ଖପ୍ରାଖୋଲ ୧୩/୫: ନୃସିଂହ ଚତୁର୍ଦ୍ଦଶୀରେ ନୃସିଂହନାଥ ପୀଠକୁ ଦର୍ଶନ କରିବାକୁ ଯିବା ବେଳେ ଭିମକୁଣ୍ଡ ନିକଟରେ ଅଚେତ୍ ହୋଇ ପଡିଥିଲେ ମହିଳା। ଖବର ପାଇ ଘଟଣାସ୍ଥଳରୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍। ଚିକିତ୍ସା ପରେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।
ସୂଚନା ଅନୁଯାଇ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥ କ୍ଷେତ୍ର ହରିଶଙ୍କରରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନରେ ଶ୍ରଦ୍ଧାଳୁମାନେ ଗନ୍ଧମାର୍ଦ୍ଦନ ପାହାଡ଼ଦେଇ ନୃସିଂହନାଥକୁ ଯାତ୍ରା କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପାହାଡ଼ ଦେଇ ନୃସିଂହନାଥ ପୀଠକୁ ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିଲେ । ହେଲେ କଳାହାଣ୍ଡି ଜିଲ୍ଲା ପାସ୍ତୀକୁଡି ଗ୍ରାମର ବନିତା ମାଝୀ (୭୬) ଭିମକୁଣ୍ଡ ନିକଟରେ କୌଣସି କାରଣରୁ ରାସ୍ତା ମଝିରେ ଅଚେତ୍ ହୋଇ ପଡ଼ିଥିଲେ ।
ଘଟଣା ବିଷୟରେ କୌଣସି ସହୃଦୟ ବ୍ୟକ୍ତି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେଠାରୁ ଆବଶ୍ୟକ ଚିକିତ୍ସା ପାଇଁ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏବେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ବନ ବିଭାଗର ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ ସଦସ୍ୟ ହିମାଂଶୁ ବେହେରା ଓ ନୃପରାଜ୍ ଠାକୁର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।