କେନ୍ଦ୍ରାପଡ଼ା,୦୮/୦୭: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତ ତେନ୍ତୁଳିକୋଳି ଗାଁରେ ମହିଳାଙ୍କ ଶରୀରରେ ଗାର/ ଚିହ୍ନ/କଳାଜାଇ ଖୋଜାଯିବା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ମାଷ୍ଟର୍ ବୁକ୍ କିପର୍ (ଏମ୍ବିକେ) ସୁଧାଂଶିନୀ ଧଳ ଓ ଦେବୀକଲ୍ୟାଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଦେବୀକଲ୍ୟାଣଙ୍କ ଘର କଟକ-ସାଲେପୁର ଅଞ୍ଚଳରେ ।
ମହିଳାମାନଙ୍କୁ ସେମାନଙ୍କ ଶରୀରରେ କଳାଜାଇ ଥିଲେ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଭିଡିଓ ରେକର୍ଡିଂ ଜରିଆରେ ଅର୍ଦ୍ଧଉଲଗ୍ନ ଭିଡିଓ ଉତ୍ତୋଳନ କରାଯାଇଥିଲା । ଭିଡିଓ ରେକର୍ଡିଂ ବେଳେ ମହିଳାମାନଙ୍କୁ ନିଜ ଆଖପାଖରେ କୌଣସି ଛୋଟପିଲାଙ୍କୁ ନରଖିବା ସହ ଶାଢ଼ି ସହ ସମ୍ପୂର୍ଣ୍ଣ ବସ୍ତ୍ର ଖୋଲିବାକୁ କୁହାଯାଇଥିଲା । ହ୍ୱାଟ୍ସ୍ଆପ୍ରେ ଭିଡିଓ କଲ୍ କରିଥିବା ଦେବୀକଲ୍ୟାଣ ମିଶ୍ର ନାମକ ବ୍ୟକ୍ତି ପ୍ରତି କଳାଜାଇ/ଗାର/ଚିହ୍ନ ପିଛା ହଜାରେ ଟଙ୍କା ଦେବା ନାଁରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇଥିଲା । ପ୍ରାୟ ୧୨ଜଣ ମହିଳା ଏଭଳି ଶୋଷଣ ଓ ନିର୍ଯାତନାର ଶିକାର ହୋଇଥିଲେ । ଘଟଣା ପଛରେ ସାଇବର ଅପରାଧୀ ସାମିଲ ଥିବା ସନ୍ଦେହ କରାଯାଉଛି ।
ପୁଲିସ ସୂଚନା ଅନୁସାରେ, ଦେବୀକଲ୍ୟାଣ ମେ’ ୩୦ ତାରିଖରେ ସୁଧାଂଶିନୀଙ୍କ ପାଖକୁ ଫୋନ୍ କରିଥିଲା ଓ ଉକ୍ତ ମହିଳା ଗୋଷ୍ଠୀ ସଭ୍ୟାମାନଙ୍କୁ ତାଲିମ ଦିଆଯିବ ବୋଲି କହିଥିଲା । ଦେବୀକଲ୍ୟାଣଙ୍କ କହିବା ଅନୁଯାୟୀ ମହିଳାମାନଙ୍କୁ ଭିଡିଓ କଲ୍ ଜରିଆରେ ତାଲିମ ଦିଆଯିବ ବୋଲି ଏମ୍ବିକେ ସମସ୍ତଙ୍କୁ ଜଣାଇଥିଲେ । ଏମ୍ବିକେଙ୍କ କଥାକୁ ଏସ୍ଏଚ୍ଜି ସଦସ୍ୟମାନେ ବିଶ୍ୱାସ କରିଥିଲେ । ଜୁନ୍ ୩ରେ ଜଣଙ୍କ ପରେ ଜଣଙ୍କୁ ଭିଡିଓ କଲ୍ କରାଯାଇଥିଲା । ଶରୀରରେ ଥିବା ପ୍ରତି କଳାଜାଇ/ ଗାର/ଚିହ୍ନ ପିଛା ହଜାରେ ଟଙ୍କା ମିଳିବ ବୋଲି କହି ସମସ୍ତଙ୍କୁ ଏକପ୍ରକାର ଉଲଗ୍ନ କରିବାକୁ ବାଧ୍ୟ କରାଯାଇଥିଲା । ସମସ୍ତଙ୍କ ଭିଡିଓ ଉତ୍ତୋଳନ କରାଯାଇଥିଲା । ପରେ ସମସ୍ତେ ଏକଜୁଟ୍ ହୋଇ ଏମ୍ବିକେଙ୍କୁ ଏହା ଜଣାଇଥିଲେ । ଦେବୀକଲ୍ୟାଣ ଯେମିତି ତାଲିମ ଦେବାକୁ କହୁଛନ୍ତି, ସେପରି କରିବାକୁ ଏମ୍ବିକେ କହିଥିଲେ ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି । ପୁଲିସ ପଚରାଉଚରା ଚଳାଇଛି ।
ରାଜକନିକାରେ ଲଜ୍ଜା: ମହିଳାଙ୍କ କଳାଜାଇ ଖୋଜା ! ସମ୍ବେଦନଶୀଳ ଅଙ୍ଗର ଭିଡିଓ କରାଯାଇଥିବା ଅଭିଯୋଗ