ନୂଆଦିଲ୍ଲୀ,୦୧/୦୩; ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଅଭିଜ୍ଞ ଖେଳାଳି ଆଲିସା ହିଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଦିନିକିଆରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଏକ ବିସ୍ଫୋରକ ଶତକ ଖେଳି ସ୍ମରଣୀୟ ବିଦାୟ ନେଇଛନ୍ତି । ହୋବାର୍ଟର ବେଲେରିଭ୍ ଓଭାଲରେ ଖେଳାଯାଇଥିବା ଭାରତ ବିପକ୍ଷରେ ତୃତୀୟ ଦିନିକିଆରେ ଧୂଆଁଧାର ଇନିଂସ ଖେଳିଛନ୍ତି ଆଲିସା । ସେ ଭାରତୀୟ ବୋଲରମାନଙ୍କୁ ଚୌକା ଏବଂ ଛକା ବର୍ଷା କରିଥିଲେ । ଚଳିତ ବର୍ଷ ଆରମ୍ଭରେ ଅବସର ଘୋଷଣା କରିବା ସମୟରେ ସେ କହିଥିଲେ ଯେ ସେ ଭାରତ ବିପକ୍ଷରେ ବହୁ-ଫର୍ମାଟ ସିରିଜରେ ଶେଷ ଥର ପାଇଁ ଖେଳିବେ । ଏହାର ଅର୍ଥ ହେଉଛି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ।
ଆଲିସା ହିଲିଙ୍କ ବିସ୍ଫୋରକ ଶତକ- ମ୍ୟାଚ୍ ଆରମ୍ଭରେ ଯେତେବେଳେ ଆଲିସା ହିଲି ବ୍ୟାଟିଂ କରିବାକୁ ଆସିଲେ, ଭାରତୀୟ ମହିଳା ଦଳ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ । ତା’ପରେ ସେ କ୍ରିଜ୍ ନିକଟକୁ ଯାଇ ଏକ ବିରାଟ ରନ ସଂଗ୍ରହ କରିଛନ୍ତି । ସେ ମାତ୍ର ୭୯ ବଲ୍ରେ ୧୮ ଚୌକା ମାରି ତାଙ୍କର ଶତକ ପୂରଣ କରିଥିଲେ । ସେତିକିରେ ଅଟକିନଥିଲେ ଆଲିସା ୯୮ ବଲ୍ରେ ମୋଟ ୧୫୮ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଯେଉଁଥିରେ ଚମତ୍କାର ସଟ୍ ମଧ୍ୟ ସାମିଲ । ଏହା ତାଙ୍କର ଅଷ୍ଟମ ଏକଦିବସୀୟ ଶତକ ଏବଂ ଭାରତ ବିପକ୍ଷରେ ତୃତୀୟ । ଏହି ଇନିଂସ୍ ମଧ୍ୟରେ, ସେ ମୋଟ ୨୭ ଚୌକା ଏବଂ ୨ଟି ଛକା ମାରିଥିଲେ । ଆଲିସା ହିଲି ଦକ୍ଷିଣ ଆଫ୍ରିକାର ଜୋହାମାରି ଲଗଟେନବର୍ଗଙ୍କ ପରେ ତାଙ୍କର ଶେଷ ଏକଦିବସୀୟରେ ଶତକ ହାସଲ କରିବାରେ ଦ୍ୱିତୀୟ ମହିଳା କ୍ରିକେଟର ହୋଇଛନ୍ତି ।
ଏହା ବି ପଢନ୍ତୁ...ସୁପର ସନ୍ଡେ'ରେ ମହାମୁକାବିଲା:ସନ୍ଧ୍ୟାରେ ମୁହାଁମୁହିଁ ଭାରତ- ୱେଷ୍ଟ ଇଣ୍ଡିଜ, ସୂର୍ଯ୍ୟସେନା ପାଇଁ ଶେଷ ସୁଯୋଗ
କହି ରଖୁଛି କି, ହିଲି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ । ସେବେଠାରୁ, ସେ ୧୨୬ ମ୍ୟାଚ୍ ରେ ୩,୭୭୭ ରନ୍ କରିଛନ୍ତି । ୧୧୪ ଇନିଂସରେ ୮ଟି ଶତକ ଏବଂ ୧୯ଟି ଅର୍ଦ୍ଧଶତକ ସାମିଲ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୪ ୱିକେଟ୍ ହରାଇ ୪୦୯ ରନ୍ କରିଛି । ବେଥ୍ ମୁନି ମଧ୍ୟ ୧୦୬ ରନର ଦମଦାର ଇନିଂସ ଖେଳିଛନ୍ତି ।