ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆଶାତୀତ ନୁହେଁ କି? କେବେ ଭାବିଥିଲେ ଏମିତି ଖବର ଶୁଣିବେ ବୋଲି? ମୋ ପ୍ରଶ୍ନର ଉତ୍ତରରେ ଭଜହରି ବାବୁ ଗୋଟେ ଦୀର୍ଘଶ୍ୱାସ ପକେଇ କହିଲେ- ପରିବର୍ତ୍ତନର ତ କିଛି ଆଶା ଥିଲେ ବି ପରିଣାମ ମୋ କଳ୍ପନା ବାହାରେ ଥିଲା । ଏହା ମତେ ରାଜନୈତିକ ପଟ୍ଟପରିବର୍ତ୍ତନ ଅପେକ୍ଷା ପଶ୍ଚିମବଙ୍ଗବାସୀଙ୍କ ଆଶା ଭରସାର ବିଜୟ ପରି ମନେହେଲା । ଅର୍ଥାତ୍? ମୁଁ ପଚାରିଲି । ସେ କହିଲେ ଏହା କେବଳ ଏକ ନିର୍ବାଚନୀ ବିଗୁଲ୍ ନଥିଲା ବରଂ ଏହା ଥିଲା ସେଇ ମା' ମାଟି, ମାନୁଷ ଚାପିହୋଇ ରହିଥିବା ଅନ୍ତଃସ୍ୱର । ଯାହା ବଳରେ ଦିନେ ଟିଏମସି କ୍ଷମତାସୀନ ହୋଇଥିଲା । କହିବାକୁ ଗଲେ ଜଣେ ମା'ର ଆଶଙ୍କା, ଜଣେ ଭଉଣୀର ସ୍ୱପ୍ନ ଏବଂ ଜଣେ ଝିଅର ନିରାପଦରେ ବଞ୍ଚିବାର ଆକୁଳ ନିବେଦନ ଏ ଇଲେକ୍ସନ ଥିଲା ।
ଏ ନିର୍ବାଚନ ଜଣେଇ ଦେଲା ମହିଳା ସୁରକ୍ଷା କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ହେଉଛି ଏକ ସାମାଜିକ ଓ ସାଂସ୍କୃତିକ ଅସ୍ତିତ୍ୱର ଅଗ୍ନିପରୀକ୍ଷା । ଦେବୀ ଦୁର୍ଗା ଓ ମା’ କାଳୀଙ୍କୁ ପୂଜା କରାଯାଉଥିବା ମାଟିର ଝିଅଟିଏ ଯେତେବେଳେ ସନ୍ଧ୍ୟା ହେଲେ ଘରକୁ ଫେରିବାକୁ ଭୟ କରେ, ସେତେବେଳେ ଗଣତନ୍ତ୍ରର ଏ ମହୋତ୍ସବ ଧୂଆଁବାଣ ପରି ଲାଗେ। ସେଥିପାଇଁ ନିର୍ବାଚନୀ ଇସ୍ତାହାରର ଲୋଭନୀୟ ପ୍ରତିଶ୍ରୁତି ଅପେକ୍ଷା ନାରୀ ନିଜ ପାଇଁ ନିର୍ଭୟ ପାଦଚଲା ରାସ୍ତାଟିଏକୁ ପ୍ରାଥମିକତା ଦେଲା ।
ମୁଁ କହିଲି, ଏଥର ଇଲେକ୍ସନରେ ବିଜେପି ଦଳ ଐତିହାସିକ ଭାବେ ଜିତିଛି । ୨୯୪ ସିଟ୍ରୁ ବିଜେପି ସଂଖ୍ୟାଗରିଷ୍ଠ ଭାବେ ୨୦୭ ଓ ଟିଏମସି ୮୦ ତଥା ଅନ୍ୟାନ୍ୟ ଦଳ ୬ଟି ଅକ୍ତିଆର କରିଛନ୍ତି । ବଙ୍ଗଳା ଇତିହାସରେ ମଧ୍ୟ ଏଥର ସର୍ବାଧିକ ୯୨.୯୩% ହିସାବରେ ଅଭୂତପୂର୍ବ ମତଦାନ ହେଇଛି । କିନ୍ତୁ ଅଭିଯୋଗ ଆସୁଛି ଏଥିରେ ଏସ.ଆଇ.ଆର ଓ ଇଲେକ୍ସନ କମିଶନର ଭୂମିକା ଅଛି । କାରଣ ପ୍ରାୟ ୯୧ଲକ୍ଷ ଭୋଟ କଟିଛି ଏବଂ ୧୫ଲକ୍ଷରୁ ଊଦ୍ଧ୍ୱର୍ ନୂଆ ଭୋଟର ଯୋଡ଼ାଯାଇଛି । ତାଙ୍କ ତୀର୍ଯ୍ୟକ ଉତ୍ତର ଥିଲା- ଭୋଟ ସଂଶୋଧନ ପ୍ରକ୍ରିୟା ତ ଆଜିର ନୁହେଁ, ଏ ଦେଶରେ କେବେଠୁଁ ଅଛି । ଅନେକ ସନ୍ଦିଗ୍ଧ ଓ ମୃତ ଭୋଟର କଟନ୍ତି । ବୟସକୁ ନେଇ ନୂଆ ଭୋଟର ଯୋଡ଼ି ହୁଅନ୍ତି ଏବଂ ଏଥିରେ ନୂଆ କଥା କ’ଣ ଅଛି? ତେଣୁ ନୂଆ କଥା ସେଠି ନାହିଁ, କଥା ହେଉଛି ଭୋଟ ବ୍ୟାଙ୍କ ପଲିଟିକ୍ସର । ଯେତେବେଳେ ସ୍ୱାର୍ଥାନ୍ୱେଷୀ ତୁଷ୍ଟିକରଣ ରାଜନୀତି ଚରମକୁ ଛୁଏଁ, ସତେତେବେଳେ ଦୁର୍ନୀତି ଓ ଅରାଜକତାର ମଧ୍ୟ ରାଜନୀତିକରଣ ହୋଇଯାଏ । ଏଥର ଏସ.ଆଇ.ଆର.ରୁ ତ ଆମେ ନିଶ୍ଚିତ ହେଲେ ଯେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା, ବାଙ୍ଗଲାଦେଶୀଙ୍କୁ ମିଥ୍ୟା ଭୋଟର କରି ଆଜିପର୍ଯ୍ୟନ୍ତ ଇଲେକ୍ସନ କେମିତି ଜିତାଯାଉଥିଲା । ଦେଶର ନିରାପତ୍ତା ଦୃଷ୍ଟିରୁ, ବାରମ୍ବାର ଦାବି ହେଉଥିବା ସତ୍ତେ୍ୱ କାହିଁକି ବି.ଏସ.ଏଫ.କୁ ବର୍ଡର ସିଲ୍ କରିବାକୁ ଆବଶ୍ୟକ ଭିତ୍ତିଭୂମି ଓ ସ୍ଥାନ ମିଳୁନଥିଲା । କାରଣ ଅସ୍ଥାୟୀ ଭୋଟରଙ୍କ ଯିବାଆସିବା ସ୍ୱାର୍ଥରେ ବାଧା ଉପୁଜିବ । ଯେବେ ଚାହିଁଲେ ଆସିଲେ ଓ ମନଇଚ୍ଛା ଦଙ୍ଗା ହଙ୍ଗାମା, ଅତ୍ୟାଚାର ଓ ଧର୍ଷଣ କରି ପୁଣି ନିଧଡ଼କ ନିଜ ଦେଶକୁ ଚାଲିଗଲେ । ଏଠି ବିପର୍ଯ୍ୟସ୍ତ ଆଇନ୍ କାନୁନ୍ ବ୍ୟବସ୍ଥା ମଧ୍ୟରେ ପ୍ରଶାସନ ସ୍ଥାଣୁ । ଦଳ ତ ପୃଷ୍ଠପୋଷକ, ତେଣୁ ବାଧା ଦେବ କିଏ । ଦୟନୀୟ ଅବସ୍ଥା କିନ୍ତୁ ଭୋଗନ୍ତି ଜନସାଧାରଣ । ଆଚ୍ଛା, ଟିକିଏ ଥଣ୍ଡା ହୁଅନ୍ତୁ । ମୁଁ ତାଙ୍କୁ କହିଲି ।
ସେ କହିଲେ, ଉତ୍ତର ଶୁଣନ୍ତୁ। ଏ ବିଜୟରେ ଦଳୀୟ ଲୋକଙ୍କଠାରୁ ଅଧିକା ଖୁସି ବୋଧେ ପଶ୍ଚିମବଙ୍ଗର ଅତିଷ୍ଠ ଜନସାଧାରଣ । ସୋସିଆଲ ମିଡିଆରେ ଶହ ଶହ ସଂଖ୍ୟାରେ ଘୂରିବୁଲୁଥିବା ସେମାନଙ୍କ ହସ ଓ ଆଖିର ଲୁହ ସତେଯେପରି ସେମାନଙ୍କ ପୁନର୍ବାର ସ୍ୱାଧୀନତା ଲାଭର ଅନୁଭୂତି ଦେଉଛି । ଇଲେକ୍ସନରେ ହାର-ଜିତ ତ ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏଥିନିମନ୍ତେ ହାଣକାଟ, ମାରପିଟ, ପୋଡ଼ାଜଳା, ହତ୍ୟା ପରି ହିଂସ୍ର ଆଚରଣ କାହିଁକି? ଏହା କେବଳ କ୍ଷମତାର ଅହଙ୍କାର ଦେଖାଇବା ପାଇଁ । ଏକଦା ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଉଦ୍ଭବର ଅନ୍ୟତମ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ନେତାଜୀ ସୁଭାଷ ବୋଷ, ସ୍ୱାମୀ ବିବେକାନନ୍ଦ, ଶ୍ରୀଚୈତନ୍ୟ, ଅରବିନ୍ଦ, ପରମହଂସ, ଟାଗୋରଙ୍କ ପରି ମହାମନୀଷୀଙ୍କର ଜନ୍ମମାଟି ଆଜି ଲହୁଲୁହାଣ । କାହିଁକି, କେବେ ଭାବିଛନ୍ତି । ମୁଁ ପ୍ରଶ୍ନିଳ ଦୃଷ୍ଟିରେ ତାଙ୍କୁ ଚାହିଁଲି ।
ସେ କହିଲେ, ପ୍ରଗତିଶୀଳ ବିଚାରଧାରା ହୁଏତ ଅଧିକ ସ୍ୱଚ୍ଛନ୍ଦ ଲାଗିପାରେ । କିନ୍ତୁ ଏହା ଯେବେ ନିଜ ମୂଳଧର୍ମ ଓ ପରମ୍ପରା ଠାରୁ ଦୂରେଇଯାଏ, ସେତେବେଳେ ଏକ ପରିଚୟ ସଙ୍କଟ ସୃଷ୍ଟି କରିବା ସହିତ ସାଂସ୍କୃତିକ ବିପର୍ଯ୍ୟୟ ସୃଷ୍ଟିକରେ । ଯାହାର ପ୍ରଭାବ ଆଜି ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି । ଯେଉଁପର୍ଯ୍ୟନ୍ତ ଗଛର ମୂଳ ସହିତ ସମ୍ପର୍କ ଥାଏ ସେପର୍ଯ୍ୟନ୍ତ ତା’ର ଅବସ୍ଥିତି ଥାଏ, ନହେଲେ ମୂଳୋତ୍ପାଟନ ହୁଏ । ଇତିହାସକୁ ଦେଖିଲେ ତିନି ଦଶକ ଧରି କମ୍ୟୁନିଷ୍ଟ ଶାସନ ରାଜ୍ୟରେ ଶିଳ୍ପାୟନ ବନ୍ଦ କରିଦେଲା । ନିଜକୁ ପ୍ରଗତିଶୀଳ ଦେଖାଇବାକୁ ଯାଇ ଭାରତୀୟ ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ "ପଛୁଆ’ ବା "ଅନ୍ଧବିଶ୍ୱାସ’ ବୋଲି ଦର୍ଶାଇ ଗୌଣ ମନେକଲା । ଯାହା ସମାଜରେ କ୍ରମଶଃ ବୌଦ୍ଧିକ ଦେବାଳିଆ ପଣ ସହ ଏକ ଧାର୍ମିକ ଓ ସାଂସ୍କୃତିକ ହୀନମନ୍ୟତା ସୃଷ୍ଟି କରେଇଲା । କିନ୍ତୁ ସମାନ୍ତରାଳ ଭାବେ ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଅବୈଧ ଶରଣାର୍ଥୀ ଥଇଥାନ ପରି ଭୋଟବ୍ୟାଙ୍କର ରାଜନୀତି ଆରମ୍ଭ କଲା । ଯାହା ସେଠାରେ ଏକ ସାମାଜିକ ଅସମାନତା, ଆର୍ଥିକ ସ୍ଥାଣୁତା ସହ ବେରାଜଗାରୀର ଭିତ୍ତିଭୂମି ବି ସ୍ଥାପନ ହେଲା । କମ୍ୟୁନିଷ୍ଟ ଶାସନ ହିଁ ପଶ୍ଚିମବଙ୍ଗରେ ତୁଷ୍ଟୀକରଣର ଭିତ୍ତିଭୂମି ପକାଇଥିଲା । ଟିଏମସି କିନ୍ତୁ ଆହୁରି ଦଶ ପାଦ ଆଗକୁ ଯାଇ ସେହି ସିଲେକ୍ଟିଭ ସେକୁଲାରିଜିମର ମୂଳଦୁଆ ଉପରେ ଏକ ସୁଦୃଢ଼ ଢାଞ୍ଚା ଠିଆ କଲା, ଯାହା ଦେଶକୁ ଏକ ଭୟଙ୍କର ବିପଦ ମୁହଁକୁ ଏବେ ବି ଠେଲୁଛି । ଏହାଛଡ଼ା ମହିଳାଙ୍କ ସମସ୍ୟାକୁ ଆଧାର କରି ଆରମ୍ଭ ହୋଇଥିବା ଟିଏମସିର ରାଜନୀତି ପୁଣି ସେହି ମହିଳାଙ୍କ ଶୋଷଣରେ ପରାଙ୍ଗପୁଷ୍ଟ ହେଉଥିଲା । ତେଣୁ ଏ ଅରାଜକତାର ଅନ୍ତ ତ ହେବାର ଥିଲା ।
ଇଲେକ୍ସନ ତ ପଶ୍ଚିମବଙ୍ଗରେ ଟିଏମସି ହାରିଲା । ବାଙ୍ଗଲାଦେଶର ନେତା କାହିଁକି ପଶ୍ଚିମବଙ୍ଗକୁ ସ୍ୱାଧୀନ ବଙ୍ଗ ଦେଶରେ ପରିଣତ କରିବା ନିମନ୍ତେ ଖୋଲାଖୋଲି ଆହ୍ୱାନ ଦେଉଛନ୍ତି । ତେଣୁ ଭାବନ୍ତୁ ଏ ଦେଶବିରୋଧୀ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି । ସତରେ ଭାରି ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି, ମୋ ପାଟିରୁ ବାହାରିଗଲା । ତା’ପରେ ସେ କହିଚାଲିଲେ ପଶ୍ଚିମବଙ୍ଗ ରାଜନୀତିରେ ‘କଟ୍ମନି' କଥା କେବେ ଶୁଣିଛନ୍ତି ନା ନାହିଁ? ଜନସାଧାରଣଙ୍କୁ ସରକାରୀ ଯୋଜନା ହେଉ ବା ବ୍ୟକ୍ତିଗତ ବ୍ୟବସାୟ କି ଘର କିଣାବିକା, ଜବରଦଖଲ ସବୁଥିରେ ସେଠାର ଶାସକ ଦଳର ସ୍ଥାନୀୟ ନେତା ବା କର୍ମୀଙ୍କୁ ନିର୍ଦ୍ଧାରିତ "କମିଶନ’ ବା "ଭାଗ’ ଦେବାକୁ ବାଧ୍ୟ କରାଯାଏ । ଏହା ରାଜନୈତିକ ଛତ୍ରଛାୟାରେ ଚାଲିଥିବା ଏକ ବ୍ୟବସ୍ଥିତ ଦୁର୍ନୀତି ନୁହେଁ ତ କ’ଣ? ରାଜ୍ୟରେ ଶାସନତନ୍ତ୍ର କେବଳ ନାମମାତ୍ରକୁ ଥିଲା । ପୋଲିସ ନା ପ୍ରଶାସନ କାହାର ବି ସ୍ୱାଧୀନତା ନଥିଲା । ପ୍ରକୃତ ଶାସନ ଡୋର ପଞ୍ଚୟତ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀଙ୍କ ଦଖଲରେ ଥିଲା ।
ସବୁଠାରୁ ଅଧିକ ପୀଡ଼ିତା ଥିଲେ ଗୋଟେ ବର୍ଗର ମହିଳାଗଣ । ଶାରୀରିକ ଶୋଷଣ ଓ ଧର୍ଷଣ ଏକ ନିତିଦିନିଆ ଘଟଣା ପାଲଟି ଯାଇଥିଲା । ଆର.ଜି. କର ମେଡିକାଲ କଲେଜର ଚର୍ଚ୍ଚିତ ଘଟଣା ହେଉ ବା ସନ୍ଦେଶଖାଲିର ଯୌନ ଉତ୍ପୀଡ଼ନ, ଦକ୍ଷିଣ କଲିକତା ଲ' କଲେଜ ହେଉ ବା ଦୁର୍ଗାପୁର ପ୍ରାଇଭେଟ୍ ମେଡିକାଲ କଲେଜ ପରି ପ୍ରମୁଖ ଘଟଣା ରାଜ୍ୟରେ ମହିଳା ଶୋଷଣର ଏକ ବଳିଷ୍ଠ ପ୍ରମାଣ ସାଜିଥିଲା । ଏହା ଯଦିବା ସମୁଦ୍ରରୁ ଶଙ୍ଖେମାତ୍ର ଥିଲା । ଏନ୍ସିଆର୍ବି ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ମହିଳା ବିରୋଧୀ ଅପରାଧ ହାର ପ୍ରାୟ ୭୧.୮%, ଯାହାକି ଜାତୀୟ ମହିଳା ଅପରାଧ ହାର ଠାରୁ ଯଥେଷ୍ଟ ଅଧିକ । ରାଜନୈତିକ ଚାପ ବା ଗୁଣ୍ଡାଙ୍କ ଭୟ ଯୋଗୁଁ ବହୁତ ମାମଲାକୁ ଚପେଇ ଦିଆଯାଇଥିଲା । ତେଣୁ ମହିଳାଙ୍କ ପ୍ରତି ଘଟିଥିବା ଅପରାଧରେ ପୋଲିସର ନିଷ୍କ୍ରିୟତା ଏବଂ ସଲାସୁତୁରା, ସଂସ୍ଥାଗତ ବିଫଳତା, ବ୍ୟକ୍ତିଗତ ଆକ୍ରୋଶ, ନିର୍ବାଚନ ପରବର୍ତ୍ତୀ ହିଂସା, ଶିକ୍ଷାନୁଷ୍ଠାନରେ ଅରାଜକତା ଇତ୍ୟାଦି ଆକ୍ରୋଶର କାରଣ ଥିଲା । ଏହାଛଡ଼ା ଗୁଣ୍ଡା ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେବା, ପ୍ରମାଣ ନଷ୍ଟ କରିବାର ଅଭିଯାଗ । ସନ୍ଧ୍ୟା ପରେ ମହିଳାଙ୍କୁ ବାହାରକୁ ନଯିବାକୁ ପରାମର୍ଶ ପରି ରାଜ୍ୟ ସରକାରଙ୍କ ବିବାଦୀୟ ପ୍ରତିକ୍ରିୟା ସହ ମାତ୍ରାଧିକ ତୁଷ୍ଟିକରଣ ଆଦି ଅନେକ କାରଣ ମହିଳାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା ।
ପଶ୍ଚିମବଙ୍ଗର ମହିଳା ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ପରିଚୟ ଜଣେ ଏପରି ମହିଳା ଭାବରେ ଗଢ଼ିଥିଲେ, ଯିଏ ମହିଳାଙ୍କ ଅଧିକାର ପାଇଁ ଲଢ଼ନ୍ତି । କିନ୍ତୁ ତାଙ୍କ ଶାସନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମହିଳାଙ୍କ ଏପରି ଉତ୍ପୀଡ଼ନ ଜନମାନସରେ ଏକ ଗଭୀର ବିଶ୍ୱାସଘାତର ଅନୁଭବକୁ ଜନ୍ମ ଦେଇଥିଲା । ଏହାଛଡ଼ା ଆର.ଜି. କର ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥଙ୍କ ପାଣିହାଟି ଆସନର ବିଜେପି ପ୍ରାର୍ôଥତ୍ୱ ମହିଳା ସୁରକ୍ଷା ଆହ୍ୱାନର ଏକ ପ୍ରତୀକ ପାଲଟିଗଲା । କେମିତି? ମୋର ପ୍ରଶ୍ନ ଥିଲା । ଭଜହରି ବାବୁ କହିଲେ, ଆପଣ ତାଙ୍କ ଭୋଟ ପ୍ରଚାର ଢଙ୍ଗକୁ ଦେଖିଛନ୍ତି? ସେଥିରେ କୌଣସି ରାଜନୈତିକ ଭାଷଣବାଜି କି ଆଡ଼ମ୍ବରର ବହୁଲ୍ୟତା ନଥିଲା । ତାଙ୍କ ପ୍ରଚାରର ମାଧ୍ୟମ ଥିଲା କେବଳ ତାଙ୍କ ନିରବ ଆଖିର ଲୁହ, ଯାହା ଅକ୍ଳେଶରେ ସାରା ରାଜ୍ୟର ମହିଳାଙ୍କ ଆଖିକୁ ସଞ୍ଚରି ଯାଇଥିଲା । ପୀଡ଼ିତା ନାରୀଙ୍କ ପ୍ରତି ନ୍ୟାୟର ଗୁହାରି, ତାଙ୍କ ବ୍ୟକ୍ତିଗତ ଦୁଃଖକୁ ଏକ ସାର୍ବଜନୀନ ରୂପ ଦେଲା । ପରିଣାମ ସ୍ୱରୂପ, ଟିଏମସି ଗଡ଼ରେ ତାଙ୍କର ଦୃଢ଼ ବିଜୟ ମହିଳାମାନଙ୍କ ଦ୍ୱାରା, ମହିଳାମାନଙ୍କ ପାଇଁ ଦିଆଯାଇଥିବା ଜନାଦେଶ ଥିଲା ।
କେବଳ ଏତିକି ନୁହେଁ, ଅନେକ ବର୍ଷ ଧରି ବଙ୍ଗଳା ପରମ୍ପରାର ଅନ୍ୟତମ ପର୍ବ, ସାର୍ବଜନୀନ ଦୁର୍ଗାପୂଜା ଯାହା ବଙ୍ଗଳା ସଂସ୍କୃତିର ପ୍ରାଣକେନ୍ଦ୍ର ଅଟେ । କିନ୍ତୁ ସେହି ଦୁର୍ଗାପୂଜା, କାଳୀପୂଜା, ରାମନବମୀ, ହନୁମାନ ଜୟନ୍ତୀ ଓ ସରସ୍ୱତୀ ପୂଜା ପରି ପର୍ବପର୍ବାଣୀ ପାଳନ ସମୟରେ ବିଭିନ୍ନ ପ୍ରକାର ସରକାରୀ କଟକଣା କିମ୍ବା ବାଧାବିଘ୍ନ ସୃଷ୍ଟି କରାଯାଉଥିଲା । ଶାସନତନ୍ତ୍ରର ଏହି ପକ୍ଷପାତପୂର୍ଣ୍ଣ ଆଚରଣ ବଙ୍ଗାଳି ଅସ୍ମିତାର ଆଘାତ ଆଣିଥିଲା । ବାମପନ୍ଥୀ ଶାସନରେ ଯେଉଁ ଧାର୍ମିକ ଓ ସାଂସ୍କୃତିକ ପରିଚୟକୁ ଚାପି ଦିଆଯାଇଥିଲା, ଟିଏମସି ଶାସନରେ ତାହା ତୁଷ୍ଟୀକରଣ ଯୋଗୁଁ ଆହୁରି କୋଣଠେସା ହୋଇଗଲା । ଲୋକେ ବୁଝିପାରିଲେ ଆଧୁନିକ ପ୍ରଗତିଶୀଳ ବିଚାରଧାରା ନାଁରେ ସେମାନେ ସିଲେକ୍ଟିଭ ସିକୁଲାରିଜମର ଶିକାର ହୋଇ ଧୀରେ ଧୀରେ ନିଜର ଧାର୍ମିକ ଓ ସାଂସ୍କୃତିକ ପରିଚୟ ହରେଇବାକୁ ଯାଉଛନ୍ତି । ଏହିସବୁ କାରଣ ମିଶି ୨୦୨୬ରେ ଏକ ବିରାଟ ରାଜନୈତିକ ବିସ୍ଫୋରଣ ସୃଷ୍ଟିକଲା । ସେ ଧର୍ମକୁ ନେଇ ବା ଜାତିକୁ ନେଇ ହେଉ, ତୁଷ୍ଟିକରଣ ରାଜନୀତି ଶେଷରେ ବିପର୍ଯ୍ୟୟକୁ ହିଁ ଡାକିଆଣେ । ତେଣୁ ତୁଷ୍ଟିକରଣ ନୀତି ବଦଳରେ ରାଷ୍ଟ୍ରନୀତି ସର୍ବୋପରି ହେଉ ।
ମନେରଖିବା କଥା, ଯେତେବେଳେ ଜନସାଧାରଣଙ୍କ ଗୁହାରିକୁ ଅଣଦେଖା କରି "ଟେକ୍ ଇଟ୍ ଗ୍ରାଣ୍ଟେଡ୍' ଭାବେ ନିଆଯାଏ, ତାହାର ଉଚିତ ଜବାବ ଭୋଟ୍ ବାକ୍ସରେ ମିଳେ । ତେଣୁ ଏହି ନିର୍ବାଚନ କେବଳ ଶାସନ ଗାଦି ଦଖଲର ଲଢ଼େଇ ନହେଉ, ବରଂ ଅରାଜକତାର ଅନ୍ତ କରି ପ୍ରତ୍ୟେକଟି ଆଖିର ଲୁହ ପୋଛିବାର ସଂକଳ୍ପ ହେଉ, ଯିଏ ନିଜ ସୁରକ୍ଷା ଓ ସମ୍ମାନ ପାଇଁ ଆଜି ବି ସୁଶାସନ ଅପେକ୍ଷାରେ ଚାହିଁ ରହିଛି । ମୁଁ କହିଲି, କିଛି ଲୋକ ଦୀଘା ଜଗନ୍ନାଥ ଧାମକୁ ବି ପତନର ଆଉ ଗୋଟେ କାରଣ ବୋଲି କହୁଛନ୍ତି । ଏଥର ଭଜହରି ବାବୁ ଗୋଟେ ରହସ୍ୟମୟ ହସରେ କହିଲେ, ଆମ କାଳିଆ ସାଆନ୍ତେ ତ ଗର୍ବଗଞ୍ଜନ ଭାବେ ସର୍ବବିଦିତ । ତେଣୁ "କରି କରାଉଥାଏ ମୁହିଁ' ଉକ୍ତିକୁ କେମିତି ବା ଅସ୍ୱୀକାର କରିହେବ । ତଥାପି କହିବି, ଏ ସଂଘର୍ଷ ଏଠି ସରୁନି "ଆଗ୍ କା ଦରିଆ ହୈ ଔର ଡ଼ୁବ୍ କେ ଜାନା ହୈ’ । ଏଥର ଦୁହେଁ ଚୁପ୍ ଥିଲୁ ।