କବାଟ ବାଡ଼େଇଥିଲେ l ଗୋବିନ୍ଦ ଭିତର ପଟୁ ଆସି କବାଟ ଖୋଲିଥିଲେ l ମୃତକର ଭଉଣୀ ଘର ଭିତରେ ପଶି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l

ପୁଲିସ ଆସି ଘର ଭିତରେ ପସିବା ପରେ ଦେଖିବାକୁ ପାଇଥିଲେ ଗୋବିନ୍ଦ ବେହୋସ ହୋଇ ଯାଇଥିଲେ l ପୁଲିସ ତୁରନ୍ତ ଗୋବିନ୍ଦକୁ ପୁଲିସ ଭ୍ୟାନ ସହାୟତାରେ ମଣ୍ଡଳୀୟା ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ପଠାଇଥିଲେ l ମୃତକ ୩ଦିନ ତଳୁ ମରିଥିବା ପୁଲିସ ପ୍ରକାଶ କରିଛି l ଖବର ଲେଖା ଯିବା ପର୍ଯ୍ୟନ୍ତ ପୁଲିସ ଶବ ଜବତ କରି ଜଗି ରହିଛି l ଏଠାରେ ସୂଚନାଯୋଗ୍ୟ ଯେ, ଗୋବିନ୍ଦ ଜଣେ ଅବସର ପ୍ରାପ୍ତ ଏମସିଏଲ କର୍ମଚାରୀ l ଅବସର କାଳୀନ ଟଙ୍କା, ପେନସନ ଟଙ୍କା ସହ ନିକଟରେ ତାର ପୈତୃକ ଜମି ବିକି ବଡ଼ ଆକାରରେ ଟଙ୍କା ତା ପାଖରେ ଥିଲା l ସର୍ବଦା ଘରକୁ ଅନେକ ଲୋକଙ୍କ ଯିବା ଆସିବା ଥିଲା l ତେଣୁ ପୁଲିସ ସଠିକ୍ ତଦନ୍ତ କଲେ ସତ୍ୟ ଉନ୍ମୋଚନ ହେବ ବୋଲି ପଡ଼ୋଶୀ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l