ମାଲକାନଗିରି, ୧୩/୧୦ (ଆପ୍ର): ପବିତ୍ର ଦଶହରା ପୁଜାରେ ବଙ୍ଗୀୟ ସଂପ୍ରଦାୟର ଭିନ୍ନପରମ୍ପରା ଦେଖିବାକୁ ମିଳିଥାଏ । ଦଶହରାରେ ମା’ ଦୁର୍ଗାଙ୍କ ନିକଟରେ ଦହିପଖାଳ ସାଙ୍ଗକୁ ସାରୁ ସାଗଭଜା ଭୋଗ ଲଗାଯାଇଥାଏ। ଦୁର୍ଗାମଣ୍ଡପରେ ମହିଳାମାନେ ଏକତ୍ରୀତ ହୋଇ ନିଜ ନିଜମଧ୍ୟରେ ସିନ୍ଦୁର ଖେଳିବାର ଦୃଶ୍ୟଦର୍ଶକ ଓ ଭକ୍ତମାନଙ୍କ ମନ ମୋହିଥାଏ ।
ଚଳିତ ବର୍ଷ ପବିତ୍ର ଦଶହରା ପୂଜା ଉତ୍ସବ ଅବସରରେ ମାଲକାନଗିରି ସହର ଦଣ୍ଡକାରଣ୍ୟ ସର୍ବଜନୀନ ଦୁର୍ଗା ପୂଜାମଣ୍ଡପ ରେ ମୂଖ୍ୟଆକର୍ଷଣ ଥିଲା ମହିଳା ମାନଙ୍କ ସିନ୍ଦୁର ଖେଳ । ଏହି ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରଷ ଙ୍କ ସହିତ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ଶତାଧିକ ସଧବା ଓ ନୁଆବିବାହିତା ବଙ୍ଗିୟ ଭାଷାଭାଷି ମହିଳାମାନେ ହାତରେ ପୂଜା ଥାଳି ଧରି ପୁଜା ମଣ୍ଡପ ନିକଟରେ ପହଁଚିଥିଲେ। ଧୂପ,ଦୀପ, ମିଠା, ଭୋଗ, ସିନ୍ଦୁର, ପାନପତ୍ର ନେଇ ମା’ ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା’ ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇଥିଲେ। ବନ୍ଦାପନାପରେ ମା’ ଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳା ବୋଳି ହୋଇ ମହିଳାମାନେ ସିନ୍ଦୁର ଖେଳ ଖେଳି କୋଳା କୋଳି ହୋଇ ପରସ୍ପରଙ୍କୁ ମିଠା ଖୁଆଇଥିଲେ । ସିନ୍ଦୁର ଖେଳ ସରିବା ପରେ ମା’ ଦୁର୍ଗାଙ୍କ ନିକଟରେ ଲଗାଯାଇଥିବା ସାରୁ ପତ୍ର(କଚୁ ସାଗ) ଭଜା ଓ ଦହିପଖାଳଭାତ ଭୋଗ କୁ ସମସ୍ତ ଦର୍ଶକ,ଭକ୍ତ ଓ ମହିଳା ମାନେ ପ୍ରସାଦ ଭାବେ ଖାଇଥିଲେ ।
ମାଲକାନଗିରି ଢିଏନକେ ଖେଳପଡିଆ ଦଣ୍ଡକାରଣ୍ୟ ସାର୍ବଜନୀନ ପୂଜା ମଣ୍ଡପରେ ଦୀର୍ଘ ୬୨ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ଏଠାରେ ବଙ୍ଗୀୟ ଭାଷା ଭାଷି ଓ ଓଡିଆ ଭାଷା ଭାଷିଙ୍କ ପରମ୍ପରା ଅନୁସାରେ ପୂଜା ହୋଇଥାଏ । ବଙ୍ଗୀୟ ସଂପ୍ରଦାୟ ପରମ୍ପରାରେ ପ୍ରତି ବର୍ଷ ମା’ ଙ୍କ ଦଶହରା ଉତ୍ସବ ସମୟରେ ସମସ୍ତ ବଙ୍ଗୀୟ ମହିଳା ମାନେ ଏକତ୍ରୀତ ହୋଇ ମା’ଙ୍କୁ ବନ୍ଦାପନା କରି ପୂଜା ଦେଇ ଥାନ୍ତି। ଏହି ସମୟରେ ବ୍ରାହ୍ମଣ କିମ୍ବା ପଣ୍ଡିତ ଙ୍କର ଆବଶ୍ୟକତା ପଡିନଥାଏ। ମା’ ପୂଜା ପାଇସାରିଲାପରେ ମହିଳା ମାନେ ମଣ୍ଡପରେ ନିଜ ନିଜ ଭିତରେ ସିନ୍ଦୂର ବୋଳା ବୋଳି ହୋଇ ଢୋଲ ଓ ମାଦଳର ,ଢାକା ବାଜା ତାଳେ ମା’ ଙ୍କ ବନ୍ଦନାଗାଇ ନୃତ୍ୟ ପରିବେଷଣ କରିଥାନ୍ତି । ବିଭିନ୍ନ ସାହିବସ୍ତି ଓ ଗ୍ରାମରୁ ଆସିଥିବା ଭିନ୍ନ ସମ୍ପ୍ରଦାୟର ମହିଳାମାନେ ଏହି ପୂଜାମଣ୍ଡପ ନିକଟରେ ବଙ୍ଗୀୟ ସମ୍ପ୍ର ଦାୟର ମହିଳା ଙ୍କ ସହିତ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ସିନ୍ଦୁର ଖେଳି ସଙ୍ଗାତ ବସି ଦୁଃଖ ସୁଖ ହୋଇଥାନ୍ତି। କାଲିମେଳା, ଏମଭି୭୯, ଏମଭି୭୨, ଏମଭି୧୭, ଏମଭି୭, ଏମଭି ୯, ଏମଭି୪ ୩,ଏମଭି୧୯,ପୋଟେରୁ,ପଦ୍ମଗିରି ବିଭିନ୍ନ ବଙ୍ଗିୟ ଗ୍ରାମ ର ଦୁର୍ଗାପୁଜା ମଣ୍ଡପରେ ବଙ୍ଗୀୟ ମହିଳା ମାନେ ଦଶହରା ପୂଜାରେ ସିନ୍ଦୁର ଖେଳ ଖେଳି ଥିଲେ।